ମାଓ ସଙ୍ଗଠନ ଛାଡି ୧୭ ଜଣ ମାଓବାଦୀ ପୋଲିସ ନିକଟରେ କଲେ ଆତ୍ମସମର୍ପଣ
ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗନାର ଭଦ୍ରାଦି କୋଥାଗୁଡେମ ଠାରେ ମାଓ ସଙ୍ଗଠନ ଛାଡି ସାଧାରଣ ଜୀବନ ଯାପନ ଉଦେଶ୍ୟରେ ୧୭ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପଣ କାରୀ ମାଓବାଦୀଙ୍କ ମଧ୍ୟରେ ୨ଜଣ ଏସିଏମ କ୍ୟାଡର ମାଓବାଦୀ ରହିଥିବା ବେଳେ ୪ ଜଣ ପାର୍ଟି ସଦସ୍ୟ ଓ ୧୧ ଜଣ ମିଲସିଆ ସଦସ୍ୟ ରହିଛନ୍ତି। ଦୀର୍ଘ ବର୍ଷ ଧରି ଏମାନେ ମାଓ ସଙ୍ଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡିତ ଥିଲେ। ବର୍ତ୍ତମାନ ମାଓ ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେଉଥିବା ସହ ନିଜର ନୀତି ଆଦର୍ଶରୁ ଓହରି ଯାଇଥିବା ବେଳେ ପୋଲିସର ଆତ୍ମସମର୍ପଣ ନୀତିରେ ଆକ୍ରୁଷ୍ଟ ହୋଇ ଏମାନେ ହିଂସାର ପଥ ଛାଡି ନିଜ ପରିବାର ସଦସ୍ୟଙ୍କ ସହିତ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ମାଓବାଦୀଙ୍କୁ ଆତ୍ମସମର୍ପଣ କରି ସାଧାରଣ ଜୀବନ ଯାପନ କରିବାରେ ସହାୟକ ପାଇଁ ତେଲେଙ୍ଗନା ପୋଲିସ ପକ୍ଷରୁ “ଅପରେସନ୍ ଚେୟୁଥା” କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଅମୋବ୍ଡି ମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ବେଳେ ସେମାନଙ୍କୁ ଥଇଥାନ ନୀତି ଅନୁଯାୟୀ ସମସ୍ତ ସହାୟତା ପ୍ରଦାନ ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଭଦ୍ରାଦି କୋଥାଗୁଡେମ ଏସ୍ପି ପ୍ରକାଶ କରିଛନ୍ତି। ତେବେ ଚଳିତ ବର୍ଷ ଏପର୍ଯ୍ୟନ୍ତ, ଜିଲ୍ଲା ପୋଲିସ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ଦ୍ୱାରା ଆକର୍ଷିତ ହୋଇ ମୋଟ ୨୮୨ ଜଣ ବିଭିନ୍ନ କ୍ୟାଡରର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଥିବା ସହ ଆଗକୁ ଅନ୍ୟ ମାଓବାଦୀ ମାନେ ମଧ୍ୟ ମାଓ ସଙ୍ଗଠନ ଛାଡି ଆତ୍ମସମର୍ପଣ କରନ୍ତୁ ବୋଲି ପୋଲିସ ପକ୍ଷରୁ ଅପିଲ କରାଯାଇଛି।