ମାଟୁଙ୍ଗି ଗ୍ରାମର ୧୦ ପରିବାର କରୋନା କୋପର ପ୍ରଭାବ କ’ଣ ଜାଣି ନାହାନ୍ତି 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇଁ ୮ମାସ ହେଲା ବିଶ୍ବବ୍ୟାପୀ ଚାଲିଛି ଲମ୍ବା ଲଢେଇ। ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, କଣ୍ଟେନ୍‌ମେଣ୍ଟ ଜୋନ୍‌ ପ​‌​‌ରେ ଅନ୍‌ଲକ୍‌ର ୫ମ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି ନଭେମ୍ବର ପହିଲାରୁ। ପ୍ରଧାନମନ୍ତ୍ରୀଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଜନତାଙ୍କୁ କରୋନାଠୁ ସୁରକ୍ଷିତ ରହିବା ଲାଗି ଦେଉଛନ୍ତି ମଙ୍ଗଳ ମନ୍ତ୍ର। ବିଭିନ୍ନ ଗଣମାଧ୍ୟମଠାରୁ ପୁଲିସ ପ୍ରଶାସନ ପର୍ଯ୍ୟନ୍ତ ତୁହାକୁ ତୁହା ଚାଲିଛି ଜନସଚେନତା ଓ ଜନଜାଗରଣ କାର୍ଯ୍ୟକ୍ରମ। ଜିଲା ଠାରୁ ବ୍ଳକ ଓ ଗାଁ ପର୍ଯ୍ୟନ୍ତ ସବୁଠି କରୋନା ସଚେତନତା ପାଇଁ ପ୍ରଶାସନକୁ ତର ନାହିଁ; କିନ୍ତୁ କନ୍ଧମାଳ ଜିଲାର ଏଭଳି ଏକ ଗାଁ ଅଛିି ଯେଉଁଠିକୁ ମହାମାରୀ କରୋନାର କୋପ ପଡିନି। ଏହି ମୁଲକରେ ଆଜି ପର୍ଯ୍ୟନ୍ତ ପହଞ୍ଚିପାରିନି କରୋନା। ସମଗ୍ର ବିଶ୍ବ କରୋନା କବଳିତ ହୋଇ ତ୍ରାହି ତ୍ରାହି ଡାକିବା ସହ ଟିକାକୁ ଚାତକ ଭଳି ପ୍ରତୀକ୍ଷା କରିଛନ୍ତି; ଅଥଚ କନ୍ଧମାଳ ଜିଲାର ଏହି ଗ୍ରାମବାସୀ କରୋନା କ’ଣ ସେ ସମ୍ପର୍କରେ ଆଦୌ କିଛି ଜାଣି ନ ଥିବା ନଜରକୁ ଆସିଛି। ସେଭଳି ଏକ ଗାଁ ହେଉଛି କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଅରାପାଜୁ ପଞ୍ଚାୟତର ମାଟୁଙ୍ଗି। ଅରାପାଜୁ ପଞ୍ଚାୟତଠାରୁ ମାତ୍ର ୬ କିମି ଦୂରରେ ରହିଛି ମାଟୁଙ୍ଗି ଗ୍ରାମ। ମୋଟ ୬ କିଲୋମିଟର ରାସ୍ତା ମଧ୍ୟରୁ ୩ କିଲୋମିଟର ଅତ୍ୟନ୍ତ କଦର୍ଯ୍ୟ ଏବଂ ବିପଦସଂକୁଳ। ଏହି ଗ୍ରାମରେ ରହିଛନ୍ତି ମାତ୍ର ୧୦ ପରିବାର। ଆଜି ପର୍ଯ୍ୟନ୍ତ ଏହି ଗ୍ରାମବାସୀ ସରକାରୀ ଯୋଜନା ଏବଂ ବିକାଶ କ’ଣ ଜାଣି ନାହାଁନ୍ତି। ନା ପ୍ରଶାସନିକ ଅଧିକାରୀ ନା ନିର୍ବାଚିତ ଜନପ୍ରତିନିଧି କାହାରି ହେଲେ ଏହି ଗ୍ରାମରେ ପାଦ ପଡିନି। ଜୀବନ ଜୀବିକା ପାଇଁ ୧୦ ପରିବାରର ସଦସ୍ୟ ସବୁଦିନିଆ ଜଙ୍ଗଲିଆ ଓ ପଥୁରିଆ ରାସ୍ତାରେ ଯାତାୟାତ କରିଥାନ୍ତି। ଦୀର୍ଘବର୍ଷ ପୂର୍ବେ ଗ୍ରାମରେ ଏକ ନଳକୂପ ଖୋଳା ଯାଇଥିଲା; କିନ୍ତୁ ସେଥିରୁ ପାଣି ବାହାରୁନି। ସବୁ ପରିବାର ମୁଖ୍ୟ ଚାଷ ଏବଂ ଜଙ୍ଗଲୀ ଫଳମୂଳ ସଂଗ୍ରହ କରି ଚଳନ୍ତି। ଅତି ଜରୁରୀ ନ ହେଲେ ଲୋକେ ବାହାରକୁ ଗୋଡ଼ କାଢନ୍ତିନି। କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ପ୍ରତିଟି ଗାଁରେ କରୋନା ସଚେତନତା କରାଯାଇଥିଲେ ହେଁ ଏହି ଗ୍ରାମକୁ ଜଣେ ବି ଯାଇ ସଚେତନତାର ବାର୍ତ୍ତା ପ୍ରଚାର କରିନାହାଁନ୍ତି। ନା’ ଏଠି କିଏ ସଚେନତା କରାଇଛି; ନା କାହାର ନମୁନା ପରୀକ୍ଷା କରାଯାଇଛି। ବିସ୍ମୟର କଥା ଗ୍ରାମର ଜଣେ ବି କରୋନା ଆକ୍ରାନ୍ତ ହୋଇନାହାଁନ୍ତି। ଇତିମଧ୍ୟରେ କାହାକୁ ସାମାନ୍ୟ ଜ୍ବର ମଧ୍ୟ ହୋଇନି। ମୂଳରୁ କରୋନା କ’ଣ ଜାଣି ନ ଥିବା ଏବଂ ବାହାରକୁ ଜରୁରୀ ନ ହେଲେ ଗୋଡ଼ କାଢୁ ନ ଥିବାରୁ ଲୋକେ ଏହି ଭୟାବହ ରୋଗ ସମ୍ପର୍କରେ ଏବେ ବି ଅଜ୍ଞ ଅଛନ୍ତି। ସାମାନ୍ୟ ବର୍ଷା ହେଲେ ଗ୍ରାମବାସୀ ଆଦୌ ପଦାକୁ ବାହାରନ୍ତିନି। ନିର୍ବାଚନ ସମୟରେ ଭୋଟ ପାଇଁ ଗ୍ରାମକୁ ନେତାଙ୍କ ଲମ୍ବାଧାଡି ଲାଗେ ଓ ଗାଁ କୋଳାହଳ ହୁଏ ବୋଲି କହିଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି ଲୋକସଂଖ୍ୟା କମ୍ ଥିବା ଦର୍ଶାଇ ପ୍ରଶାସନ ସାଧାରଣ ମୌଳିକ ସମସ୍ୟା ପୂରଣ କରୁନି। ଜନପ୍ରତିନିଧିଙ୍କର ମଧ୍ୟ ଏଥିନେଇ ଆଗ୍ରହ ରହୁନି। ଚିକିତ୍ସା ପାଇଁ ସେମାନେ ଅରାପାଜୁସ୍ଥିତ ଉପସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି। କରୋନା ସଂକ୍ରମଣରେ ସହରାଞ୍ଚଳରେ କୋକୁଆ ଭୟ ସ୍ଥିତି ଉପୁଜିଥିବାବେଳେ ଅନ୍ଧାରୀ ମୁଲକର ଏହି ‘ମାଟୁଙ୍ଗି’ କିନ୍ତୁ ପୂରା ସ୍ବାଭାବିକ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ