ମାନବାଧିକାର କମିଶନ ସଦସ୍ୟା ପରିଚୟ ଦେଇ ଠକେଇ, ୩ ଅଟକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ବେସରକାରୀ ଭାବେ ଚାଷୀମାନଙ୍କଠାରୁ ବିଭିନ୍ନ ପ୍ରମାଣପତ୍ର ସଂଗ୍ରହ କରି ପଞ୍ଜୀକରଣ କରୁଥିବା ଅଭିଯୋଗରେ ପୋଲିସ ୨ଜଣ ଯୁବକଙ୍କ ସମେତ ଜଣେ ମହିଳାଙ୍କୁ ଅଟକ ରଖିଛି। ତେବେ ମହିଳା ଜଣଙ୍କ ନିଜକୁ ଜଣେ ମାନବାଧିକାର କମିଶନ୍‌ର ସଦସ୍ୟା ବୋଲି ପରିଚୟ ଦେଇ ଏପରି କରୁଥିଲେ ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ଶନିବାର ସକାଳେ ବଲସକୁମ୍ପା ଗ୍ରାମର ଅଜୟ କୁମାର ବେହେରା ଓ ଜୀବନ କୁମାର ବେହେରା ଖଜୁରିପଡ଼ା ସ୍ଥିତ ଉରୁମୁଣ୍ଡା ଗ୍ରାମରେ ବେସରକାରୀ ଫର୍ମ ମାଧ୍ୟମରେ ଚାଷୀ ପଞ୍ଜୀକରଣ କରିବାକୁ କହି ବିଭିନ୍ନ ପ୍ରମାଣପତ୍ର ସହିତ ୩୦ ଟଙ୍କା ଲେଖାଏଁ ଆଦାୟ କରି ଅନେକ ଫର୍ମ ପୂରଣ କରିଥିଲେ। ଏହାକୁ ସନ୍ଦେହ କରି ଗ୍ରାମବାସୀ ଖଜୁରିପଡ଼ା ଅତିରିକ୍ତ କୃଷି ଅଧିକାରୀ ପ୍ରତିଭା ପ୍ରଧାନଙ୍କୁ ଯୋଗାଯୋଗ କରିଥିଲେ। ସୂଚନା ପାଇ କୃଷି ଅଧିକାରୀ ପ୍ରତିଭା ପ୍ରଧାନ ଉରୁମୁଣ୍ଡା ଗ୍ରାମରେ ପହଞ୍ଚି ସତ୍ୟାସତ୍ୟ ପରଖିବା ପରେ ଜିଲା ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ଜିଲା କୃଷି ଅଧିକାରୀ ଏପରି ଘଟଣାକୁ ଅସ୍ବୀକାର କରିବା ସହିତ ପୋଲିସରେ ଜଣାଇବାକୁ କହିଥିଲେ। ଖଜୁରିପଡ଼ା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଦୁଇ ଯୁବକଙ୍କୁ ଅଟକ ରଖିଥିଲା। ତେବେ ସେମାନଙ୍କୁ ଏହି କାମରେ ଆଲୋକପ୍ରଭା ସାହୁ ନିୟୋଜିତ କରିଥିବା କହିବା ପରେ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଡାକି ଅଟକ ରଖଥିଲା। ଆଲୋକପ୍ରଭା ନିଜକୁ ଜାତୀୟ ମାନବାଧିକାର କମିଶନ୍‌ର ରାଜ୍ୟ ସଭାନେତ୍ରୀ ବୋଲି ପରିଚୟ ଦେଇଥିଲେ। ସମ୍ପୃକ୍ତ ମହିଳାଙ୍କ ପ୍ରମାଣପତ୍ର ଯାଞ୍ଚ କରିବା ପରେ ସବୁ ନକଲି ବୋଲି ଜଣାପଡ଼ିଥିଲା। ଏ ନେଇ ପୋଲିସ ୧୫୬/୨୨ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ