ମାକୋଳ ଖାଲି, ଦେଢମାସର ଶିଶୁ କନ୍ୟାକୁ ଛଡାଇ ନେଲା ଅପାରଗ ବାପ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଜଣେ ମାକୋଳରୁ ଦେଢମାସର ଶିଶୁ କନ୍ୟାକୁ ଅପାରଗ ବାପ ଛଡାଇନେଥିବା ହୃଦୟ ବିତାରକ ଘଟଣା ଆଜି ଭଣ୍ଡାରିପୋଖରୀ ଅଞ୍ଚଳରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଧାମନଗର ଥାନା ଖଡିପଦା ଗ୍ରାମର ପ୍ରାଣକୃଷ୍ଣ ମହାନ୍ତିଙ୍କ ଝିଅ ରେଖା ଭଣ୍ଡାରିପୋଖରୀ ଥାନା ପର୍ବତୀ ଗ୍ରାମର ଭ୍ରମର ଖୁଣ୍ଟିଆଙ୍କୁ ବୈଦିକ ବିଧି ଅନୁଯାୟୀ ଦେଢବର୍ଷ ପୂର୍ବେ ବିବାହ କରିଥିଲେ । ବିବାହ ସମୟରେ ସକ୍ଷମ ଅନୁଯାୟୀ ଝିଅଘର ପକ୍ଷ ଯାନି ଯୌତୁକ ଦେଇଥିଲେ ସୁଦ୍ଧା ଜ୍ୱାଇଁ ଭ୍ରମର ଅଧିକ ଯୌତୁକ ଦାବି କରି ରେଖାକୁ ଶାରିରୀକ ନିର୍ଯାତନ ଦେଉଥିଲେ । ଫଳ ସ୍ୱରୂପ ଜ୍ୱାଇଁଙ୍କ ଦାବି ଅନୁଯାୟୀ ରେଖାଙ୍କର ବାପଭାଇ ଜ୍ୱାଇଁଙ୍କୁ କିଛଦିନ ପୂର୍ବରୁ ଏକ ମୋଟରସାଇକେଲ ପ୍ରଦାନ କରିଥିଲେ । ଇତିମଧ୍ୟରେ ରେଖା ଚାରିମାସର ଗର୍ଭବତୀ ଥିବାବେଳେ ସ୍ୱାମୀ ତାଙ୍କୁ ଅକତଥନୀୟ ଶାରିରୀକ ନିର୍ଯାତନା ଦେଉଥିଲେ । ସେ ଏଥିରେ ଅତିଷ୍ଠ ହୋଇ ବାପଘରକୁ ଚାଲିଯାଇଥିବାବେଳେ ସେଠାରେ ଏକ କନ୍ୟା ସନ୍ତାନକୁ ଜନ୍ନ ଦେଇଥିଲେ । ପରେ ଶ୍ୱଶୂରଘର ପକ୍ଷରୁ ଅନୁରୋଧ ପରେ ରେଖା ପ୍ରସବକାଳୀନ ସମୟ ପରେ କନ୍ୟାକୁ ଧରି ଶାଶୂଘର ପର୍ବତୀକୁ ଫେରି ଆସିଥିଲେ । ପରେପରେ ପୁଣି ଅପରାଗ ସ୍ୱାମୀ ଅଧିକ ଯୌତୁକ ଟଙ୍କା ଦାବି କରି ରେଖାଙ୍କୁ ପୁଣି ମାରଧର ଆରମ୍ଭ କରିଥିଲେ । ବାପଘର ଲୋକେ ଆଜି ଖବର ପାଇଁ ପର୍ବତୀ ଠାରେ ପହଞ୍ଚି ନିର୍ଯାତିତ ଝିଅକୁ ଉଦ୍ଧାର କରିଥିଲେ ସୁଦ୍ଧା ଅପରାଗ ସ୍ୱାମୀ ମା କୋଳରୁ ଦେଢମାସର ଶିଶୁ କନ୍ୟାକୁ ଛଡାଇନେଥିବା ଜଣାପଡିଛି । ଛୋଟ ଝିଅର ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମା ରେଖା ସ୍ଥାନୀୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏଥିସହିତ ଶିଶୁ କନ୍ୟାକୁ ଉଦ୍ଧାର ପାଇଁ ପୁଲିସକୁ ନିବେଦନ କରି ଲିଖିତ ଭାବେ ଜଣାଇଛନ୍ତି ।


