ମାନଧନ ଯୋଜନା ମିଳିବ ମାସିକ ୩ହଜାର ଟଙ୍କାର ପେନ୍ସନ୍
ମୁମ୍ବାଇ, (ଏଜେନ୍ସି): ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ବଜେଟ୍ ୨୦୧୯ରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ ଧନ ଯୋଜନା (ପିଏମ୍-ଏସ୍ୱାଇଏମ୍) ପେନ୍ସନ୍ ସ୍କିମ୍ର ଘୋଷଣା କରାଯାଇଥିଲା । ଏହି ସ୍କିମ୍କୁ ଗ୍ରହଣ କରୁଥିବା ଲୋକଙ୍କୁ ୬୦ବର୍ଷ ହେବା ସ୍ଥଳେ ସେମାନଙ୍କୁ ୩ହଜାର ଟଙ୍କାର ପେନ୍ସନ୍ ମିଳିବ । ଯଦି ପେନ୍ସନ୍ ଗ୍ରହଣ କରୁଥିବା ବ୍ୟକ୍ତି ମୃତ୍ୟୁବରଣ କରନ୍ତି, ତେବେ ପେନ୍ସନ୍ ତାଙ୍କ ଜୀବନସାଥିଙ୍କୁ ମିଳିବାର ମଧ୍ୟ ନିୟମ ରହିଛି । ସ୍କିମ୍ ଅଧିନରେ ଲାଭାର୍ଥି ନିଜ ଆକାଉଣ୍ଟରେ ଯେତିକିର ଯୋଗଦାନ କରିବେ, ସରକାର ମଧ୍ୟ ତାଙ୍କ ଆକାଉଣ୍ଟରେ ନିଜ ପକ୍ଷରୁ ସେତିକି ହିଁ ଟଙ୍କାର ଯୋଗଦାନ କରିବେ । ଯଦି କେହି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ ଧନ ଯୋଜନା ଅଧିନରେ ଆକାଉଣ୍ଟ ଖୋଲିବାକୁ ଇଚ୍ଛା ପ୍ରକାଶ କରନ୍ତି, ତେବେ ସେଥିପାଇଁ କେତେକ ନିୟମ ରହିଛି । ଯେପରି ବ୍ୟକ୍ତି ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଆବଶ୍ୟକ, ବୟସ ୧୮ରୁ ୪୦ବର୍ଷ ହୋଇଥିବା ଆବଶ୍ୟକ ଓ ମାସିକ ଆମଦାନୀ ୧୫ହଜାରରୁ ଅଧିକ ନହୋଇଥିବା ଆବଶ୍ୟକ । ସଂଗଠିତ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ତଥା କର୍ମଚାରୀ ଭବିଷ୍ୟ ନିଧି (ଇପିଏଫ୍), ନ୍ୟାସ୍ନାଲ୍ ପେନ୍ସନ୍ ସ୍କିମ୍ (ଏନ୍ପିଏସ୍) ତଥା କର୍ମଚାରୀ ବୀମା ନିଗମ (ଇଏସ୍ଆଇସି)ର ସଦସ୍ୟ ତଥା ଆୟକର ପେମେଣ୍ଟକାରୀ ଏହି ସ୍କିମ ପାଇଁ ଯୋଗ୍ୟ ନୁହଁନ୍ତି । ଏହି ଯୋଜନାରେ ପଞ୍ଜିକରଣ ପାଇଁ କର୍ମଚାରୀଙ୍କ ନିକଟରେ ଆଧାର କାର୍ଡ଼, ଜନଧନ ଆକାଉଣ୍ଟ, ଆଇଏଫ୍ଏସ୍ସି କୋଡ଼୍ ଓ ମୋବାଇଲ୍ ନମ୍ବର ଆବଶ୍ୟକ । ଏହି ସ୍କିମ୍ ଅଧିନରେ ଆବେଦନ କରିବା ପାଇଁ କର୍ମଚାରୀଙ୍କୁ ନିକଟସ୍ଥ ସିଏସ୍ସି କେନ୍ଦ୍ର ଯିବାକୁ ହେବ । ଏଥି ସହିତ ଆଧାର କାର୍ଡ଼, ବ୍ୟାଙ୍କ୍ର ପାସ୍ବୁକ୍ ଓ ମୋବାଇଲ୍ ନମ୍ବର ଆବଶ୍ୟକ ହେବ । ଇପିଏଫ୍ ଇଣ୍ଡିଆର ୱେବ୍ସାଇଟ୍ରେ ନିକଟସ୍ଥ ସିଏସ୍ସି ସମ୍ବନ୍ଧରେ ସନ୍ଧାନ ଲଗାଯାଇପାରିବ । ଏହାବ୍ୟତୀତ, ଏଲ୍ଆଇସିର ବ୍ରାଞ୍ଚ୍ ଅଫିସ୍, ଇଏସ୍ଆଇସି, ଇପିଏଫ୍ଓ ତଥା ରାଜ୍ୟ ସରକାରଙ୍କ ଶ୍ରମ ଅଫିସ୍ ଯାଇ ମଧ୍ୟ ନିକଟସ୍ଥ ସିଏସ୍ସି ସେଣ୍ଟର ସମ୍ବନ୍ଧରେ ସନ୍ଧାନ ଲଗାଯାଇପାରିବ । ତେବେ କମନ୍ ସେଣ୍ଟରରେ ଅଟୋ-ଡେବିଟ୍ ସୁବିଧା ପାଇଁ ସହମତି ଫର୍ମ ସହିତ ସ୍ୱପ୍ରମାଣିତ ଫର୍ମ ଜମା କରିବାକୁ ହେବ । ଏହି ଫର୍ମ ଦ୍ୱୟ ସିଏସ୍ସିରେ ମିଳିଯିବ । ଏହି ଫର୍ମରେ କର୍ମଚାରୀଙ୍କୁ ନିଜ ଆଧାର କାର୍ଡ଼ ଓ ବ୍ୟାଙ୍କ ପାସ୍ବୁକ୍ରେ ଥିବା ସମସ୍ତ ସୂଚନା ଏଥିରେ ଲେଖିବାକୁ ହେବ । ଯେତେବେଳେ ସମ୍ପୂର୍ଣ୍ଣ ବିବରଣୀକୁ ଯାଞ୍ଚ ହୋଇଗଲେ, କର୍ମଚାରୀଙ୍କୁ ମୋବାଇଲ ଉପରେ ଏକ ୱାନ୍ ଟାଇମ୍ ପାସ୍ୱାର୍ଡ଼ ଆସିବ । ତେବେ କର୍ମଚାରୀଙ୍କୁ କେତେ ଟଙ୍କା ଜମା କରିବାକୁ ହେବ ତାହା ତାଙ୍କ ବୟସ ଅନୁସାରେ ଧାର୍ଯ୍ୟ ହେବ । ସେହିଭଳି ପ୍ରଥମ ସବ୍ସ୍କ୍ରିପସନ୍ ନଗଦରେ ଜମା କରିବାକୁ ହେବ । ଏହାପରେ ୬୦ ବର୍ଷ ହେବା ପର୍ଯ୍ୟନ୍ତ ଏହି ଟଙ୍କା ଆକାଉଣ୍ଟରୁ ଆପେ ଆପେ କଟିଯିବ । ସିଏସ୍ସି କେନ୍ଦ୍ରରେ ପଞ୍ଜିକରଣ ସମ୍ପୂର୍ଣ୍ଣ ହେବା ସ୍ଥଳେ ଯୋଜନା ଅଧିନରେ ଏକ ଅନ୍ଲାଇନ୍ ପେନ୍ସନ୍ ନମ୍ବର ଜେନେରେଟ୍ ହେବ । ସିଏସ୍ସି ପକ୍ଷରୁ କର୍ମଚାରୀଙ୍କୁ ପେନ୍ସନ୍ ସ୍କିମ୍ କାର୍ଡ଼ର ଏକ ପିଣ୍ଟ୍ଆଉଟ୍ ପ୍ରଦାନ କରିବ । ଏଥିରେ କର୍ମଚାରୀଙ୍କ ନାମ, ପେନ୍ସନ୍ ଆରମ୍ଭର ହେବାର ସମୟ, ମାସିକ ପେନ୍ସନ୍ ରାଶି, ପେନ୍ସନ୍ ଆକାଉ୍ଣ୍ଟ୍ ନମ୍ବର ସହିତ ଅନ୍ୟ କେତେକ ସୂଚନା ସ୍ଥାନିତ ହେବ ।


