‘ମାଇ ଲାଇଫ, ମାଇ ଯୋଗ’ ଭିଡିଓ ବ୍ଲଗିଂ ପ୍ରତିଯୋଗିତା ଜୁନ ୨୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଘୋଷିତ ‘ମାଇ ଲାଇଫ, ମାଇ ଯୋଗ’ ଭିଡିଓ ବ୍ଲଗିଂ ପ୍ରତିଯୋଗିତାର ଆବେଦନ ସମୟସୀମା ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି । ଡିଜିଟାଲ ପ୍ଲାଟଫର୍ମରେ ହେବାକୁ ଥିବା ଏହି ଆନ୍ତର୍ଜାତିକ ପ୍ରତିଯୋଗିତା ଆୟୁଷ ମନ୍ତ୍ରଣାଳୟ ଏବଂ ଭାରତୀୟ ସାଂସ୍କୃତିକ ପରିଷଦ (ଆଇସିସିଆର)ର ମିଳିତ ଆନୁକୁଲ୍ୟରେ ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଆୟୋଜିତ ହେଉଛି । ପୂର୍ବରୁ ଏହି ପ୍ରତିଯୋଗିତା ପାଇଁ ଆବେଦନର ଶେଷ ତାରିଖ ଜୁନ ୧୫ ଧାର୍ଯ୍ୟ ହୋଇଥିଲା । ଭାରତ ଏବଂ ବିଦେଶରୁ ଏହି ସମୟସୀମା ବୃଦ୍ଧି ପାଇଁ ଦାବି ହୋଇଆସୁଥିଲା । ସେ ଦୃଷ୍ଟିରୁ ମନ୍ତ୍ରଣାଳୟ ଏବଂ ଆଇସିସିଆର ଏହି ସମୟସୀମାକୁ ଆନ୍ତର୍ଜାତିକ ଯୋଗ ଦିବସ ଅର୍ଥାତ ଜୁନ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ଗତ ୩୧ତାରିଖ ଦିନ ତାଙ୍କ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ‘ମାଇ ଲାଇଫ, ମାଇ ଯୋଗ’ ଭିଡିଓ ବ୍ଲଗିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ନିବେଦନ କରିଥିଲେ । ଏହି ପ୍ରତିଯୋଗିତା ସାଧାରଣ ଜୀବନରେ ଯୋଗର ପ୍ରଭାବ ସମ୍ପର୍କରେ ସୂଚାଇବା ସହ ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଏକ ବିଷୟ ଭାବେ ନିଆଯାଇଛି । ପ୍ରତିଯୋଗିତାରେ ଆବେଦନ କରିବାକୁ ହେଲେ, ଆବେଦନକାରୀଙ୍କୁ ୩ ମିନିଟ ଅବଧିର ଏକ ଭିଡିଓ ପଠାଇବାକୁ ପଡିବ । କ୍ରିୟା, ଆସନ, ପ୍ରାଣାୟମ, ମୁଦ୍ରା ଏମଧ୍ୟରୁ ତିନି ପ୍ରକାରର ଯୋଗାଭ୍ୟାସ ଏବଂ ଯୋଗ ଶରୀର ଉପରେ କି ପ୍ରକାରର ପ୍ରଭାବ ପକାଉଛି ତାହାର ଏକ ସଂକ୍ଷିପ୍ତ ଭିଡିଓ ବାର୍ତ୍ତା ଏଥିରେ ରହିବ । ଏହି ଭିଡିଓକୁ ଫେସବୁକ, ଟ୍ଵିଟର, ଇନଷ୍ଟାଗ୍ରାମ କିମ୍ବା ମାଇଗଭ ପ୍ଲାଟଫର୍ମରେ #MyLifeMyYogaINDIA ଏବଂ ହ୍ୟାସଟ୍ୟାଗ ସହିତ ଅପଲୋଡ କରିପାରିବେ । ଅଂଶଗ୍ରହଣ କରିବାକୁ ଇଚ୍ଛୁକ ବ୍ୟକ୍ତି ଏହାର ସବିଶେଷ ନିୟମାବଳୀ https://yoga.ayush.gov.in/yoga/ ରେ ପାଇପାରିବେ । ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ଦେଶୱାରୀ ଭିଡିଓ ବ୍ଲଗିଂ ପ୍ରତିଯୋଗିତା ହେବ । ଏହାପରେ ବିଶ୍ଵସ୍ତରରେ ବିଭିନ୍ନ ଦେଶର ବିଜେତାମାନଙ୍କୁ ବଛାଯିବ । ମାନବ ଶରୀରରେ ଯୋଗର ପ୍ରଭାବ ନେଇ ପ୍ରତିଯୋଗୀମାନେ ଭିଡିଓରେ ତାହା ଦର୍ଶାଇବେ । ଏହି ପ୍ରତିଯୋଗିତା ପାଇଁ ତିନୋଟି ଶ୍ରେଣୀ ରହିଛି । ପ୍ରଥମ ଶ୍ରେଣୀର ପ୍ରତିଯୋଗୀମାନଙ୍କ ବୟସ ୧୮ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଦ୍ଵିତୀୟ ଶ୍ରେଣୀ ପ୍ରତିଯୋଗୀମାନଙ୍କ ବୟସ ୧୮ ଊର୍ଦ୍ଧ୍ଵ । ତୃତୀୟ ଶ୍ରେଣୀ ପ୍ରତିଯୋଗୀମାନେ ଯୋଗ ପ୍ରଶିକ୍ଷକ ହୋଇଥିବା ଆବଶ୍ୟକ । ଭାରତୀୟ ପ୍ରତିଯୋଗୀମାନଙ୍କ ପାଇଁ ପ୍ରଥମ ପୁରସ୍କାର ୧ ଲକ୍ଷ, ଦ୍ଵିତୀୟ ପୁରସ୍କାର ୫୦ ହଜାର ଏବଂ ତୃତୀୟ ପୁରସ୍କାର ୨୫ ହଜାର ଟଙ୍କା ରଖାଯାଇଛି । ସେହିଭଳି ବୈଶ୍ଵିକ ସ୍ତରରେ ପ୍ରଥମ ପୁରସ୍କାର ୨୫୦୦ ଆମେରିକୀୟ ଡଲାର, ଦ୍ଵିତୀୟ ପୁରସ୍କାର ୧୫୦୦ ଆମେରିକୀୟ ଡଲାର ଏବଂ ତୃତୀୟ ପୁରସ୍କାର ୧୦୦୦ ଆମେରିକୀୟ ଡଲାର ରଖାଯାଇଛି ।
ଏହି ଘୁଞ୍ଚାଯାଇଥିବା ଅବଧିର ସଦୂପଯୋଗ କରି ଅବିଳମ୍ଭେ ଭିଡିଓ ଦାଖଲ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ପ୍ରତିଯୋଗୀମାନଙ୍କୁ ନିବେଦନ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ