ମାଗଣାରେ ବୁଷ୍ଟର ଡୋଜ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପାଖେ ଦାବି ରଖନ୍ତୁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-କରୋନା ସଂକ୍ରମଣ ବୃଦ୍ଧିକୁ ଆଖିଆଗରେ ରଖି ଏହାକୁ ରୋକିବା ଦିଗରେ କି ପଦକ୍ଷେପ ନିଆଯାଇପାରିବ ସେ ନେଇ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବା ପାଇଁ ଯାଉଛନ୍ତି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ । ଆଲୋଚନାକାଳରେ ବୁଷ୍ଟର ଡ଼ୋଜ ଟୀକା ସମସ୍ତଙ୍କୁ ମାଗଣାରେ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି ରଖିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ପୂର୍ବରୁ ଦିଲ୍ଲୀ, ବିହାର ଓ ହରିୟାଣା ରାଜ୍ୟରେ ତାଙ୍କ ରାଜ୍ୟର ୧୮ରୁ ୫୯ ବର୍ଷ ବୟସ୍କ ସମସ୍ତଙ୍କୁ ମାଗଣା ବୁଷ୍ଟର ଡୋଜ ଦେବା ପାଇଁ ଘୋଷଣା କରିଛନ୍ତି । ସେ ଦିଗରେ ଓଡ଼ିଶା, ଆମ୍ଭମାନଙ୍କ ଅନୁରୋଧ ସତ୍ତ୍ୱେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାଁନ୍ତି । ତେଣୁ ଦେଶବାସୀଙ୍କର ବୃହତର ସ୍ୱାର୍ଥକୁ ଆଖି ଆଗରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ସହିତ ହେବାକୁ ଥିବା ବୈଠକରେ ସମସ୍ତଙ୍କୁ ବୁଷ୍ଟର ଡ଼ୋଜ ମାଗଣାରେ ଦେବା ପାଇଁ ଉପସ୍ଥାପିତ କରିବାକୁ ପାର୍ଟି ପକ୍ଷରୁ ଅନୁରୋଧ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ କି, ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ବୁଷ୍ଟର ଡ଼ୋଜ କାର୍ଯ୍ୟକ୍ରମ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତବର୍ଷରେ ଏପର୍ଯ୍ୟନ୍ତ ଆଖିଦୃଶିଆ ସଫଳତା ହାସଲ କରିପାରି ନାହିଁ । ତାର କାରଣ ହେଉଛି ବୁଷ୍ଟର ଡ଼ୋଜ ପିଛା ଘରୋଇ ହସ୍ପିଟାଲ ଗୁଡ଼ିକରେ ୨୨୫ ଟଙ୍କା ଏବଂ ସେବାକର ବାବଦକୁ ୧୫୦ଟଙ୍କା ମୋଟରେ ୩୭୫ ଟଙ୍କା ଡ଼ୋଜ ପିଛା ଦେବାକୁ ପଡୁଛି । ଗୋଟିଏ ୫ ଜଣିଆ ପରିବାରର ବୁଷ୍ଟର ଡ଼ୋଜ ଖର୍ଚ୍ଚ ହେଉଛି ୧୮୭୫ ଟଙ୍କା । ମାସିକ ୫୧୧୨ ଟଙ୍କା ରୋଜଗାର କରୁଥିବା ଗୋଟିଏ ଚାଷୀ ପରିବାର ୧୮୭୫ ଟଙ୍କା ବୁଷ୍ଟର ଡ଼ୋଜ ପାଇଁ ଖର୍ଚ୍ଚ କରିବା ଅସମ୍ଭବ । ତେଣୁ ଏହାକୁ ଆଖି ଆଗରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ବୁଷ୍ଟର ଡ଼ୋଜ୍ ସମସ୍ତଙ୍କୁ ମାଗଣାରେ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି ଉପସ୍ଥାପନ ପାଇଁ ସମାଜବାଦୀ ପାର୍ଟି, ଓଡ଼ିଶା ପକ୍ଷରୁ ଅନୁରୋଧ କରୁଛୁ ।


