ମାଗଣାରେ ପ୍ରଶିକ୍ଷଣ ନେବେ ସ୍ଥାନୀୟ ଅଧିବାସୀ
ବାଲେଶ୍ଵର, (ସରୋଜ ପଣ୍ଡା):ସମୃଦ୍ଧ ରାଷ୍ଟ୍ର ଗଠନ କରିବା ପାଇଁ ନାରୀ ସଶକ୍ତିକରଣର ଆବଶ୍ୟକତା ରହିଛି। ମହିଳାମାନଙ୍କୁ ଆତ୍ମନିର୍ଭର କରିବା ହିଁ ସଶକ୍ତିକରଣର ମୂଳଦୁଆ ଅଟେ। ତେଣୁ ମହିଳା ଓ ଯୁବବର୍ଗଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଜରିଆରେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରୁଛି। ଏହି ପରିପ୍ରେକ୍ଷୀରେ ଟିପିଏନଓଡିଏଲ ପକ୍ଷରୁ ଆଦିବାସୀ ଉପାନ୍ତ ଅଞ୍ଚଳ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଧିନସ୍ଥ ଚଢେଇପାହାଡିରେ ଏକ ପ୍ରଶିକ୍ଷଣ କେନ୍ଦ୍ରର ଲୋକାର୍ପଣ କରାଯାଇଛି। ଟିପିଏନଓଡିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଦ୍ଵିଜଦାସ ବସକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମର୍ସିଆଲ ସର୍ଭିସେସ ଓ ସିଏସଆର ମୁଖ୍ୟ ପର୍ବିନ ବର୍ମା, ସିଏସଆର ମୁଖ୍ୟ ଦିଲ୍ଲୀପ ସାହୁ, ବାରିପଦା ଅଧିକ୍ଷଣ ଯନ୍ତ୍ରୀ ହରିଶ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସିଇଓ ଶ୍ରୀ ବସକ ଆଶାୟୀ ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବା ସହ ଟିପିଏନଓଡିଏଲ ଜାରି ରଖିଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଗାଡି, ଦକ୍ଷତା ବିକାଶ କେନ୍ଦ୍ର ଜରିଆରେ ଯୁବପିଢୀଙ୍କୁ ମାଗଣାରେ ଦିଆଯାଉଥିବା ପ୍ରଶିକ୍ଷଣ ଆଦି ପ୍ରସଙ୍ଗରେ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ ଦର୍ଶାଇ ଥିଲେ ଯେ, ଏହି ପ୍ରଶିକ୍ଷଣ କେନ୍ଦ୍ର ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ବିକାଶରେ ନିଶ୍ଚୟ ସହାୟକ ହେବ। ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ବିତରଣ ସହ ସାମାଜିକ ଦାୟିତ୍ଵବୋଧତାକୁ ମଧ୍ୟ ଟିପିଏନଓଡ଼ିଏଲ ଅଗ୍ରାଧିକାର ଦେଉଥିବା ସେ ଦର୍ଶାଇଥିଲେ। ତେବେ ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ ଅଧିବାସୀଙ୍କୁ ସିଲେଇ ଓ ପତର ପ୍ଳେଟ ତିଆରି ପାଇଁ ଶିକ୍ଷା ଦିଆଯିବ। ଏଥି ପାଇଁ ଅତ୍ୟାଧୁନିକ ଯନ୍ତ୍ରାଂଶ ଉପଲବ୍ଧ କରାଯାଇଥିବାବେଳେ ସେମାନଙ୍କ ଉତ୍ପାଦିତ ଦ୍ରବ୍ଯର ବଜାର ସୁବିଧା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି।ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଦିଗରେ ଟିପିଏନଓଡିଏଲ ଅଗ୍ରାଧିକାର ଦେବା ସହ ଉପଭୋକ୍ତାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବହୁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଛି। ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ଶିକ୍ଷାଦାନ, ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଶିକ୍ଷଣ, ନିରକ୍ଷର ମହିଳାମାନଙ୍କୁ ଶିକ୍ଷାଦାନ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମ ଆୟୋଜନ କରୁଛି।ଏହା ସହ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଗାଡିର ବ୍ୟବସ୍ଥା କରିଛି। ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକରୁ ପ୍ରଶିକ୍ଷଣ ନେଇ ଯୁବବର୍ଗ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀରେ ନିଯୁକ୍ତି ପାଇବାର ସୁଯୋଗ ପାଇଛନ୍ତି। ସେହିଭଳି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନଙ୍କୁ ଟେଲରିଂ, ବ୍ୟୁଟିସିଆନ ଆଦି ପ୍ରଶିକ୍ଷଣ ଦିଆଯିବା ସହ ଆତ୍ମନିର୍ଭରଶୀଳ କରାଇବା ଦିଗରେ ମଧ୍ୟ ଟିପିଏନଓଡିଏଲ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଛି।