ମାତାପିତାଙ୍କ ଆଶୀର୍ବାଦ ପିଲାଙ୍କ ରକ୍ଷା କବଚ : ଶ୍ରୁତିସାଗର ସରସ୍ୱତୀ
ଖୋର୍ଦ୍ଧା (ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ବିବେକାନନ୍ଦ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡ୍ଭାନ୍ସଡ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟେକ୍ନୋଲୋଜି ଓ କଲେଜ୍ ଅଫ୍ ବିଜିନେସ୍ ମ୍ୟାନେଜ୍ମେଣ୍ଟ୍ର ମିଳିତ ଆନୁକୁଲ୍ୟରେ ଏକ ଅଭିଭାବକ ସମ୍ମିଳନୀରେ ‘ମାତୃପିତୃ ପୂଜନ ଉତ୍ସବ’ ସହିତ ‘ଆମ ପିଲାଙ୍କ ଭବିଷ୍ୟତ’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠାନ ଚେୟାରମ୍ୟାନ୍ ଶିକ୍ଷାବିତ୍ ଡ଼କ୍ଟର ଧୀରେନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବରେ ଚଣ୍ଡିଖୋଲ ଆଶ୍ରମ ମହନ୍ତ ଶ୍ରୁତି ସାଗର ସରସ୍ୱତୀ ମହାରାଜ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅନୁଷ୍ଠାନ ଅଧ୍ୟକ୍ଷ ଡ଼କ୍ଟର ନନ୍ଦ ଅତିଥି ପରିଚୟ ପ୍ରଦାନ କରିବା ପରେ ଯୋଗବେଦାନ୍ତ ସମିତିର ଜିଲ୍ଲା କୋଷାଧ୍ୟକ୍ଷ ସୁକାନ୍ତ କୁମାର ପ୍ରଧାନଙ୍କର ସହଯୋଗରେ ଛାତ୍ରଛାତ୍ରୀ ଦୀପ, ଧୂପ, ଫୁଲ, ଚନ୍ଦନ, ସିନ୍ଦୁର, ମିଷ୍ଠାନ୍ନ ଧରି ନିଜର ପିତାମାତାଙ୍କ ପୂଜାର୍ଚ୍ଚନା କରିବାପରେ ଶ୍ରୀ ଗଣେଷଙ୍କ ପୃଥିବୀ ପରିକ୍ରମା ପରି ନିଜ ପିତାମାତାଙ୍କ ଚତୁର୍ଦ୍ଦିଗରେ ସାତଥର ପରିକ୍ରମା କରି ଶେଷରେ ସେମାନଙ୍କ ପିତାମାତାଙ୍କର ଆର୍ଶୀବାଦ ନେଇଥିଲେ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ଚେୟାରମ୍ୟାନ୍ ଡ଼କ୍ଟର ନନ୍ଦ କହିଲେ ବିଶ୍ୱ ମାନବ କଲ୍ୟାଣର ଦିବ୍ୟ ଭାବନାକୁ ସଂରକ୍ଷିତ ରଖିଥିବା ଭାରତୀୟ ସଂସ୍କୃତି ଆଜି ମଧ୍ୟ ଆଧ୍ୟାତ୍ମିକତାର ଶୀର୍ଷ ସ୍ଥାନ ଅଧିକାର କରିଥିବାବେଳେ ଆଜିର ଯୁବ ସମାଜ ମହାପୁରୁଷମାନଙ୍କ ସାନ୍ନିଧ୍ୟ ଏବଂ ଆମ ସଂସ୍କୃତିର ଦିବ୍ୟ ଜୀବନକୁ ଅବହେଳା କରି ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ କରି ଚାଲିଛନ୍ତି, ଯାହାଦ୍ୱାରା ସେମାନେ ଅଶାନ୍ତ ତଥା ଦୂରାଚାର ଓ ଏଡ଼୍ସ୍ ଭଳି ରୋଗର ଶିକାର ହେଉଛନ୍ତି । ଭାରତୀୟ ସଂସ୍କୃତିର ଏଭଳି ଅବକ୍ଷୟକୁ ସହ୍ୟ କରିନପାରି ଫେବୃୟାରୀ ୧୪ ‘ଭ୍ୟାଲେଂଟାଇନ୍ ଡେ’ର କୁସଂସ୍କାର ବିସ୍ତାର ନହେବାପାଇଁ ଏହି ଦିନକୁ ‘ମାତୃପିତୃୃ ପୂଜନ ଦିବସ’ ରୂପେ ଦୀର୍ଘ ତେର ବର୍ଷ ଧରି ଆମ ଦେଶରେ ପାଳିତ ହୋଇ ଆସୁଛି । ପିତାମାତା ପିଲାମାନଙ୍କର ଚରିତ୍ର ଗଠନ ପାଇଁ ସେମାନଙ୍କଠାରେ ମାତୃପିତୃ ପୂଜା ସହିତ ଗୁରୁପୂଜା ଓ ମାତୃଭୂମି ପୂଜାର ଭାବନା ନିର୍ମାଣ କରାଇବା ଉଚିତ୍ । ମୁଖ୍ୟ ଅତିଥି ଶ୍ରୁତି ସାଗର ମହାରାଜ କହିଲେ ସାମ୍ପ୍ରତିକ ପରିସ୍ଥିତିରେ ଆମେ ପିଲାମାନଙ୍କୁ ଉପଯୁକ୍ତ ଅନୁଶାସନ ଓ ନୀତି ଶିକ୍ଷା ମାଧ୍ୟମରେ ଗଢିପାରିଲେ ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ । ପିତାମାତାଙ୍କ ଆଶୀର୍ବାଦ ହେଉଛି ପିଲାମାନଙ୍କ ରକ୍ଷା କବଚ । ସମ୍ମାନିତ ଅତିଥି ଭାବରେ ଲୋକତନ୍ତ୍ର ସେନାନୀ ସଂଘର ରାଷ୍ଟ୍ରୀୟ ସଂପାଦକ ସୁବାସ ଚନ୍ଦ୍ର ଗନ୍ତାୟତ, ଯୋଗ ବେଦାନ୍ତ ସମିତିର ସଂପାଦକ ନରହରି ନନ୍ଦ, ଗୀତା ଗବେଷଣା ପରିଷଦର ସଂପାଦକ ଶକ୍ତି ଶଙ୍କର ମିଶ୍ର, ଖୋରଧା ସାହିତ୍ୟ ସଂସଦର ସଭାପତି ଗୋପାଳ କୃଷ୍ଣ ଦାସ, ଶିକ୍ଷାବିତ୍ ଡ଼କ୍ଟର ବୃନ୍ଦାବନ ପଣ୍ଡା ଏବଂ ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଅନେକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ମାନେ ଯୋଗ ଦେଇଥିଲେ । ଶେଷରେ ଯୋଗ ବେଦାନ୍ତ ସମିତିର ଜିଲ୍ଲା ସଭାପତି ଇଂ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଦେଇଥିଲେ ।