ମାଣିତରାରେ ଆତ୍ମ ସୁରକ୍ଷା ତାଲିମ୍ ଉଦ୍ଯାପିତ
ବୁଗୁଡ଼ା (ଜୁଗାବ୍ଦ ନ୍ୟୁଜ୍): ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ମାଣିତରା ବିଜ୍ଞାନ ଜୁନିୟର କଲେଜରେୂ ୧୨ ଦିନ ଧରି ଚାଲିଥିବା ପ୍ଲସ ୨ ପ୍ରଥମ ବର୍ଷର ଛାତ୍ରୀଙ୍କ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ବୁଧବାର ଉଦ୍ଯାପିତ ହୋଇଯାଇଛି । ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରକୁ ଅଧ୍ୟାପିକା ସୁଚିତ୍ରା ପଣ୍ଡା ପରିଚାଳନା କରିଥିଲେ । ମାଷ୍ଟର ଟ୍ରେନର ଭାବେ ଦିବ୍ୟାନୀ ସାହୁ,ପୂଜାରାଣୀ ପ୍ରଧାନ, ରଚନା ପ୍ରଧାନ ଓ ଚାନ୍ଦିନୀ ସାହୁ ଯୋଗ ଦେଇ ସମସ୍ତ ଛାତ୍ରୀଙ୍କୁ ଆତ୍ମରକ୍ଷା ପାଇଁ ବିଭିନ୍ନ କୌଶଳ ସମ୍ପର୍କରେ ତାଲିମ୍ ପ୍ରଦାନ କରିଥିଲେ । ଉଦ୍ଯାପନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ବୁଗୁଡ଼ା ଥାନା ସବ୍ଇନ୍ସିପେକ୍ଟର ତନୁଶ୍ରୀ ସାହୁ ମୁଖ୍ୟ ଅତିଥି, ଶିକ୍ଷାବିତ ଅନୀଲ କୁମାର ମହାରଣା ମୁଖ୍ୟବକ୍ତା ଏବଂ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ଅଧ୍ୟାପକ ଶଙ୍କର ଆଶିଷ ପାତ୍ର, ଅଧ୍ୟାପକ ସନ୍ତୋଷ କୁମାର ଗୌଡ଼, ଅଧ୍ୟାପକ ମନୋରଞ୍ଜନ ମୁଦୁଲି ଓ ଅଧ୍ୟାପକ କାହ୍ନୁଚରଣ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶିବିରରେ ୧୨୦ ଛାତ୍ରୀ ଭାଗ ନେଇ ଆତ୍ମ ସୁରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ । ଛାତ୍ରୀଙ୍କ ଆତ୍ମ ସୁରକ୍ଷା କୌଶଳକୁ ମୁଖ୍ୟ ଅତିଥି ପ୍ରଶଂସା କରିଥିବାବେଳେ ଚରିତ୍ରବାନ୍ ହେବାପାଇଁ ଉପଦେଶ ଦେଇଥିଲେ । ଦେଶରେ ବର୍ତ୍ତମାନ ମହିଳାଙ୍କ ପ୍ରତି ଦୁଷ୍କର୍ମ ବୃଦ୍ଧି ପାଉଥିବାବେଳେ ଛାତ୍ରୀ ଗ୍ରହଣ କରିଥିବା ତାଲିମ ନିଶ୍ଚିତ ଭାବେ ଉପକାରରେ ଆସିବ ବୋଲି ଆଶା ପ୍ରକାଶ କରିଥିଲେ । ଶେଷରେ ସମସ୍ତ ତାଲିମପ୍ରାପ୍ତ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।