ମାଛ ଚୋରିକୁ କେନ୍ଦ୍ର କରି ପୁତୁରାର ବେକ କାଟି ଦାଦା ଗିରଫ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଚାଷ ଜମି ଏବଂ କେନାଲ୍ ମଧ୍ୟରେ ପାଣି ପ୍ରବାହିତ ହେଲେ ଜମିରୁ ଚୁନା ମାଛ ଧରିବା ପାଇଁ ଗ୍ରାମାଞ୍ଚଳର ଲୋକମାନେ ବେନ୍ଦା ପକାଇଥାନ୍ତି I ବେଳେ ବେଳେ ଏହି ବେନ୍ଦାରୁ ମାଛ ଚୋରି, ମାଛ ଭାଗବଣ୍ଟା ଭଳି ଘଟଣାକୁନେଇ ଗ୍ରାମାଞ୍ଚଳ ଗୁଡିକରେ ଲୋକଙ୍କ ମଧ୍ୟରେ ବଚସା ଏବଂ ଗଣ୍ଡଗୋଳ ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ I ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ବେଣୀପଲ୍ଲୀ ପଂଚାୟତର ଛତାବର ଗ୍ରାମରେ I ବେନ୍ଦାରୁ ମାଛ ଚୋରିକୁ କେନ୍ଦ୍ର କରି ଦାଦା ତା ପୁତୁରାର ବେକକୁ କାଟିଦେଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି I ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟଙ୍କ ସୂଚନା ପ୍ରକାରେ ଗତ ୨୭ ତାରିଖ ଦିନ ସନ୍ଧ୍ୟାରେ ଛତାବର ଗ୍ରାମର ଶିଶିର ନାୟକ (୩୬) କେନାଲ୍ ରେ ବେନ୍ଦା ପକାଇଥିବା ବେଳେ ରାତିରେ ତାର ମାଛ କିଏ ଚୋରି କରି ନେଇଯାଇଥିଲା I ଏନେଇ ଶିଶିର ତାର ପୁତୁରା ବିନୋଦକୁ ସନ୍ଦେହ କରିବା ସହିତ ତାର ଘର ଆଗକୁ ଆସି ଗାଳିଗୁଲଜ କରିଥିଲା I କିନ୍ତୁ ବିନୋଦ ମାଛ ନେଇନଥିବା କହିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା I ଏଥିରେ ଉତ୍କ୍ଷିପ୍ତ ହୋଇ ଶିଶିର ଏକ ମାଂସ କଟା କଟୁରୀ ଆଣି ବିନୋଦର ବେକକୁ କାଟିଦେଇଥିଲା I ସ୍ଥାନୀୟଲୋକେ ଘଟଣା ସ୍ଥଳକୁ ଆସିଯିବାରୁ ଶିଶିର ସେଠାରୁ ଫେରାର ହୋଇଯାଇଥିଲା I ବିନୋଦକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟଲୋକେ ପ୍ରଥମେ ଗୋବରା ଏବଂ ପରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ I ବିନୋଦର ଏତାଲା କ୍ରମେ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ ୮୦୫/୨୩ ରେ ଏକ ମାମଲା ରୁଜୁ ହୋଇଥିଲା I ଘଟଣା ଦିନ ଠାରୁ ଶିଶିର ଫେରାର୍ ଥିବାରୁ ପୋଲିସ୍ ତାକୁ ଧରିପାରିନଥିଲା I କୁମାର ପୂର୍ଣ୍ଣମୀ ଥିବାରୁ ଆଜି ଭୋର୍ ସମୟରେ ଶିଶିର ଗ୍ରାମକୁ ଆସିଥିବା ନେଇ ପୋଲିସ୍ କୁ ଖବର ମିଳିଥିଲା I ଖବର ପାଇ ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟଙ୍କ ନିର୍ଦ୍ଦେଶକ୍ରମେ ସ୍ପେସାଲ୍ ପୋଲିସ୍ ଫୋର୍ସ୍ ଆଜି ଶିଶିରକୁ ତାର ଘରୁ ଗିରଫ କରି ଭଞ୍ଜନଗର କୋର୍ଟଚାଲାଣ କରିଦେଇଥିଲେ I ସେଠାରେ ତାର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇଦିଆଯାଇଥିବା ସୂଚନା ମିଳିଛି I ଗାଙ୍ଗପୁର ଥାନା ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ ଘଟଣାର ତଦନ୍ତ କରୁଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ