ମାନବିକତା ବୋଧ ଉପରେ ପର୍ଯ୍ୟବେଷିତ ସାହିତ୍ୟ କାଳଜୟୀ ହୋଇଥାଏ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ସାହିତ୍ୟିକ ମାନେ ସମାଜର ମନୋରଞ୍ଜନକାରୀ ନୁହନ୍ତି, ସେମାନେ ସମାଜର ଜାଗ୍ରତ ପ୍ରହରୀ. ମାନବିକତା ବୋଧ ଏବଂ ନିଜର ପରମ୍ପରା ଉପରେ ପର୍ଯ୍ୟବେଷିତ ସାହିତ୍ୟ ଯୁଗେଯୁଗେ କାଳଜୟୀ ହୋଇଥାଏ.
ଅତୀତରୁ ଅଦ୍ୟାବଧି ଯେତେ ସାହିତ୍ୟ ସୃଷ୍ଟି ହୋଇଛି ସବୁଥିରେ ମଣିଷ ଜୀବନର କଥା ସୁନ୍ଦର ଭାବେ ଚିତ୍ରିତ ହୋଇଛି. କବିତାରେ ଯଦି ଆବେଗ ନରହିବ, ମଣିଷ ପ୍ରତି ଯଦି ଭଲପାଇବା ନରହିବ ସେ କବିତା ଚିରକାଳ ପାଠକୀୟ ଆଦୃତି ପାଇପାରିବ ନାହିଁ ବୋଲି
ବାରିପଦାର ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାଗୃହରେ ଅନୁଷ୍ଠିତ ଶ୍ରୀରାମଚନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦର ୧୧ତମ ବାର୍ଷିକ ଉତ୍ସବରେ
ବରିଷ୍ଠ ସାହିତ୍ୟିକ ହରିଶଚନ୍ଦ୍ର ବେହେରା ମୁଖ୍ୟଅତିଥି, ବିଶିଷ୍ଟ ସାହିତ୍ୟିକ ଡକ୍ଟର ରତ୍ନାକର ସିଂହ ମୁଖ୍ୟବକ୍ତା, କେନ୍ଦ୍ର ଯୁବ ସାହିତ୍ୟ ଏକାଡେମୀ ବିଜେତା ପ୍ରାବନ୍ଧିକ ଡକ୍ଟର ଶିଶିର ବେହେରା ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି. ଅନୁଷ୍ଠାନର ସଭାପତି ଡକ୍ଟର ପୁଷ୍ପା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ଅନୁଷ୍ଠାନର ପୂର୍ବତନ ସଭାପତି ସ୍ୱର୍ଗତ ଶ୍ରୀନିବାସ ପ୍ରଧାନଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଥିଲା. କବି ସ୍ନେହାଶିଷ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଦେବେନ୍ଦ୍ର ଆଚାର୍ଯ୍ୟ ବେଦପାଠ କରିଥିଲେ. ଏହି ଅବସରରେ ନିୟମିତ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ ଏବଂ ଯୁବ ସମାଜସେବୀ ଜିତେନ୍ଦ୍ର କୁମାର ମହାନ୍ତିଙ୍କୁ ଭୂମିପୁତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯିବା ସହ, ବିଶିଷ୍ଟ ଗାଳ୍ପିକା ଡଃ ସ୍ମୃତି ପଟ୍ଟନାୟକଙ୍କୁ ଭଞ୍ଜଦୀପ ଗଳ୍ପ ସମ୍ମାନ ପ୍ରଦାନ କରାଯାଇଥିଲା.
ସଂପାଦିକା ସୁଚରିତା ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ. ମଧୁସୂଦନ ମିଶ୍ର ଏବଂ ଭାସ୍ୱତୀ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ, ଅନୁଷ୍ଠାନର ଉପଦେଷ୍ଟା ଡଃ ଉଷା ଶତପଥି, ବାସନ୍ତୀ ଲତା ମହାପାତ୍ର, ଡଃ ଅଳକା ମଞ୍ଜରୀ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ. କାର୍ଯ୍ୟକ୍ରମରେ ରାଜ୍ୟର ବିଭନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କବି କବିତା ପାଠ କରିଥିଲେ.