ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷା ସ୍ଥଗିତ : ପରୀକ୍ଷା ନଦେଇ ଉତୀର୍ଣ୍ଣ ହେବେ ନବମ ଓ ଏକାଦଶ ଛାତ୍ରଛାତ୍ରୀ
ଭୁବନେଶ୍ୱର,(ୱାଇଏନ୍ଏସ୍): ରାଜ୍ୟର ସମସ୍ତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ବର୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ନିରାପତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମଇ ୧୮ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କୋଭିଡ-୧୯ ପରିସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସଂପର୍କରେ ନିଷ୍ପତି ଗ୍ରହଣ କରାଯିବ । ଜୁନ୍ ୨୦୨୧ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା କରାଯିବା ସଂପର୍କରେ ସମୀକ୍ଷା କରିବେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ସମୟ ଦିଆଯାଇ ପରୀକ୍ଷା କରାଯିବା ପାଇଁ ପରବର୍ତୀ ନିଷ୍ପତି ନିଆଯିବ । ସେହିପରି ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ୩ ମଇ ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତୀ ଦଶମ ଶ୍ରେଣୀ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ମହାମାରୀ ସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସମ୍ବନ୍ଧୀୟ ନିଷ୍ପତି ନିଆଯିବ । ୨୦୨୦-୨୧ ଶିକ୍ଷାବର୍ଷରେ ନବମ ଓ ଏକାଦଶ ଶ୍ରେଣୀରେ ପାଠ ପଢୁଥିବା ସବୁ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀକୁ ଉତୀର୍ଣ୍ଣ କରାଯିବ । ଏଥିପାଇଁ ସେମାନଙ୍କୁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ । ବର୍ତମାନ ୨୦୨୦-୨୧ ଶିକ୍ଷାବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ ଆସନ୍ତା ଏପ୍ରିଲ୧୯ ତାରିଖ ଠାରୁ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ସ୍କୁଲରେ କୌଣସି ପ୍ରକାର ଶୈକ୍ଷିକ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ । ଏହି ନିଷ୍ପତି ଓଡିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସହ ସହବନ୍ଧିତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ତଥା ଘରୋଇ ବିଦ୍ୟାଳୟ କ୍ଷେତ୍ରରେ ଲାଗୁ ହେବ । ସେହିପରି ସିବିଏସଇ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ସହ ସହବନ୍ଧିତ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିମନ୍ତେ ୧୪ ଏପ୍ରିଲରୁ ସିବିଏସଇ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ । ଆସନ୍ତା ୧୯ ତାରିଖ ଠାରୁ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ସ୍କୁଲ ଓ ସେମାନଙ୍କ ଦ୍ୱାରା ପରିଚାଳିତ ହଷ୍ଟେଲ ଗୁଡିକ ମଧ୍ୟ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।