ମାନସିକ ବିକୃତ ମଣିଷ ଧୋବା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ କ୍ଷେତମୁଣ୍ଡାଳୀ ଗ୍ରାମ ପଞ୍ଚାୟତ ସିଶୁଣ୍ଡା ଗାଁର ବାପା ମୋହନା ଗୌଡ଼ ଓ ମା ନୟନି ଗୌଡ଼ଙ୍କ ପୁଅ ଧୋବା । ବାପା ମା ରୋଗରେ ଆରପାରିକୁ ଚାଲିଗଲା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଧୋବା । ବାପା ମାଆଙ୍କୁ ହରେଇବା ଦୁଃଖରେ ସେ ନିଜର ସ୍ମରଣ ଶକ୍ତି ଭୁଲିଯାଇଥିଲେ । ଶରୀରର ଚର୍ମ ରୋଗକୁ ଦେଖି ସ୍ତ୍ରୀ ମଧ୍ୟ ଛାଡ଼ି ଚାଲିଗଲା । ଫଳରେ ସେ ଧିରେ ଧିରେ ମାନସିକ ରୋଗୀଙ୍କ ପରି ବ୍ୟବହାର କରିବାକୁ ଲାଗିଲେ । ଏହା ଦେଖି ଗାଆଁର ଲୋକମାନେ ଧୋବାଙ୍କ ନିଜର ଥିବା କିଛି ଜମିକୁ ବନ୍ଧା ଆକାରରେ ତାଙ୍କୁ ଭଲ କରିବାକୁ ଲାଗିପଡିଲେ । ପ୍ରଥମେ ଜଡ଼ିବୁଟି ଚିକିତ୍ସା କରିଥିଲେ ଫଳରେ ସେ ଭଲ ହେବାକୁ ଲାଗିଲେ ଭଲ ହେବା ପରେ ଗ୍ରାମବାସୀଙ୍କ ଦ୍ଵାରା ସୁରୁମୁଣି ଗ୍ରାମର ସ୍ବର୍ଗତ ବିଦ୍ୟା ଗୌଡ଼ଙ୍କ ଝିଅ ସହ ହିନ୍ଦୁ ବୈଦିକ ରୀତିନୀତି ଅନୁସାରେ ଧୋବାର ବିବାହ ମଧ୍ୟ କରାଇଥିଲେ । ପରେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଚାଲିଗଲେ ସୁଦୂର ଜମ୍ମୁ କାଶ୍ମୀର ରାଜ୍ୟକୁ । ଧୋବା ଜଣେ ଭଲ ରାଜ ମିସ୍ତ୍ରୀ ହୋଇଥିବାରୁ ଗାଆଁ ତଥା ଆଖପାଖ ଅଞ୍ଚଳରେ ସମସ୍ତେ ଭଲପାଆନ୍ତି । ପ୍ରତିଦିନ ରୋଜଗାର କରୁଥିବା ସବୁ ଟଙ୍କା ଘରେ ଥିବା ସ୍ତ୍ରୀଙ୍କୁ ପଠାଉଥିଲେ । କିଛିଦିନ ପରେ ନିଜ ଗାଁ ମାଟି ସିସୁଣ୍ଡାକୁ ଫେରିଆସିଥିଲେ । କଣ ହେଲା କେଜାଣି ଧୀରେ ଧୀରେ ସବୁ କିଛି ଭୁଲି ହରାଇ ବସିଥିଲେ ନିଜର ସ୍ମରଣ ଶକ୍ତି,କେତେବେଳେ ହସୁଛି ତ କେତେବେଳେ ପୁରା ଗୁମ୍ ଶୁମ୍ । କିଏ ଦେଲେ ଖାଏ ନହେଲେ ଉପବାସରେ ଦିନ କଟିଯାଏ । ତେବେ ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରୁ ତରଫରୁ କିଛି ସାହାର୍ଯ୍ୟ ମିଳିଲେ ସେ ଭଲ ହୋଇ ନିଜର ଖୁସିର ଜୀବନ ବିତେଇ ପାରିବେ ବୋଲି ଗ୍ରାମବାସୀ ଅନୁରୋଧ କରିଛନ୍ତି ।


