ମା’ଙ୍କ ଆଗମନରେ ଉତ୍ସବମୁଖର ଗାଁ’ଠୁ ସହର
ବାଲେଶ୍ୱର, (ସରୋଜ ପଣ୍ଡା):ଦୁର୍ଗତି ନାଶିନୀ ମା’ଦୁର୍ଗାଙ୍କର ଶାରଦୀୟ ପୂଜାରେ ସହରଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ହୋଇ ଉଠିଛି ଉତ୍ସବ ମୁଖର । ମହାଳୟାଠାରୁ ଶକ୍ତିପୀଠଗୁଡ଼ିକରେ ନବରାତ୍ର ପୂଜା ଜାରି ରହିଥିବା ବେଳେ ସପ୍ତମୀରୁ ମଣ୍ଡପଗୁଡ଼ିକରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ସହର ସମେତ ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳର ପ୍ରତ୍ୟେକ ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ମହାସପ୍ତମୀ ପୂଜା । ଘଣ୍ଟ, ଘଣ୍ଟା ଓ ଶଙ୍ଖଧ୍ୱନି ସାଙ୍ଗକୁ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣ ଞ ଚଣ୍ଡୀପାଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ମହାଷଷ୍ଠୀରେ ବିଲ୍ୱାଧିବାସ ପରେ ରବିବାର ମହାସପ୍ତମୀର ଘଟ ଉତ୍ତୋଳନ ସହ ପ୍ରତ୍ୟେକ ମଣ୍ଡପରେ ବିଶେଷ ନୀତିରେ ହେଉଛି ମହାସପ୍ତମୀ ପୂଜା । ଦେବୀଙ୍କ କରୁଣା ପାଇବା ପାଇଁ ଆବାଳ ବୃଦ୍ଧବନୀତାଙ୍କ ମଧ୍ୟରେ ଦେଖାଯାଇଛିି ଅପୂର୍ବ ଉତ୍ସାହ ଉଦ୍ଦୀପନା । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହରର ୭୨ରୁ ଅଧିକ ସାର୍ବଜନୀନ ମଣ୍ଡପ ଓ ଏକାଧିକ ଘରୋଇ ଆସ୍ଥାନରେ ମାଆଙ୍କର ପୂଜା ଚାଲିଥିବା ବେଳେ ସପ୍ତମୀରୁ ରାସ୍ତାଘାଟରେ ଜନଗହଳି ଆରମ୍ଭ ହୋଇଗଲାଣି । ଲୋକେ ମଣ୍ଡପ ମଣ୍ଡପ ବୁଲି ମାଆଙ୍କୁ ଦର୍ଶନ କରୁଛନ୍ତି । ୨ବର୍ଷ ଧରି କରୋନା ଆତଙ୍କ ପାଇଁ ବିଧିରକ୍ଷା ହୋଇଥିବା ମାଆଙ୍କ ପୂଜା ସ୍ଥିତି ଚଳିତ ବର୍ଷ ନଥିବା ବେଳେ ଲୋକେ ବେଶ ଆନନ୍ଦ ଉତ୍ସାହରେ ଉପଭୋଗ କରୁଛନ୍ତି । ମାଆଙ୍କର ୪ଦିନିଆ ଉତ୍ସବରେ ଆହୁରି ଭିଡ଼ ହେବ ବୋଲି ଅନୁମାନ କରାଯାଉଛି । ଜନଗହଳି ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲା ପୁଲିସ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି । ଏନେଇ ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ କ୍ୟାମ୍ପ ସ୍ଥାପନ କରାଯାଇଛି । ଆସନ୍ତା ୬ ତାରିଖର ଭସାଣି ଶୋଭାଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି କ୍ୟାମ୍ପ ରହିବା ସହ ସହରର ବିଭିନ୍ନ ସ୍ଥାନରେ ପୁଲିସ ମଧ୍ୟ ମୁତୟନ ରହିଛନ୍ତି । ଏନେଇ ଜିଲା ପୁଲିସ ପକ୍ଷରୁ ୩ ଜଣ ଏଡିସନାଲ ଏସପି, ୧୨ ଜଣ ଡିଏସପିଙ୍କ ସମେତ ୨୩ ଜଣ ଇନସ୍ପେକ୍ଟର, ୧୨୭ ଜଣ ଏସଆଇ ଓ ଏଏସଆଇ, ୧୨ ଜଣ ହାବିଲଦାର, ୧୫୨ ଜଣ କନଷ୍ଟେବଳ, ୧୦ଜଣ ଟ୍ରାଫିକ କନଷ୍ଟେବଳ, ୪୦୨ ଜଣ ଗୃହରକ୍ଷୀ ଓ ୨୮ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି ।


