ମାଟିତଳୁ ଯୁବତୀଙ୍କ ଅର୍ଦ୍ଧଉଲଗ୍ନ ମୃତଦହ ଉଦ୍ଧାର ଘଟଣା, ଥାନାରେ ୨ ଅଟକ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରବିବାର ହିଞ୍ଜିଳି ଥାନା ମହୁଲପଲ୍ଲୀ ଗ୍ରାମ ଶଶ୍ମାନରେ ପୋତାଯାଇଥିବା ଏକ ଯୁବତୀଙ୍କ ଅର୍ଦ୍ଧଉଲଗ୍ନ ମୃତଦହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଥିଲା । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୫୫୧/୨୩ରେ ଏକ ହତ୍ୟା ମାମଲା ରୁଜଗୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଘଟଣାର ୭୨ ଘଣ୍ଟା ଅତିବାହିତ ହୋଇ ଯାଇଥିଲେ ସୁଦ୍ଧା ହତ୍ୟାର ଶୀକାର ଯୁବତୀଙ୍କ ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ । ପାରିପାରିକ ସ୍ଥିତିକୁ ଲକ୍ଷ୍ୟ କଲେ ଏହା ଏକ ବଳତ୍କାର ସହ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ପୁଲିସ ସନ୍ଦେହ କରୁଛି । ସୋମବାର ଆସିକା ଏସଡିପିଓ ଉମାଶଙ୍କର ସିଂ, ହିଞ୍ଜିଳି ଆଇଆଇସି ଅଭୁ ଦାସଙ୍କ ସହ ସାଇଣ୍ଟଫିକ୍ ଟିମ୍, ସନ୍ଧାନୀ କୁକୁର ଓ ପୁଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ଘଟଣା ସ୍ଥଳରୁ ସନ୍ଧାନୀ କୁକୁର ଏକ ରକ୍ତଭିଜା ଜରି ଅଖାକୁ ସନ୍ଧାନ କରିଥିବା ବେଳେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି । ତେବେ ଯୁବତୀଙ୍କୁ ବଳତ୍କାର କରାଯାଇଛି କି ନାହିଁ ସେ ନେଇ ସ୍ପଷ୍ଟ ପ୍ରମାଣିତ ହୋଇ ପାରିନାହିଁ । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ ତଥ୍ୟ ଜଣାପଡିବ ବୋଲି ହିଞ୍ଜିଳି ଆଇଆଇସି ଦାସ କହିଛନ୍ତି । ତେବେ ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳି ପୁଲିସ ସନ୍ଦିଗ୍ଧ ୨ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ତଦନ୍ତାରେ ବାଧା ଉପୁଜିବା ନେଇ ଥାନାରେ ଅଟକ ବ୍ୟକ୍ତିଙ୍କ ପରିଚୟ ଦେବାକୁ ପୁଲିସ ମନା କରିଛି । ଖବର ଲେଖା ହେବା ସୁଦ୍ଧା ହତ୍ୟାର ଶୀକାର ଯୁବତୀଙ୍କ ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ । ପ୍ରକାଶ ଥାଉକି, ରବିବାର ମହୁଲପଲ୍ଲୀ ଗ୍ରାମର କିଛି ଲୋକ ଶଶ୍ମାନକୁ ଯାଇଥିବା ବେଳେ ଶଶ୍ମାନ ଜମିର ଗୋଟିଏ ସ୍ଥାନରେ ଜଣେ ବ୍ୟକ୍ତିଙ୍କ ଗୋଡ ଦବି ଯାଇଥିଲା । ସନ୍ଦେହ କରି ଘଟଣା ନେଇ ଗ୍ରାମର କିିଛି ଲୋକଙ୍କୁ ଜଣାଇଥିଲେ । ଖବର ପାଇ ଆସିକା ଏସଡିପିଓ, ହିଞ୍ଜିଳି ଆଇଆଇସି ଓ ପୁଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମାଟିଖୋଳି ଯୁବତୀଙ୍କ ଅର୍ଦ୍ଧଉଲଗ୍ନ ମୃତଦହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲା । ଯୁବତୀଙ୍କ ପରିଚୟ ମିଳିବା ପରେ ହତ୍ୟାକାଣ୍ଡର ଖିଅ ଖୋଜିବାରେ ପୁଲିସକୁ ସହାୟକ ହେବ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଘଟଣା ପରେ ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଆସିକା ଏସଡିପିଓଙ୍କ ନିର୍ଦ୍ଦେଶରେ ହିଞ୍ଜିଳି ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଛାନଭିନ୍ ଚଳାଇଥିବା ଜଣାପଡିଛି ।