ମାଟୋଆ ସଂଘ ଧାରଣା ପରେ ଜୁରୁଡି ସଂଘ ଧାରଣାରେ
ଯୋଡ଼ା,(ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ଜୋରିବାହାଲ ଲୌହ ଖଣିରେ ବ୍ୟାପକ ଖଣିଜ ପରିବହନରେ ବାହାର ଟ୍ରକକୁ ନିୟୋଜିତ କରିବାରୁ ଅଞ୍ଚଳରେ ଆନ୍ଦୋଳନାତ୍ମକ ପରିସ୍ଥିତି ସୃଷ୍ଟି ହେଲାଣି । ୭ ଦିନ ଧରି ଯୋଡା ମାଇନିଂ ଏରିଆ ଟ୍ରକ ମାଲିକ ସଂଘ (ମାଟୋଆ) ଧାରଣାରତ ଥିବା ବେଳେ ରବିବାର ଦିନ ଠାରୁ ଜୁରୁଡି ଟ୍ରକ ଆସୋସିଏସନ (ଜେଟିଏ) ଧାରଣା ଆରମ୍ଭ କରିଛି । ଜେଟିଏ ପକ୍ଷରୁ ଦିଆଯାଇଥିବା ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ କାସଭି ଇଣ୍ଟରନେସନାଲ ଜୋରିବାହାଲ ଲୌହଖଣି ସ୍ଥାନୀୟ ଟ୍ରକକୁ କାମନଦେବା ଓ ପରିବହନ ମୂଲ୍ୟ ମନଇଚ୍ଛା ଦେବାରୁ ଏହାର ପ୍ରତିବାଦ କରି ଜୁରୁଡି ଟ୍ରକ ଆସୋସିଏସନ ଜରିବାହାଲ ଠାରେ ଧାରଣା ଦେଇଛି । ଏସମ୍ପର୍କରେ କାସଭି ଖଣିକୁ ଚିଠି ଦେଇ ଦାବି ସମ୍ପର୍କରେ ଜଣାଇଦେଇଛି । ଜୁରୁଡି ଟ୍ରକ ଆସୋସିଏସନର ସମ୍ପାଦକ ମହେନ୍ଦ୍ର ମହାନ୍ତି ଓ ବରିଷ୍ଠ ସଦସ୍ୟ ପ୍ରଭୁରଞ୍ଜନ ଶତପଥୀ କହିଛନ୍ତି ଯେ ମନମୁଖୀ କାର୍ଯ୍ୟକୁ ବନ୍ଦ ନକଲା ପର୍ଯ୍ୟନ୍ତ ଏବଂ ବାହାର ଅଞ୍ଚଳର ଗାଡିର ପରିବହନକୁ ବନ୍ଦ ନକଲା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ । ଯୋଡା,ଜୁରୁଡି ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ହଜାର ହଜାର ଟ୍ରକ ମାଲିକ ଖଣି କମ୍ପାନୀର ଏହି ମନମୁଖୀ କାର୍ଯ୍ୟ ପାଇଁ ଋଣଗ୍ରସ୍ତ ହୋଇ କ୍ଷତି ସହୁଛନ୍ତି ବୋଲି ସମ୍ପାଦକ ମହାନ୍ତି ପ୍ରକାଶ କରିଛନ୍ତି । ତେଣେ ପ୍ରଶାସନର ଦୁଇଗୋଟି ସମସାମହିକ ଧାରଣା ମୁଣ୍ଡବଥାର କାରଣ ପାଲଟିଛି । କିଛି ଟ୍ରକ ମାଲିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଗ୍ରେଡ ହେରଫେର କରି ଖଣିଜ ପରିବହନ ହେବାର ସମ୍ଭାବନା ଥିବାରୁ ସ୍ଥାନୀୟ ଟ୍ରକ ଗୁଡିକୁ ଖଣି କର୍ତ୍ତୃପକ୍ଷ ନିୟୋଜିତ କରୁନାହିଁ । ଏନେଇ କାସଭି ଖଣିର ବରିଷ୍ଠ ଅଧିକାରୀ ଖଣିରେ କୌଣସି ଅନିୟମିତତା ନଥିବା କଥା କହି ପ୍ରକାଶ କରିଛନ୍ତି ଯେ ଦିନେ ଦୁଇଦିନ ମଧ୍ୟରେ ଦୁଇଟି ସଂଘ ସହ ଆଲୋଚନା କରାଯାଇ ଏହାର ସମାଧାନ କରାଯିବ । ସ୍ଥାନୀୟ ଟ୍ରକ ମାଲିକଙ୍କୁ ଉପେକ୍ଷା କରାନଯାଇ ସେମାନଙ୍କ ସମସ୍ତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ।


