ମାଟିତଳୁ ମୃତଦେହ ଉଦ୍ଧାର , ସ୍ୱାମୀ ଗିରଫ
ହାଟଡ଼ିହି, : (ସୌମ୍ୟରଞନ) : କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଣା ଗ୍ରାମରୁ ଗତ ୯ତାରିଖ ଦିନ ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଆଜି ନନ୍ଦିପଦା ପୁଲିସକୁ ବଡ ସଫଳତା ମିଳିଛି । ବିଭିନ୍ନ ଆଡୁ ପରିବାର ଲୋକଙ୍କ ଉପରେ ଚାପ ପଡିବାପରେ ଆଜି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍ୱାମୀ ପ୍ରଦୀପ ନନ୍ଦିପଦା ଥାନାରେ ଆତ୍ମସମର୍ପଣ କରିବାପରେ ପୁଲିସ ତାକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ପାରିବାରିକ କଳହରୁ ନିଜେ ହତ୍ୟା କରିଥିବାନେଇ ସ୍ୱୀକାର କରିବା ସହ ଘଟଣା ପ୍ରଚାର ହୋଇଯିବାପରେ ସେ କଲିକତାକୁ ପଳାଇଥିଲା ବୋଲି ପ୍ରକାଶ କରିଥିବା ବିଶ୍ୱସ୍ଥ ସୁତ୍ରରୁ ଜଣାଯାଇଛି । ଏହି ହତ୍ୟାକାଣ୍ଡରେ ଆଉ କିଏ ସଂପୃକ୍ତ କି ନା ଆନନ୍ଦପୁର ଏସ.ଡି.ପି.ଓ ବିଦ୍ୟୁତ ପଣ୍ଡା ଏବଂ ନନ୍ଦିପଦା ଥାନା ଆଇସି ମାନସ କୁମାର ସ୍ୱାଇଁ ପ୍ରମୁଖ ସେ ବାବଦରେ ଅଭିଯୁକ୍ତକୁ ପଚରା ଉଚୁରା କରୁଛନ୍ତି । ସୁଚନାଯୋଗ୍ୟ ଯେ ଅଣା ଗ୍ରାମର ପ୍ରଦୀପ ମଲ୍ଲିକ ଏକ ଯାତ୍ରାପାର୍ଟିରେ କାମ କରୁଥିବାବେଳେ ସୋର ଥାନା ପାଟଣା କୁଆଁରା ଗ୍ରାମର ମଧୁସ୍ମିତା ନାୟକ ନାମକ ଜଣେ ଯାତ୍ରା କଳାକାରକୁ ଭଲପାଇ ବିବାହ କରିଥିଲେ । ତାଙ୍କର ଏକ ୬/୭ବର୍ଷର ଶିଶୁପୁତ୍ର ଅଛି । ଗତ କିଛିମାସ ହେଲା କୌଣସି କାରଣକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡାଝାଟି ଲାଗୁ ଥିବାବେଳେ ପ୍ରଦୀପ ମଧୁସ୍ମିତାକୁ ପିଟାମରା କରୁଥିଲା । ଗତ ରଜ ସମୟରୁ ମଧୁସ୍ମିତା ନିଖୋଜ ହୋଇଯିବା ଓ ଗତ କିଛିଦିନ ତଳେ ଘର ପଛପଟୁ ଦୁର୍ଗନ୍ଧ ବାହାରିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ଦେଖାଦେବାରୁ ପୁଲିସକୁ ସୁଚନା ଦେବାପରେ ପୁଲିସ ଗତ ୯ତାରିଖ ଦିନ ମାଜିଷ୍ଟେଟ ଓ ସାଇଣ୍ଟିଫିକ ଟିମର ଉପସ୍ଥିତିରେ ସନ୍ଦେହ କରାଯଉଥିବା ସ୍ଥାନକୁ ଖୋଳିବାପରେ ମଧୁସ୍ମିତାଙ୍କ ଗଳିତ ଶବକୁ ଉଦ୍ଧାର କରିଥିଲେ । ନନ୍ଦିପଦା ପୁଲିସ ଗ୍ରାମରକ୍ଷୀ ଗୋରାଙ୍ଗ ଯେନାଙ୍କ ଅଭିଯୋଗ ଆଧାରରେ ନନ୍ଦିପଦା ପୁଲିସ ଥାନା କେସନଂ୭୩/୨୦୧୯ ଦଫା ୩୦୨, ୨୦୧ରେ ମାମଲା ରୁଜୁକରି ବା ସହିତ ମୃତ ଦେହଟି ପ୍ରଦୀପଙ୍କ ସ୍ତ୍ରୀ ମଧୁସ୍ମିତାର ବୋଲି ପରିବାର ଲୋକେ ଚିହ୍ନଟ କରିବାପରେ ଶବକୁ ପୋଷ୍ଟମଟମ ପାଇଁ ପଠାଯାଇଥିଲା ।