ମାଣ୍ଡିଆର ଉପକାରୀ ଗୁଣ

ଓଡିଶାର ଏକ ପ୍ରାଚୀନ ଖାଦ୍ୟ ଭାବେ ମାଣ୍ଡିଆ ବେଶ ଆଦୃତ । ପୁର୍ବରୁ ଆମ ରାଜ୍ୟରେ ଗରିବ ଓ ଆର୍ଥିକ ଅନଗ୍ରସର ଲୋକେ ଏହାକୁ ଖାଦ୍ୟ ଭାବେ ବ୍ୟବହାର କରୁଥିବାବେଳେ ବର୍ତ୍ତମାନ ସମାଜର ବିଭିନ୍ନ ବର୍ଗର ଲୋକେ ଏହାକୁ ପୌଷ୍ଟିକ ଖାଦ୍ୟ ଭାବେ ଗ୍ରହଣ କଲେଣି । ଆସନ୍ତୁ ଜାଣିବା ମାଣ୍ଡିଆର ଉପକାରୀ ଗୁଣ ସମ୍ପର୍କରେ –

ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ: ଆପଣ ଯଦି ନିଜ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ନିଜ ଆହାରରେ ମାଣ୍ଡିଆ ନିଶ୍ଚିତ ଭାବେ ସାମିଲ କରନ୍ତୁ। ମାଣ୍ଡିଆରେ ଟ୍ରିପ୍ଟୋଫ୍ୟାନ୍ ଆମିନୋଏସିଡ ରହିଛି ଯାହା ଭୋକ ନିୟନ୍ତ୍ରଣ କରିଥାଏ। ସେହିପରି ଅନ୍ୟ ଶସ୍ୟ ବା ଚାଉଳ ତୁଳନାରେ ଅଧିକ ପରିମାଣର ଫାଇବର୍ ଥିବାରୁ ବାରମ୍ବାର ଭୋକ ଲାଗେନାହିଁ। ଏହା ସହିତ ମାଣ୍ଡିଆରେ ସ୍ୱାସ୍ଥ୍ୟପ୍ରଦ ଅନ୍ସାଚୁରେଟେଡ୍ ଫ୍ୟାଟ୍ ମଧ୍ୟ ରହିଥିବାରୁ ଏହା ଓଜନ ହ୍ରାସ ପାଇଁ ଏକ ଉତ୍ତମ ଖାଦ୍ୟ ଅଟେ।

ହାଡ ମଜବୁତ କରିଥାଏ: ହାଡକୁ ମଜବୁତ କରିବାରେ କ୍ୟାଲ୍ସିୟମ୍ ଓ ଭିଟାମିନ୍ ଡି ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ମାଣ୍ଡିଆରେ ଉଭୟ କ୍ୟାଲସିୟମ୍ ଓ ଭିଟାମିନ୍ ଡି ଭରପୂର ମାତ୍ରାରେ ରହିଛି। ଏଣୁ ମାଣ୍ଡିଆକୁ ନିଜ ଆହାରରେ ସାମିଲ କରନ୍ତୁ। ଏହା ପିଲାମାନଙ୍କ ହାଡକୁ ମଜବୁତ କରିଥାଏ, ବୟସ୍କଙ୍କ ହାଡର ସୁରକ୍ଷା କରିଥାଏ ଓ ଏହାକୁ କ୍ଷୟ ହେବାଠାରୁ ରୋକିଥାଏ ତଥା ଅଷ୍ଟିଓପରୋସିସ୍ ଭଳି ରୋଗର ଆଶଙ୍କା ମଧ୍ୟ କମ୍ କରିଥାଏ।

ମଧୁମେହ ନିୟନ୍ତ୍ରଣ କରିଥାଏ: ମାଣ୍ଡିଆରେ ଫାଇବର୍ ଓ ପଲିଫେନଲ୍ ପ୍ରଚୁର ମାତ୍ରାରେ ରହିଛି। ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟ ନିମ୍ନ ଅଟେ। ଏଣୁ ନିୟମିତ ମାଣ୍ଡିଆ ଖାଇଲେ ମଧୁମେହ ହେବା ଆଶଙ୍କା କମ୍ ହୋଇଥାଏ। ଏଥିରେ ଅଧିକ ପରିମାଣରେ ଫାଇବର୍ ଥିବାରୁ ଏହା ସହଜରେ ଓ ଅଳ୍ପ ସମୟରେ ହଜମ ହୋଇଯାଏ ଯାହାଦ୍ୱାରା ବ୍ଲଡ୍ ସୁଗାର୍ ସ୍ତର କମ୍ ରହିଥାଏ।

କୋଲେଷ୍ଟେରଲ୍ ହ୍ରାସ କରିଥାଏ: ମାଣ୍ଡିଆରେ ଲେସିଥିନ୍ ଓ ମେଥିଓନିନ୍ ନାମକ ଦୁଇଟି ଆମିନୋଏସିଡ୍ ଥିବା ଯୋଗୁ ଏହି ଶସ୍ୟ ଖାଇଲେ ରକ୍ତରେ କୋଲେଷ୍ଟେରଲ୍ର ମାତ୍ରା କମ୍ ହୋଇଥାଏ। ସେହିପରି ଏଥିରେ ଥିବା ଥ୍ରିଓନାଇନ୍ ଆମିନୋଏସିଡ୍ ଯୋଗୁ ଲିଭର୍ରେ ଫ୍ୟାଟ୍ ଜମିରୁହେ ନାହିଁ।

ନିଦ୍ରାହୀନତା ଦୂର ହୋଇଥାଏ: ମାଣ୍ଡିଆରେ ପ୍ରଚୁର ମାତ୍ରାରେ ବିଭିନ୍ନ ପ୍ରକାରର ଆଣ୍ଟିଅକ୍ସିଡେଣ୍ଟ ରହିଛି। ଏଣୁ ମାଣ୍ଡିଆ ଖାଇଲେ ହାଇପର୍ଟେନ୍ସନ୍, ଅବସାଦ ଓ ମୁଣ୍ଡବ୍ୟଥା ଭଳି ରୋଗ ଦୂର ହୋଇଥାଏ। ନିଦ୍ରାହୀନତା ରୋଗର ଶିକାର ଲୋକାମାନଙ୍କୁ ମଧ୍ୟ ଆରାମ ମିଳିଥାଏ।
ରକ୍ତହୀନତା ଦୂର କରେ: ମାଣ୍ଡିଆରେ ଭର୍ପୂର୍ ମାତ୍ରାରେ ଆଇରନ୍ ଓ ଭିଟାମିନ ସି ରହିଛି। ଭିଟାମିନ୍ ସି ଶରୀରରେ ଆଇରନ୍ ଅବଶୋଷଣ ସ୍ତର ବୃଦ୍ଧି କରିଥାଏ। ଏଣୁ ରକ୍ତହୀନତା ଶିକାର ହୋଇଥିବା ବ୍ୟକ୍ତି ବା ଯାହାର ହେମୋଗ୍ଲୋବିନ୍ ସ୍ତର କମ୍ ସେମାନେ ମାଣ୍ଡିଆ ଖାଇଲେ ସ୍ପାସ୍ଥ୍ୟରେ ଉନ୍ନତି ଦେଖାଯାଇଥାଏ। ତେବେ ମାଣ୍ଡିଆ ଚୂନା ତୁଳନାରେ ଅଙ୍କୁରିତ ମାଣ୍ଡିଆରେ ଭିଟାମିନ ସି ଅଧିକ ପରିମାଣରେ ମହଜୁଦ ଅଛି।

ସୁନ୍ଦର ଚେହେରା ଓ ତ୍ୱଚାର ଚମକ ବଜାୟ ରଖିଥାଏ: ତ୍ୱଚାର କୋମଳତା ବଜାୟ ରଖିବା ସହିତ ଏହା ସବୁବେଳେ ଯୁବସୁଲଭ ଦେଖାଯିବା ପାଇଁ କୋଲାଜେନ ତନ୍ତୁ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଏହି କୋଲାଜେନ୍ ତନ୍ତୁର ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ମେଥିଓନିନ୍ ଓ ଲାଇସିନ୍ ନାମକ ଦୁଇଟି ଆମିନୋଏସିଡ୍ ସହାୟକ ହୋଇଥାନ୍ତି। ଏଣୁ ଯଦି ଆପଣ ନିଜ ଚେହେରାର ଚମକ ବଜାୟ ରଖିବାକୁ ଚାହୁଁଛନ୍ତି ତେବେ ମାଣ୍ଡିଆକୁ ନିଜ ଖାଦ୍ୟରେ ସାମିଲ୍ କରନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ