ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଅନୁଗୁରୁ ଗ୍ରାମପଞ୍ଚାୟତର ଜୟପୁରଗ୍ରାମରେ । ରାସ୍ତା ଖରାପ ଯୋଗୁଁ ଗ୍ରାମରୁ ଦୁଇ କିଲୋମିଟର ପୂର୍ବରୁ ଯାଇ ପାରିଲାନି ଆମ୍ବୁଲାନ୍ସ । ପ୍ରସୂତିକୁ ଷ୍ଟେଚର ସାହାଯ୍ୟରେ ବୋହି ଆଣିବାକୁ ବାହାରିଲେ ଆମ୍ବୁଲାନ୍ସ କର୍ମଚାରୀ । ଗାଁରେ ପହଞ୍ଚିବା ବେଳକୁ ଶିଶୁ ଜନ୍ମ ହୋଇ ସାରିଥିଲା । ତୁରନ୍ତ ଉଭୟ ଶିଶୁ ଓ ପ୍ରସୂତିଙ୍କୁ ୨କିମି ଉର୍ଦ୍ଧ୍ବ ରାସ୍ତା କାନ୍ଧରେ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀମାନେ । ଗାଁର ଯୁନେସ ରଇତଙ୍କ ପତ୍ନୀ ରଜେଶ୍ୱରି ରଇତଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ସକାଳ ୭ଘଟିକା ୧୦ ମିନିଟ ସମୟରେ ୧୦୮ର ଫୋନ୍ ସୁଚନା ପାଇ ଆମ୍ବୁଲାନ୍ସ ଆସିଥିଲା । ରାସ୍ତା ଖରାପ ଯୋଗୁଁ ଜୟପୁର ପହଞ୍ଚିବା ୨କିମି ପୂର୍ବରୁ ମାଣିକପୁର ପର୍ଯ୍ୟନ୍ତ ଯାଇପାରିଥିଲେ । ସେଠାରୁ ଚାଲି ଚାଲି ପ୍ରସୂତି ରଜେଶ୍ଵରି ରଇତଙ୍କ ଘରେ ପହଞ୍ଚି ଥିଲେ କର୍ମଚାରୀ । କିଛିସମୟ ପୂର୍ବରୁ ରଜେଶ୍ଵରି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ତାଙ୍କର ଅତ୍ୟାଧିକ ରକ୍ତସ୍ରାବ ହୋଇଥିବା ବେଳେ ଛୁଆର ଅମ୍ଳଜାନ ସ୍ତର କମିଯାଇଥିଲା ମା ଓ ଛୁଆ ଗୁରୁତର ହୋଇପଡ଼ିଥିଲେ । ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ସଦାଶିବ ପାଣି, ଡ୍ରାଇଭର କ୍ରିଷ୍ଣା ନାୟକ, ହେଲ୍ପର ସଞ୍ଜୟ ଦଳବେହେରା ଗୁରୁତର ମା ଓ ଶିଶୁକୁ ଷ୍ଟେଚର ସାହାଯ୍ୟରେ ପାହାଡିଆ ରାସ୍ତାରେ ଜୟପୁର ଠାରୁ ମାଣିକପୁର ଯାଏଁ ଆଣିବା ପରେ ସେଠାରୁ ୧୦୮ ଯୋଗେ ବି.ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ । ଉଭୟ ମା ଓ ଶିଶୁ ସୁରକ୍ଷିତ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ଏଭଳି କାର୍ଯ୍ୟ ଯୋଗୁଁ ସାଧୁବାଦ ଜଣାଇଛନ୍ତି ପ୍ରସୂତି ଓ ପରିବାର ବର୍ଗ । ଏବଂ ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ।