ମାଣିକେଶ୍ବରୀ ନାଳରୁ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର
ରା.ଉଦୟଗିରି, (ଦେବାଶିଷ କାର୍ଜି):ଗଜପତି ଜିଲ୍ଲା ରା.ଉଦୟଗିରି ମୁଖ୍ୟ ବଜାର ପରିସରରେ ଥିବା ମାଣିକେଶ୍ବରୀ ମନ୍ଦିର ପଛ ପଟ ଦେଇ ବୋହି ଯାଉଥିବା ନାଳରୁ ଏକ ମୃତ ଶରୀରକୁ ଉଦ୍ଧାର କରିଛି ରା.ଉଦୟଗିରି ପୋଲିସ l ଆଜି ସକାଳ ସମୟରେ ସହରର କିଛି ଲୋକ ଉକ୍ତ ମାଣିକେଶ୍ବରୀ ନାଳକୁ ଗାଧେଇବା ଲାଗି ଯିବା ସମୟରେ ସେହି ନାଳର ପାଣିରେ ଭାସିରହିଥିବା ଏକ ଯୁବକର ମୃତ ଶରୀର ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ରା.ଉଦୟଗିରି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନାଳରେ ଭାସୁଥିବା ମୃତ ଶରୀରକୁ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଉଦ୍ଧାର କରିଥିଲେ l ପୋଲିସ ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଛାନ ଭିନ କରିବା ସହ ଶବକୁ ବ୍ୟବଛେଦ କରିବା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିକୁ ପଠାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l ଖବର ଲେଖିବା ସୁଦ୍ଧା ମୃତ ବ୍ୟକ୍ତିର ପରିଚୟ ମିଳିନଥିବା ବେଳେ କେଉଁ କାରଣ ଯୋଗୁଁ ମୃତ ବ୍ୟକ୍ତି ଜଣଙ୍କ ମାଣିକେଶ୍ବରୀ ନାଳକୁ ଯାଇଥିଲା ତାକୁ ନେଇ ଏବେ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି l