ମାତୃଭୂମି ସେବା ସଂଗଠନ ପକ୍ଷରୁ ବିଶ୍ୱ ମାତୃଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ମାତୃଭୂମି ସେବା ସଂଗଠନ ପକ୍ଷରୁ ବିଶ୍ୱ ମାତୃଦିବସ ରେମୁଣାସ୍ଥିତ ଗୌରୀଶଙ୍କର କଲ୍ୟାଣମଣ୍ଡପ ପରିସରରେ ପାଳିତ ହୋଇଯାଇଛି । ସଂଗଠନର ସଭାପତି ପ୍ରଦୀପ୍ତ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ତଥା କବୀ ଯଶୋଧାରା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ୱ ମାତୃ ଦିବସର ବିଶେଷତା ସମ୍ପର୍କରେ ଆଲୋଚନା କରିଥିଲେ । ଦୁନିଆରେ ମାଆର ବିକଳ୍ପ ନାହିଁ ଓ ମାଆଠାରୁ କେହି ବଡ଼ନୁହେଁ ବୋଲି ସେ ବକ୍ତବ୍ୟରେ କହିଥିଲେ । ବାଲେଶ୍ୱର ଜିଲା ସର୍ବୋଦୟ ମଣ୍ଡଳ ସଭାନେତ୍ରୀ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ସମାଜସେବୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂସାରର ସୃଷ୍ଟିଠାରୁ ପାଳନ ପର୍ଯ୍ୟନ୍ତ ମାଆର ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମାଆର ମମତା, ତ୍ୟାଗ ଓ ସହନଶୀଳତା ନିକଟରେ ଦୁନିଆର ସବୁ ସମ୍ପତି ନ୍ୟୁନ ବୋଲି ସେ କହିଥିଲେ । ପ୍ରତ୍ୟେକ ବ୍ୟକ୍ତି ମାଆଙ୍କୁ ସମ୍ମାନ ଦେବାରେ କେବେ ଅବହେଳା କରିବା ଉଚିତ ନୁହେଁ ବୋଲି ଶ୍ରୀମତୀ ପଟ୍ଟନାୟକ ମତ ପ୍ରକାଶ କରିଥିଲେ । ସଂଗଠନର ଉପ-ସଭାପତି ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରତ୍ନାକର ସିଂହ, ରେମୁଣା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ପ୍ରଧାନ, କ୍ଷୀରଚୋରା ମନ୍ଦିରର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ବେହେରା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱମାତୃ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସର୍ବୋଦୟ ନେତା ସ୍ୱର୍ଗତ ଶରତ ମହାରଣାଙ୍କ ପୁତ୍ରବଧୂ ବର୍ଷୀୟାନ ମହିଳା ଚଞ୍ଚଳା ମହରାଣାଙ୍କୁ ପୂଜନ କରାଯାଇଥିଲା । ସଂଗଠନର ସମ୍ପାଦକ କରୁଣାକର ଜେନା, ବରଷ୍ଠ ସଦସ୍ୟ ତଥା ସମାଜସେବୀ ନାମଦେବ କମିଳା ଓ ସୁବ୍ରତ ଘୋଷାଲ ପ୍ରମୁଖ ଏହି ମାତୃପୂଜନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଂଗଠନର ଉପଦେଷ୍ଟା ତଥା ଗୌରୀଶଙ୍କର କଲ୍ୟାଣ ମଣ୍ଡପର ସତ୍ୱାଧିକାରିଣୀ ବାସନ୍ତୀ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ନିରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଓ ରବୀନ୍ଦ୍ର କୁମାର ବିଶ୍ୱାଳଙ୍କ ସଂଯୋଜନାରେ ଏକ କବିତା ପାଠ ଉତ୍ସବ ଆୟୋଜିତ ହୋଇଥିଲା । ଜୟଶ୍ରୀ ମିଶ୍ର, ଚକ୍ରଧର ଦାସ, ଦୀନବନ୍ଧୁ ଦାସଙ୍କ ସମେତ ବହୁ କବି ଓ କବୟତ୍ରୀ ଏଥିରେ ସ୍ୱରଚିତ କବିତା ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ