ମାଟିଚୋରଙ୍କ ଲୋଲୁପ ଦୃଷ୍ଟିରେ ଆଖୁଆପଦା ବୈତରଣୀ ସେତୁ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳ ଏବେ ଇଟା,ବାଲି ଓ ମାଟି ଚୋରଙ୍କ ଚାରଣ ଭୂଇଁ ହୋଇଯାଇଛି କହିଲେ ଅତ୍ୟୁକ୍ତ ହେବ ନାହିଁ । ଏଠାରୁ ଦିନ ଦ୍ୱିପ୍ରହରରେ ବେଆଇନ ଭାବେ ଇଟାବାଲି ଚାଲାଣ ହେଉଥିବାବେଳେ ପ୍ରଶାସନ ଅଧିକାରୀ ମାନେ ସତେ ଯେଭଳି ଅନ୍ଧ ଧୃତରାଷ୍ଟ୍ର ସାଜିଥିବା ମନେହୁଏ । ଏହାକୁ ବାଦ ଦେଲେ ବିଭିନ୍ନ ସ୍ଥାନରୁ ମଧ୍ୟ ମାଟି ଖୋଳାଯାଇ ବିକ୍ରି ହେଉଥିବା ନଜରକୁ ଆସିଛି । ପରିସ୍ଥିତି ଏଭଳି ହୋଇଛି ଯେ ଚୋର ମାନେ ସବୁ ସୀମା ଡେଇଁ ଜାତୀୟ ସମ୍ପତ୍ତିକୁ ନଷ୍ଟ କରିବାକୁ ପଛାଇ ନାହାଁନ୍ତି । ୧୬ନଂ ଜାତୀୟ ରାଜପଥର ଆଖୁଆପଦା ବୈତରଣୀ ନଦୀ ସେତୁ ତଳୁ ଶହଶହ ଟ୍ରିପ ମାଟି ଖୋଳାଯାଇ ବିକ୍ରି ହେଉଥିବା ନଜରକୁ ଆସିଛି । ସେତୁର ଆଖୁଆପଦା ଛକ ଠାରୁ ନଦୀ ଅଧାଅଧି ଯାଏଁ ପିଲର ନିକଟରୁ ଟ୍ରାକ୍ଟର ଯୋଗେ ବିଭିନ୍ନ ସମୟରେ ମାଟି ଖୋଳାଯାଇ ଚାଲାଣ ହେଉଥିବା ଜଣାଯାଇଛି । ଏଭଳି ବେଆଇନ କାର୍ଯ୍ୟ ଲାଗି ରହିଲେ ଅଳ୍ପଦିନ ମଧ୍ୟରେ ଆଖୁଆପଦା ସେତୁକୁ ବିପଦ ମାଡି ଆସିବ ସେଥିରେ ସନ୍ଦେହ ନାହିଁ । ଦିବାଲୋକରେ ଏଭଳି ମାଟି ଖୋଳାଯାଇ ବିକ୍ରି ହେଉଥିଲେ ସୁଦ୍ଧା ସ୍ଥାନୀୟ ଜଗନ୍ନାଥପ୍ରସାଦ ରାଜସ୍ୱ ନୀରିକ୍ଷକ ସବୁ ଜାଣି ଚୁପ ରହୁଥିବା ଜଣାଯାଇଛି । ଏପରିକି ଘଟଣା ସମ୍ପର୍କରେ ତହସିଲଦାରଙ୍କୁ ମଧ୍ୟ ଅବଗତ କରାଯାଇଛି । ହେଲେ ଏଦିଗରେ କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ ହୋଇଛି । ଏନେଇ ସ୍ଥାନୀୟ ତହସିଲଦାରଙ୍କୁ ଯୋଗାଯୋଗ କରାଯିବାରୁ ସେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ଦାୟିତ୍ୱ ହୀନତାକୁ ଦାୟୀ କରି ଏଭଳି ବେଆଇନ କାର୍ଯ୍ୟ ଉପରେ ଯଥାଶୀଘ୍ର ଦୃଷ୍ଟି ଦେବେ ବୋଲି କହିଛନ୍ତି ।