ମାଟ୍ରିକ ପରୀକ୍ଷାରେ ୨୭୪ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକର ବିଭିନ୍ନ ପରୀକ୍ଷାକେନ୍ଦ୍ରରେ ୨୭୪ଜଣ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ପରୀକ୍ଷା ନଦେବା ନେଇ ଚର୍ଚ୍ଚା ଯୋର ଧରିଛି । ଏତେ ସଂଖ୍ୟକ ଛାତ୍ରଛାତ୍ରୀ କାହିଁକି ପରୀକ୍ଷା ଦେଲେନି ନା ସେମାନଙ୍କ ନାମକୁ ମିତ୍ୟାରେ ପଞ୍ଜିକୃତ କରାଯାଇଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ଲକର ୧୫ଟି ପରୀକ୍ଷାକେନ୍ଦ୍ରରେ ୨୩୨୪ଜଣ ମାଟ୍ରିକ ପରୀକ୍ଷାର୍ଥୀ ଓ ୬୬ଜଣ ମଧ୍ୟମା ପରୀକ୍ଷାର୍ଥୀ ଓ ଅନ୍ୟ ୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ନାମପଞ୍ଜିକୃତ କରିବା ସହିତ ସେମାନଙ୍କ ନାମରେ ଆଡମିଟ କାର୍ଡ ମଧ୍ୟ ଆସିଥିଲା । କିନ୍ତୁ ତନ୍ମଧ୍ୟରୁ ୨୫୮ଜଣ ମାଟ୍ରିକ ଛାତ୍ରଛାତ୍ରୀ ଓ ୧୬ଜଣ ମଧ୍ୟମା ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନାହାନ୍ତି । ବି.ପି. ହାଇସ୍କୁଲ ବାଙ୍ଗୋର ପରୀକ୍ଷାକେନ୍ଦ୍ରରେ ୪୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନଥିବା ଜଣାଯାଇଛି । ଏଠାରେ ୧୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ମାତ୍ର ୧୩୨ଜଣ ପରୀକ୍ଷା ଦେଇଛନ୍ତି । ଏହି କେନ୍ଦ୍ରରେ ପରୀକ୍ଷାଦେବାକୁ ଥିବା ନୁଆ ବାଲିପାଳ ସ୍କୁଲର ୩୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜିକୃତ କରିଥିବାବେଳେ ମାତ୍ର ୧୦ଜଣ ପିଲା ପରୀକ୍ଷା ଦେଇଥିଲେ । ଏହାର କାରଣ କଣ, ସ୍କୁଲ ବଞ୍ଚାଇବା ପାଇଁ ୩୦ଜଣ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକୃତ କରାଯାଇଥିଲା ନା ଅନ୍ୟ କଣ ପାଇଁ । ସେହିପରି ଷଡଙ୍ଗ ଆର.ବି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୯୯ଜଣ ପରୀକ୍ଷା ଦେବାକୁ ଥିବାବେଳେ ୨୯ଜଣ ଅନୁପସ୍ଥିତ ରହିଥିଲେ । ତନ୍ମଧ୍ୟରୁ କେବଳ ଆଇତିପୁର ହାଇସ୍କୁଲର ୧୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନଥିଲେ । ଏଠାରେ ୩୩ଜଣ ପରୀକ୍ଷା ଦେବାକୁ ଥିବାବେଳେ ମାତ୍ର ୧୭ଜଣ ପରୀକ୍ଷା ଦେଇଛନ୍ତି । ସେହିପରି ଡଅଁର ଟିଏମ ଏକାଡେମୀ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୨୫ଜଣ, ଢ଼େଙ୍କା ହାଇସ୍କୁଲରେ ୨୭ଜଣ ପରୀକ୍ଷା ଦେଇ ନଥିବାବେଳେ ୧୬ଜଣ ଛାତ୍ରଛାତ୍ରୀ ମଧ୍ୟମା ପରୀକ୍ଷା ଦେଇ ନଥିବା ଜଣାଯାଇଛି । ଏ ସମ୍ପର୍କରେ ଆଇତିପୁର ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରେ ସେ କହିଛନ୍ତି ଯେ କରୋନା ସମୟରେ ସ୍କୁଲ ବନ୍ଦ ହେବା କାରଣରୁ ଅନେକ ଛାତ୍ର ବାହାରକୁ ଦାଦନ ଖଟିବାକୁ ପଳାଇଛନ୍ତି । ତେଣୁ ସେମାନେ ଆଉ ସ୍କୁଲ ଆସି ନାହାନ୍ତି । କିନ୍ତୁ ଯଦି ସେମାନେ ସ୍କୁଲ ଆସୁ ନଥିଲେ ତେବେ ତାଙ୍କର ଫର୍ମ ପୁରଣ କଲା କିଏ । ସେହିପରି ନୁଆ ବାଲିପାଳରେ ମଧ୍ୟ ସମାନ ଅବସ୍ଥା । ଏହା ଏକ ଆଦିବାସୀ ଅଞ୍ଚଳ ହୋଇଥିବାରୁ ଅନେକ ଛାତ୍ରଛାତ୍ରୀ ବାହାରକୁ କାମ କରିବାକୁ ପଳାଇଥିବା ଜଣେ ଶିକ୍ଷକ କହିଛନ୍ତି ।


