ମାଣିତରା ଓ କରଚୁଲି ଅଞ୍ଚଳରେ ହାତୀ ପଲ,ହୁକିଙ୍ଗ ପାଇଁ ବିଦ୍ୟୁତ ବିଭାଗ ସଜାଗ ରହୁ

ବୁଗୁଡା, (ଅନିଲ କୁମାର ମହାରଣା):ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳରେ ହାତୀ ପଲ ପ୍ରବେଶ କରିଥିବା ଯୋଗୁଁ ବନବିଭାଗ ହାତୀ ଘଉଡାଇବା କାର୍ଯ୍ୟ ଆରମ୍ଭ କରିଦେଇଥିବା ବେଳେ ବିଦ୍ୟୁତ ବିଭାଗ ହୁକିଙ୍ଗ ଫାଶ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ଗତକାଲି ନୟାଗଡ଼ ଜିଲ୍ଲାରୁ ୧୬ ଦଳିଆ ହାତୀ ପଲ ବୁଗୁଡା ବନାଞ୍ଚଳରେ ପ୍ରବେଶ କରିଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀ ପଲକୁ ଘଉଡ଼ାଇ ଚାଷୀ ମାନଙ୍କ ଫସଲ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ପ୍ରକାଶ କରିଛନ୍ତି। ବନ ବିଭାଗର ଚେଷ୍ଟା ଦ୍ୱାରା ୬ ଟି ହାତୀ ନୟାଗଡ଼ ଜିଲ୍ଲାକୁ ପୁଣି ଫେରିଥିବା ବେଳେ ମାଣିତରା ସେକସନ ସେନାପତି ପୀଠ ଅଞ୍ଚଳରେ ୫ ଟି ହାତୀ ଓ କରଚୁଲି ଅଞ୍ଚଳରେ ୫ ଟି ହାତୀ ରହିଛନ୍ତି। ଦୁଇ ଦଳରେ ଥିବା ୧୦ ଗୋଟି ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ବିଦ୍ୟୁତ ବିଭାଗ ମଧ୍ୟ ଏଥିପ୍ରତି ସଜାଗ ରହି ହୁକିଙ୍ଗ କରି ଫାଶ ପକାଇବାକୁ ରୋକିବା ନିହାତି ଜରୁରୀ ହୋଇଛି। ଏଥି ସହ ଯେଉଁ ସ୍ଥାନରେ ବିଦ୍ୟୁତ ତାର ତଳୁଆ ଅଛି ସେଥିପାଇଁ ମଧ୍ୟ ବିଦ୍ୟୁତ ବିଭାଗ ଦୃଷ୍ଟି ଦେବାକୁ ପଡିବ। ବିଗତ ବର୍ଷ ମାନଙ୍କୁ ଅନୁଧ୍ୟାନ କଲେ ଦିଗ ଅଞ୍ଚଳରେ ଏକ ଦନ୍ତା ହାତୀ ବିଦ୍ୟୁତ ତାର ଫାଶରେ ଲାଗି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ହାତୀଙ୍କ ସୁରକ୍ଷା ଓ ଚାଷୀଙ୍କ ଫସଲ ସୁରକ୍ଷା ପ୍ରତି ପଦକ୍ଷେପ ପାଇଁ ବନ ବିଭାଗ ଓ ବିଦ୍ୟୁତ ବିଭାଗର ଗୁରୁ ଦାୟିତ୍ବ ରହିଛି। ଫସଲ ନଷ୍ଟ ପାଇଁ ବନ ବିଭାଗ ପକ୍ଷରୁ ଚାଷୀଙ୍କୁ କ୍ଷତି ପୂରଣ ଦେବାପାଇଁ ବ୍ୟବସ୍ଥା ଥିବା ବେଳେ ବିଦ୍ୟୁତ ବିଭାଗ ଅବହେଳା କଲେ ବନ୍ୟଜନ୍ତୁଙ୍କ ପ୍ରାଣ ଚାଲିଯିବା ସମ୍ଭାବନା ଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ