ମାନବ ସେବାରେ ଦୁରଦର୍ଶନ
ବିପିନ ବିହାରୀ ମହାନ୍ତି
ଜଗତୀକରଣ ପ୍ରକିୟାରେ ବିଶ୍ୱ ଏବେ ସଙ୍କୋଚିତ ହୋଇଯାଇଛି ଅର୍ଥାତ୍ ବିଶ୍ୱ ଏକ ପରିବାର ପାଲଟି ଯାଇଛି । ଏହି ପାରିବାରିକ କାରଣରୁ ଆମ ପାଇଁ ଅନେକ କିଛି ସହଜ, ସରଳ ଏବଂ ସୁଗମ ହୋଇପାରିଛି । ଏ ସବୁର ମୂଳ କାରଣ ଆମ୍ଭମାନଙ୍କ ପାଖରେ ସଂପ୍ରତ୍ତି ପହଂଚିଥିବା ପରିବହନ ଏବଂ ଯୋଗାଯୋଗ ବ୍ୟବସ୍ଥାର ସୁଲଭତା । ତେବେ ସାଂପ୍ରତିକ ଯୋଗାଯୋଗ ବ୍ୟବସ୍ଥା ବିଶ୍ୱ ବାସୀଙ୍କୁ ସନ୍ନିକଟ କରାଇବା ତଥା ପରସ୍ପରକୁ ବୁଝିବା ଏବଂ ନିଜର ଅଭାବ ମେଣ୍ଟାଇବା, ଭାବର ଆଦାନ ପ୍ରଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିଛି ।
ପରସ୍ପରକୁ ନିକଟତର କରାଇବାର ବୁଝିବାର ଏବଂ ବୁଝାଇବାର ମାଧ୍ୟମକୁ କୁହନ୍ତି ଗଣମାଧ୍ୟମ । ଗଣମାଧ୍ୟମ କୌଣସି ଦେଶର ଶାସନ କ୍ଷେତ୍ରରେ ଚତୁର୍ଥ ସ୍ତମ୍ଭ । ଗଣମାଧ୍ୟମ କହିଲେ ସମ୍ବାଦ, ଗ୍ରହଣ, ପ୍ରଚାର ଏବଂ ପରିବେଷଣକୁ ବୁଝାଏ । ଆମେ ଜାଣିଥିବା ଏବଂ ପଢୁଥିବା ଖବର କାଗଜ , ଆକାଶ ବାଣୀ , ପତ୍ରପତ୍ରିକା, ପ୍ରାଚୀରପତ୍ର , ପାଲା, ଦାସକାଠିଆ, ନାଚ, ଥିଏଟର, ସିନେମା . . . . .ଚକୁଳିଆ ପଣ୍ଡା ଗୀତ ଏବଂ ଜାନୁଘଣ୍ଟିିଆର ବାଣୀ ଅଥବା ପୁରାଣ କାହାଣୀ ଏସବୁ ଗଣମାଧ୍ୟର ଡାଳ ପତ୍ର ସଦୃଶ । ତେବେ ସଂକ୍ଷେପରେ ଏହାକୁ ଉକ୍ତି ବାଚକ, ଲିଖିତ, ଶ୍ରୁତି ବାଚକ, ଦର୍ଶନ ସୂଚକ , ତଥା ଦୃଶ୍ୟ-ଶ୍ରାବ୍ୟ ଏହି ପ୍ରକାର ବିଭିନ୍ନ ଭାବରେ ବିଭକ୍ତ କରାଯାଇପାରେ ।
ଦୂରଦର୍ଶନ ଦୃଶ୍ୟ-ଶ୍ରାବ୍ୟର ମାଧ୍ୟମ ଅର୍ଥାତ୍ ଏକ ସମୟରେ ଘଟୁଥିବା ଘଟଣା ବା କାହାଣୀ ମାନ ଦେଖିହୁଏ ଏବଂ ଶୁଣି ହୁଏ । ମହାଭାରତରୁ ଜାଣିଛୁ ଅନ୍ଧ ଧ୍ରୁତରାଷ୍ଟ୍ରଙ୍କୁ ସଂଜୟ କୁରୁକ୍ଷେତ୍ରରେ ଚାଲିଥିବା ଯୁଦ୍ଧର ବିବରଣୀ ଯୋଜନ ଯୋଜନ ଦୂରରେ ରହି ଶୁଣାଉ ଥିଲେ । ଏ ଦୃଷ୍ଟିରୁ ସେ ଦୂରଦର୍ଶନ କାର୍ଯ୍ୟ କରୁଥିଲେ । ଏହା କେତେ ଦୂର ଦିବ୍ୟ ଦୃଷ୍ଟି ଥିଲା ତାହା ଆମ ଚିନ୍ତାର ବାହାରେ ଅଥଚ- ଆମେ ଆଜି ଏହାକୁ ଅସ୍ୱୀକାର କରିପାରୁନାହୁଁ କାରଣ ଆମେ ସଂଜୟାଙ୍କୁ ଟପି ଯାଇଛୁ ।
ଦୂରଦର୍ଶନ ବିଭିନ୍ନ ଉପାୟରେ ଆମକୁ ସାହାଯ୍ୟ କରିଥାଏ । ଏହା ବିଶ୍ୱ ସଂପର୍କରେ ଲୋକମାନଙ୍କୁ ଶିକ୍ଷା ଦେଇଥାଏ; ବିଶ୍ୱର ବିଭିନ୍ନ ସମସ୍ୟା ଏବଂ ତାର ବାସ୍ତବ କାହାଣୀ ଯାହା ତତ୍କ୍ଷଣିକ ଘଟି ଚାଲିଛି ସେଗୁଡିକ ଆମକୁ ଦେଖାଇଥାଏ ଏବଂ ଶୁଣାଇଥାଏ । ଏହା ଗଣମାଧ୍ୟମର ସର୍ବୋତ୍ତମ ସଂବାଦ ପ୍ରଚାର ଏବଂ ପ୍ରଘଟକାରୀ ଏକ ଯନ୍ତ୍ର ଯାହା ଆମ ପୃ୍ଥିବୀର ଯେ କୌଣସି କୋଣରେ ଘଟିଯାଉଥିବା ଦୃଶ୍ୟ ବା କାହାଣୀକୁ ଆମ ଘରେ ବସି ଦେଖି ପାରୁଛୁ ଏବଂ ତାର ଅଂଶୀଦାର ହୋଇପାରୁଛୁ; ଏହା ମାଧ୍ୟମରେ ଆମେ ଆମର ସ୍ୱାଧୀନ ଭାଷଣକୁ ବା ଭାବକୁ ବ୍ୟକ୍ତ କରିପାରୁଛି; ଏହା ବିଶ୍ୱ ସ୍ତରରେ ସାଂସ୍କୃତିକ କ୍ଷେତ୍ରରେ ନାନା ବିଭିନ୍ନତା ମାଧ୍ୟମରେ ଏକତାର ଭାବ ସୃଷ୍ଟି କରିଛି ଏବଂ ସର୍ବୋପରି ପୃଥିବୀରେ ଜଗତିକରଣ ପ୍ରକ୍ରିୟାରେ ବିଭିନ୍ନ ପ୍ରକାର ସମସ୍ୟାର ଉତ୍ପତ୍ତି , ଗତି, ଏବଂ ସମାଧାନର ସୂତ୍ର ବାହାର କରିବାରେ ସହାର୍ଯ୍ୟ କରିପାରୁଛୁ । ବିଶେଷ କରି ପୃଥିବୀରେ ଶାନ୍ତି, ନିରାପତ୍ତା, ଅର୍ଥନୈତିକ ସ୍ଥ୍ିତି ପ୍ରଗତି ସାମାଜିକ ଉନ୍ନତି ଏବଂ ସାଂସ୍କୃତିକ ଭାବର ବିନିମୟ ପାଇଁ ଏହା ବିଶେଷ ସହାୟକ ହେଉଛି । ଏହାର ଆବଶ୍ୟକତା ଶିଶୁ ଠାରୁ ବୃଦ୍ଧଯାଏଁ କିଏ ଯେ ଉପଲ୍ବଧି ନକରୁଛି, ତାହା ଅସ୍ୱୀକାର କରିହେବ ନାହିଁ ।
ଆମ ପାଇଁ ଏହାର ଆବଶ୍ୟକତା ଅତୁଳନୀୟ । ଏହାର ଗୁରୁତ୍ୱକୁ ଉପଲବ୍ôଧ କରି ଜାତିସଂଘର ସାଧାରଣ ସଭାଦ୍ୱାରା ୧୯୯୬ ଡିସେମ୍ବର ୨୧ ତାରିଖରେ “ଦୂରଦର୍ଶନ” ଦିବସ ପାଳାନାର୍ଥେ ଏକ ନିଷ୍ପତ୍ତି ନିଆଗଲା । ସେବେଠୁ ବିଶ୍ୱ ଦୂରଦର୍ଶନ ଦିବସ ପାଳିତ ହୋଇଆସୁଅଛି । ଏହା ଆଧୁନିକ ସଭ୍ୟତା ପାଇଁ ଏକ ନୂତନ ଗଣମାଧ୍ୟମ । ଏହା ସାରା ବିଶ୍ୱକୁ ସଂକୋଚିତ କରିବାରେ ତଥା ପ୍ରତ୍ୟେକଙ୍କୁ ଏ ବିଶ୍ୱର ଏକ ଅଂଶୀଦାର ଭାବେ ବିବେଚନା କରିବାକୁ ନିଶ୍ଚିତ କରାଇଛି । କହିବା ବାହୁଲ୍ୟ ଯେ ସୂର୍ଯ୍ୟଙ୍କ ପାଖରେ ଲଣ୍ଠନ ବତୀଟିଏ ଯେପରି ଗୁରୁତ୍ୱ ହରାଇଥାଏ , ସେହିପରି ସାଂପ୍ରତ୍ତିକ ଦୂରଦର୍ଶନ ବା ଟିଭି କାରଣରୁ ଆକାଶ ବାଣୀ ଯିଏ ଏକଦା ପ୍ରଭାବ ବିସ୍ତାର କରିଥିଲା ସିଏ ମଉଳି ଗଲାଣି । ଅନେକଙ୍କ ଘରେ ସମ୍ବାଦ ପତ୍ର ଆଉ କେହି କିଣନ୍ତି ନାହିଁ; କେହି ସିନେମା, ନାଚ, ଥିଏଟର ଇତ୍ୟାଦି ମନୋରଂଜନ କାର୍ଯ୍ୟକ୍ରମକୁ ଯାଆନ୍ତି ନାହିଁ; ଖେଳ ପଡିଆରେ କେହି କ୍ରିକେଟ ବା ଫୁଟବଲ ବା କବାଡି ଦେଖନ୍ତି ନାହିଁ । ମହାକାଶଯାନର ଉତ୍ତୋଳନ ବା କୌଣସି ଦୁର୍ଘଟଣାର ଚାକ୍ଷୁଷ ପ୍ରମାଣ ପାଇଁ କେହି ଦଉଡି ଯାଆନ୍ତି ନାହିଁ । ସେ ସବୁ ୍ରଆମ ହାତପାଆନ୍ତିରେ ଆମରି ପାଖରେ ଯଦି ଟିଭିଟିଏ ଅଛି ପଂହଚିଯାଉଛି । ଜୀବନର ଏମିତି କିଛି ଖୋଜିବା ବି ଲୋଡିବା କଥାନାହିଁ ଯାହା ଦୂରଦର୍ଶନ ମାଧ୍ୟମରେ ଆମେ ପାଇନଥାଉ ।
ଏ ସମସ୍ତ କଥାକୁ ଉପଲବ୍ଧି କରି ଜାତିସଂଘ ଦ୍ୱାରା ନିର୍ଦ୍ଦିଷ୍ଟ ହୋଇଥିବା ୨୧ ନଭେମ୍ବରକୁ ‘ ବିଶ୍ୱ ଦୂରଦର୍ଶନ ଦିବସ’ ରୂପେ ପାଳନ କରିବା ହିଁ ଯଥାର୍ଥ ।
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର, ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮


