ମାଟିମାଆର ପୁଅ
ଆଗକୁ ଅଁଳା ନବମୀ ଆସୁଛି. ଅଁଳା ନବମୀରେ ରାଧା ମାଆଙ୍କ ପାଦ ଦର୍ଶନ ସାଙ୍ଗକୁ ତାଙ୍କର ଓଡ଼ିଆଣୀ ବେଶ ଖୁବ ସୁନ୍ଦର.ସେହିଦିନଠୁ କାର୍ତ୍ତିକ ପୂର୍ଣ୍ଣମୀ ଯାଏଁ ପାଞ୍ଚ ଦିନକୁ ପଞ୍ଚୁକ ରୂପେ ଶ୍ରଦ୍ଧାଳୁ ପାଳିଥାଆନ୍ତି. ଅଁଳାନବମୀ ଦିନ ସିଦ୍ଧବକୁଳ ପୀଠରେ ଅଁଳା ଗଛମୂଳେ ଭକ୍ତ ଓ ହବିଷିଆଳୀମାନେ ମାଟି ହାଣ୍ଡି ମାନଙ୍କରେ ଶ୍ରଦ୍ଧାରେ ଖେଚେଡ଼ି, ଡ଼ାଲମା, ଅଗସ୍ତି ଶାଗ କରି ଅଁଳା ଗଛକୁ ପୂଜା କରି ବନ୍ଧୁବାନ୍ଧବ ଓ ଜ୍ଞାତି କୁଟୁମ୍ବ ପରିଜନଙ୍କ ସହ ପ୍ରସାଦ ସେବନ କରି ନିଜକୁ ଭାଗ୍ୟବାନ ମଣିଥାଆନ୍ତି. ଦୂର ଦୁରାନ୍ତରୁ ଆସିଥିବା ଭକ୍ତମାନଙ୍କ ପାଇଁ ମଧ୍ୟ ପ୍ରସାଦ କିଣିବାକୁ ମିଳେ. ତାହା ସବୁ ମାଟିହାଣ୍ଡିରେ ପ୍ରସ୍ତୁତ ହେଉଥିବାରୁ ଖୁବ ସୁସ୍ୱାଡୁ ଓ ରୁଚିପୂର୍ଣ୍ଣ ପ୍ରସାଦ ଭୋଜନ ଅଟେ. ଦୁଇ ଚାରିଦିନ ହେଲାଣି ବର୍ଷା ଜମା ଛାଡ଼ୁନି ତ ନବଘନର ମାଟିହାଣ୍ଡି ଗଢ଼ା କାମ ଧିମେଇ ଯାଇଛି. ଚକ ବୁଲୁଛି. ଚକଟାମାଟିକୁ ରୂପ ଦେଇ ମାଟିହାଣ୍ଡି ସବୁ ଭିର୍ନ୍ନ ଭିର୍ନ୍ନ ସାଇଜର ଗଢିଲା ବେଳେ ଇନ୍ଦ୍ରଙ୍କୁ ଡାକୁଛି ନବଘନ. ବର୍ଷା ଟିକେ ଛାଡିଯାଉ ପ୍ରଭୁ କଞ୍ଚାହାଣ୍ଡି ତାର ଶୁଖିଯାଉ. ବର୍ଷା କିନ୍ତୁ ଛାଡ଼ୁନଥିଲା. ନବଘନ ପୁଣି ଭାବୁଥିଲା ଶ୍ରଦ୍ଧାଳୁ ଦର୍ଶନାର୍ଥି ଧାଡ଼ିରେ ଠିଆ ହୋଇ ମାଆ ରାଧାରାଣୀ ଓ ଭଗବାନ ଶ୍ରୀକୃଷ୍ଣଙ୍କୁ ଦର୍ଶନ ପାଇଁ ଆଜିକାଲି ହେଉଥିବା ଖରା ଗରମରେ ଆଉଟି ପାଉଟି ହୋଇଯାଆନ୍ତି. ପାଦେ ପାଦେ ପାଦ ଘୁଞ୍ଚେଇ ମାଆଙ୍କ ପାଦ ଦର୍ଶନ ପାଇଁ ଅପେକ୍ଷା ବେଳେ ଦୁଇଟୋପା ବର୍ଷା ଖୁବ ଆନନ୍ଦ ପ୍ରଦାନ କରେ. ଯେତେ ସ୍ବେଛାସେବୀ ଅନୁଷ୍ଠାନ ଜଳ ଦାନ ମହାପୂଣ୍ୟ ମନେକରି ପାଣି ଯୋଗାଇଦେଉଥିଲେ ମଧ୍ୟ ଆଜିକାଲିର ଏ ଖରା ଗରମ ପୁଣି ନଭେମ୍ବର ମାସରେ ମଧ୍ୟ ଅସହ୍ୟ ହୁଏ ଭକ୍ତ ଦର୍ଶନାର୍ଥୀଙ୍କ ପାଇଁ ତ ନବଘନ ଭାବୁଥିଲା ହଉ ଅସରାଏ ଲେଖାଏଁ ବର୍ଷା. ଆଜିକାଲି ତ ମାଟିହାଣ୍ଡି ବଦଳରେ ରସ, ଷ୍ଟିଲ, ଆଲମୁନିୟମ ଡେକଚି, କଡେଇରେ ଲୋକ ରୋଷେଇ କଲେଣି, ମାଟି ହାଣ୍ଡି ନହେଲା ନାହିଁ ଖରା ଗରମରୁ ଭକ୍ତ ତ୍ରାହି ପାଉ.
ଯେ ପାଞ୍ଚେ ପରର ମନ୍ଦ… ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ଭଳି ଯେ ପାଞ୍ଚେ ଅନ୍ୟର ଭଲ.. ଠାକୁର କରନ୍ତି ତାହାର ନିଶ୍ଚୟ ଭଲ କଥାଟା ଏକଦମ ସତ . ତ ନବଘନର ହାଣ୍ଡି ସବୁ ବିନା ଖରାରେ ପଙ୍ଖାରେ ଶୁଖି ରେଡି ହୋଇଗଲା. ଖରାରେ ଶୁଖିଥିବା ହାଣ୍ଡି ଅପେକ୍ଷା ଘର ଭିତରେ ପଙ୍ଖା ତଳେ ଶୁଖିଥିବା ହାଣ୍ଡିଗୁଡିକ ବେଶୀ ମଜଭୂତ ଥିଲା.ଶଗଡିରେ ହାଣ୍ଡିସବୁକୁ ଲଦି ରାତିର ଅନ୍ଧାର ନକଟୁଣୁ ନବଘନ କାଳିଆ କସରା ଦୁଇ ବଳଦ ଶଗଡ଼ରେ ଜୋଚି ଚାଲିଲା ଅଁଳାନବମୀ ଦର୍ଶନକୁ. କିଏ କହିଲା ଆଉ ଶୁଭୁନି ମାଗୁଣୀ ଶାଗଡିଆର ଗୀତ! ବରଂ ସେହି ମାଗୁଣିର ଶଗଡ଼ ପରି ନବଘନର ଶଗଡ଼ ଛୁଟୁଥିଲା ସାକ୍ଷୀଗୋପୀନାଥ ମନ୍ଦିର ପାର୍ଶ୍ୱବର୍ତ୍ତୀ ସିଦ୍ଧବକୁଳପୀଠକୁ ଆଉ କଣ୍ଠରେ ଥିଲା ସେଇ ପୁରାତନ ସ୍ୱର ଲୟ ଓ ତାଳରେ ରାମ ଯେ ଲଇକ୍ଷଣ… ଗୀତର ଧୁନ.ଖୁବ ବିକ୍ରିବଟା ହେଲା ହାଣ୍ଡି. ଦୁଇଗୁଣା ଲାଭ ପାଇ ନବଘନ ଭାବିଲା ଟିକେ ଠାକୁରାଣୀ ମାଆ ରାଧାଙ୍କ ଓଡ଼ିଆଣୀ ବେଶ ଦେଖି ପାଦ ସ୍ପର୍ଶ କରିବାକୁ ତ ବଳଦ ଦୁହିଁଙ୍କୁ ଖାଇବାକୁ ଦେଇ ଚାଲିଲା ମନ୍ଦିର ଆଡ଼େ. ବାଟରେ ସତ୍ୟବାଦୀ ହାଇସ୍କୁଲର ବଡ଼ଗୁରୁମାଙ୍କୁ ଦେଖି ଠପ କରି ଠିଆ ହେଲା ନବଘନ. କେମିତି ଅଛ ନବଘନ? ଆପଣଙ୍କ ଆଶୀର୍ବାଦରୁ ଖୁବ ଭଲରେ ଅଛି କହି ସାଷ୍ଟାଙ୍ଗ ଗୋଡ଼ ତଳେ ପଡିଗଲା ନବଘନ. ଆରେ ଏ ଗହଳିରେ ମୋ ଗୋଡ଼ ଛାଡ଼, ଗାଡି ମଟର ଲୋକ ଯିବା ଆସିବା କରୁଛନ୍ତି ଉଠ ଉଠ. କେମିତି ଅଛ କଣ କରୁଛ କୁହ ସବୁ ତୁମ କଥା.
ନବଘନର ମନେ ପଡୁଥିଲା ତାର ଭଲ ପାଠ ହୁଏନି ବୋଲି ସବୁ ସାର ଗୁରୁମା ମାନେ ତା ଉପରେ ବିରକ୍ତ ହୁଅନ୍ତି. ପରୀକ୍ଷା ଖାତା ଦେଖେଇଲା ବେଳେ ବିଷୟ ଭିତ୍ତିକ ସାର ଗୁରୁମା ମାନେ ତା ନମ୍ବର ଦେଖି ଖାଲି କ୍ଷୁବ୍ଧ ହୁଅନ୍ତି ନାହିଁ ବରଂ ତୁ ଜୀବନରେ କିଛି କରିପାରିବୁ ନାହିଁ କହନ୍ତି. ସେଥର ସେମିତି ଗାଳି ଶୁଣି ସେ କାନ୍ଦୁଥିଲା ଖେଳ ପଡିଆର ଗୋଟେ କଣକୁ ବସିରହି ତ ବଡ଼ଗୁରୁମା ଆସି ତା ପିଠି ଥାପୁଡ଼େଇ କହିଥିଲେ ତୁ ଦିନେ ବଡ଼ ମଣିଷ ହେବୁ ନବଘନ କାହିଁକି କାନ୍ଦୁଛୁ ଉଠ ଉଠ ଆ ମୋ ସହ ଜଳଖିଆ ଖାଇବୁ. ନବଘନ କହିଥିଲା ନାହିଁ ଗୁରୁମା ମୋର ପାଠ ହେଉନି କି ଭଲ ନମ୍ବର ରହୁନି. ମୁଁ ଗୋଟେ ଗଧ. ମତେ ଖାଇବାକୁ ମିଳିବନି. ଗୁରୁମା ଲୁହ ପୋଛିଦେଇ କହିଥିଲେ ଆରେ ପାଠ ମନେରହୁନି ମାନେ କଣ ତୋ ପାଖରେ କିଛି ଗୁଣ ନାହିଁ ତୁ ପରା ମାଟିରୁ ଯେଉଁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ମୂର୍ତ୍ତି ଗଢିଥିଲୁ ତାହା ଆଜିଯାଏଁ ମୋ ଅଫିସ କାଚ ଆଲମିରାରେ ଶୋଭା ପାଉଛି.ତୁ ଗଢ଼ିଥିବା ମାଠିଆ ଓ ସୁରେଇ ପାଣି piତୁ ନିଶ୍ଚୟ ଦିନେ ବଡ଼ମଣିଷ ହେବୁ. ସେଇକଥା ମନେ ପକାଇ ନବଘନ କହୁଥିଲା ମୁଁ ଅମଣିଷ ହୋଇଯାଇଛି ବଡ଼ଗୁରୁମା. ତାକୁ ଦୁଇ ବାହୁରେ ତୋଳି ଧରି ଗୁରୁମା କହିଲେ କିଏ କହିଲା ତୁମେ ଅମଣିଷ!ତୁମ ହାତ ଯୋଗୁଁ ଆଜି କିଏ କେତେ ଉପକୃତ.ଏଇ ଯେମିତି ତୁମ ହାତ ଗଢ଼ା ହାଣ୍ଡିରେ ଆଜି ଶହ ଶହ ଲୋକ ପ୍ରସାଦ ସେବନ କରୁଛନ୍ତି. ତୁମ ପାଇଁ ଅଛି ଆମ ପୁରୁଣା ସଂସ୍କୃତି ଶଗଡ଼ ଓ ଶଗଡ଼ିଆ ଭାଇ ଗୀତ ରହିଛି.ପୁଣି ତୁମ ହାତ ଗଢ଼ା କୁଡୁଆସବୁରେ ଜଗନ୍ନାଥଙ୍କ ଅଭଡ଼ା, ଡାଲି, ବେସର ମହମହ ବାସୁଛି.ତା ଛଡା ଗାଈବଳଦଙ୍କ ଯତ୍ନ ନେଇ ତୁମେ ଗୋଟେ ମାଟି ମାଆର ରତ୍ନ ହୋଇଛ ଆଜି. ପୁଣି ନିଜ ବୃଦ୍ଧ ବାପା ମାଆଙ୍କ ଯତ୍ନ ନେଇ ତମେ ଆଜି ଗୋଟେ ଉଦାହରଣ ନବଘନ. ନବଘନ ଦୁଇହାତରେ ବଡ଼ ଗୁରୁମାଙ୍କ ପାଦ ଜାବୁଡି ଧରି କାନ୍ଦୁଥିଲା ତ ଗୁରୁମା କହିଲେ ଉଠ ନବଘନ, ଫାଙ୍କା ଅଛି ଭିଡ଼ ଓ ଗହଳି.ଦେଖିଆସ ମାଆ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ସାଙ୍ଗକୁ ଛୁଇଁ ଆସ ପାଦଦ୍ବୟ. ନବଘନ କହୁଥିଲା ଆଉ ଦରକାର ନାହିଁ ଭିତରକୁ ଯିବା ବାହାରେ ତାଙ୍କ ଦର୍ଶନ ମିଳିଯାଇଛି ମତେ. ଗୁରୁମା ହସି ହସି କହୁଥିଲେ କିଛି ବି ବଦଳିନ ନବଘନ. ଯେମିତି ଥିଲ ସେମିତି ଅଛ ଓଡ଼ିଆ ପୁଅଟିଏ ହୋଇ.ବର୍ଷା ହେଉଥିଲା ବାହାରେ ତ ନବଘନ ଉଠିଲା.ଗୁରୁମା ଛତା ଟାଣି ଫେରିଯିବା ପୂର୍ବରୁ ଦେଖୁଥିଲେ ପଖିଆ ଟାଣି ନବଘନର ଫେରିଯାଉଥିବା ଶଗଡି ଦୃଶ୍ୟ ସହ ଶୁଣୁଥିଲେ କାଳିଆ ଓ କସରାଙ୍କ ଘଣ୍ଟି ଶବ୍ଦ ବହୁତଦିନ ପରେ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ