ମାତୃହୀନ ଦୁଇ ନାବାଳକଙ୍କୁ କୋଏମ୍ବାଟୁରରୁ ଉଦ୍ଧାର କଲେ ଗଜପତି ପ୍ରଶାସନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବାପା ମାଙ୍କୁ ହରାଇ ସୁଦୂର ତାମିଲନାଡୁ ରାଜ୍ୟର କୋଏମ୍ବାଟୁରରେ ଫସି ରହିଥିବା ୨ ନାବାଳକଙ୍କୁ ଗଜପତି ପ୍ରଶାସନ ଉଦ୍ଧାର କରିଛି । ଏମାନଙ୍କ ବୟସ ୪ ଏବଂ ୬ ବର୍ଷ ଅଟେ । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ମୋହନା ବ୍ଲକ ଭାଲିଆ ସାହି ଗ୍ରାମର ସୁଦର୍ଶନ ନାୟକ ନିଜର ସ୍ତ୍ରୀ ଏବଂ ଏହି ଦୁଇ ଶିଶୁଙ୍କୁ ନେଇ କୋଏମ୍ବାଟୁରରେ କାମ କରୁଥିଲେ । କିନ୍ତୁ ପ୍ରାୟ ୧ ମାସ ପୂର୍ବେ ସ୍ୱାମୀ ସ୍ତ୍ରୀ ଦୁହିଁ କହଳ ଯୋଗୁଁ ସ୍ୱାମୀ ସୁଦର୍ଶନ ସ୍ତ୍ରୀଙ୍କୁ ମାରିଦେବା ସହ ସ୍ଥାନୀୟ ଏକ ଯୁବକ ସହ ଝଗଡା ହୋଇ ତାଙ୍କୁବି ଗୁରୁତର ଭାବେ ଆହତ କରିଥିଲେ । ପରବର୍ତ୍ତୀ ସମୟରେ ସୁଦର୍ଶନ ତାମିଲନାଡୁ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ । କିନ୍ତୁ ଦୁଃଖର କଥା ଶିଶୁ ଦୁଇଟିର ଯତ୍ନ ଓ ସୁରକ୍ଷା ନେବା ଲାଗି ସେଠାରେ କେହି ନଥିଲେ । ଶିଶୁ ମାନଙ୍କର ଜେଜେବାପା ମୋହନାରେ ରହି ଏହି ସବୁ କଥା ଜାଣିବାପରେ ସେଠାରୁ ଶିଶୁ ମାନଙ୍କୁ ଆଣିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ଭୟରେ ଯାଇ ପାରୁ ନଥିଲେ । କାରଣ ସ୍ଥାନୀୟ ଲୋକ ଜେଜେବାପା କରନା ନାୟକଙ୍କୁ ପ୍ରାଣରେ ମାରିଦେବା ଲାଗି ଧମକ ଦେଇଥିଲେ । ଏହି ସବୁ ବିଷୟକୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଜପତିରେ ସେ ଜଣାଇଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କୋଏମ୍ବାଟୁର ଚାଇଲ୍ଡଲାଇନ ଏବଂ ଶିଶୁ ସୁରକ୍ଷା ୟୁନିଟ ସହ କଥା ବାର୍ତ୍ତା ହୋଇ ତା ପରଦିନ ଶିଶୁ ମାନଙ୍କୁ ଉଦ୍ଧାର କରିବା ସହ କୋଏମ୍ବାଟୁରରେ ଥିବା ସରକାରୀ ଶିଶୁ ଗୃହରେ ଅସ୍ଥାୟୀ ଭାବେ ଥଇଥାନ କରିଥିଲେ । ଗଜପତି ଶିଶୁ ସୁରକ୍ଷା ୟୁନିଟ ଏ ବିଷୟ ଉପରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ପ୍ରଶାସନ ପକ୍ଷରୁ ସହଯୋଗ କରାଯାଇଥିଲା । ଗତ ୨୧.୦୨.୨୦୨୧ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପରିବେକ୍ଷଣ ଅଧିକାରୀ ଜୟପ୍ରକାଶ ବାଡାତ୍ୟାଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ କୋଏମ୍ବାଟୁର ଗସ୍ତ କରିଥିଲେ । ସେଥି ମଧ୍ୟରେ ପୋଲିସ ବିଭାଗ ପକ୍ଷରୁ ସଦାଶିବ ରେଡ୍ଡୀ ଏବଂ ଅଶୋକ କୁମାର ସେଠାରେ କୋଏମ୍ବାଟୁର ଜିଲ୍ଲା ପ୍ରଶାସନର ସହାୟତାରେ ଶିଶୁ ମାନଙ୍କୁ ନେଇ ପାରଳାଖେମୁଣ୍ଡି ଠାରେ ପହଞ୍ôଚଲେ । ପୋଲିସ ଦ୍ୱାରା ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ ସମିତି ଗଜପତି ଆଗରେ ଉପସ୍ଥାପନ କରିବାପରେ ସେମାନଙ୍କୁ ତାଙ୍କର ଜେଜେବାପାଙ୍କୁ ହସ୍ତାନ୍ତର କରାଯାଇଛି । ପିଲାମାନଙ୍କର ଯତ୍ନ ଏବଂ ସୁରକ୍ଷା ଯଥା ପାଠ ପଢିବା ପାଇଁ ଯାହା ଆବଶ୍ୟକ ଅଛି ତାହା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଜଣାଇଛନ୍ତି ।