ମାତିଛନ୍ତି ସାଇବର ଲୁଟେରା ; ମାଗୁଛନ୍ତି ଟଙ୍କା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ମହାମାରୀ କରୋନା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଦେଇଛି।ଦେଶ ତଥା ରାଜ୍ୟର କୋଣ ଅନୁକୋଣରେ ଏହାର ପ୍ରଭାବରେ ଲୋକଙ୍କ ମଧ୍ୟରେ ଜୀବନ ଜୀବିକା ବିପନ୍ନ ହୋଇ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି।ଏଭଳି ଏକ ଦାରୁଣ ବିପର୍ଯ୍ୟୟ ପରିସ୍ଥିତି ରେ ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କ ସାମାଜିକ ହେଉ କିମ୍ବା ଆର୍ଥିକ ଚାପରେ ବ୍ୟତୀବ୍ରସ୍ଥ ହୋଇ କାଳାତିପାତ କରିବା ପାଇଁ ଜୀବନ ମରଣ ସହ ସଂଘର୍ଷ ରତ।ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଏବେ ସାଇବର ହ୍ୟାକର ମାତି ଉଠି ବିଭିନ୍ନ ବାହାନ ଜରିଆରେ ଲୋକଙ୍କୁ ଟାର୍ଗେଟ କରି ଟଙ୍କା ମାଗୁଥିବା ଘଟଣା ସାମ୍ନାକୁ ଆସିଛି।ଫେସବୁକ ଆଇଡି କୁ ହ୍ୟାକ କରି ୟୁଜରଙ୍କ ଚିହ୍ନା ଜଣା ସାଙ୍ଗ ଓ ପରିଜନଙ୍କୁ ମେସେଜ ଜରିଆରେ ହଜାର ହଜାର ଟଙ୍କା ବିଭିନ୍ନ ପ୍ରକାର ବାହାନା କରି ନିବେଦନ କରିବା ଘଟଣା ଏବେ ଦେଖାଦେଇଛି।ଘଟଣା ପ୍ରକାରେ ବ୍ରହ୍ମପୁର ସହର ଅଶୋକ ନଗରର କୁମାର ସୁରଜ ମହାରଣା ଙ୍କ ଫେସବୁକ ଆକାଉଣ୍ଟରୁ ସ୍ଥାନୀୟ ହିଞ୍ଜିଳିକାଟୁ ସହରର ଜଣେ ସମ୍ପର୍କୀୟଙ୍କ ନିକଟକୁ ମଙ୍ଗଳବାର ଏକ ମେସେଜ ଆସିଥିଲା।ଅଜଣା ବ୍ୟକ୍ତି ଜଣକ ହିନ୍ଦୀ ଭାଷାକୁ ଇଂରାଜୀ ଭାଷାରେ ରୂପାନ୍ତରିତ କରି ସମ୍ବୋଧିତ କରିବା ପରେ କିଛି ସହଯୋଗ ପାଇଁ ଅନୁରୋଧ କରିଥିଲେ। ୨୦ ହଜାର ଟଙ୍କା ଆବଶ୍ୟକ ଅଛି ବୋଲି କହି ସନ୍ଧ୍ୟା ୫ ରେ ଫେରାଇ ଦେବି ବୋଲି ଅଚିହ୍ନା ବ୍ୟକ୍ତି ଜଣକ ମେସେଜ କରିଥିଲା।ସୁରଜଙ୍କ ସମ୍ପର୍କୀୟ ସେଥିରେ ଫେକ ମେସେଜ ବୋଲି ପ୍ରତ୍ୟୁତ୍ତର ଦେବା ପରେ ଆଉ କୌଣସି ମେସେଜ ଆସି ନ ଥିଲା।ଏନେଇ ସମ୍ପର୍କୀୟ ଜଣକ ସଙ୍ଗେ ସଙ୍ଗେ ସୁରଜଙ୍କ ସହ ଯୋଗାଯୋଗ କରିଥିଲେ। ପ୍ରାୟ ୨/୩ ଶହ ସାଙ୍ଗ ପରିଜନ ଏଭଳି ଟଙ୍କା ମାଗିବା ପ୍ରସଙ୍ଗରେ ତାଙ୍କୁ ଅବଗତ କରିଥିବା ସେ କହିଥିଲେ।ସମ୍ଭବତଃ ତାଙ୍କ ଫେସବୁକ ଆଇଡି କୁ କୌଣସି ଦୁର୍ବୃତ୍ତ ହ୍ୟାକ କରି ଏଭଳି କାରନାମା କରୁଥିବା ସେ ନିଜ ପ୍ରତିକ୍ରିୟା ରଖିଥିଲେ।ଘଟଣା ପରେ ପୁଲିସ ନିକଟରେ ଅଭିଯୋଗ କରିବେ ବୋଲି ସେ କହିଛନ୍ତି। ସାଇବର ଲୁଟେରାଙ୍କ ଏଭଳି ମେସେଜରେ ବଶବର୍ତ୍ତୀ ନ ହୋଇ ଲୁଟର ଶିକାରରୁ ନିବୃତ୍ତ ରହିବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


