ମାନିବାକୁ ନାରାଜ ଫନି ରାତିର ଖର୍ଚ୍ଚ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ସମଗ୍ର ରାଜ୍ୟର ଲୋକମାନେ ବାତ୍ୟା ଫନି ପାଇଁ ଆତଙ୍କିତ ରହିଥିଲା ବେଳେ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।ତଳିଆ ଅଂଚଳ ଓ କଚ୍ଚାଘରେ ରହୁଥିବା ଜନସାଧାରଣମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ସେମାନଙ୍କୁ ମେ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ସକାଳ ବେଳା ଶୁଖିଲା ଖାଦ୍ୟ ଓ ଦୁଇ ବେଳା ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାର ସୁପରିଚାଳନା ପାଇଁ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି ଓ ନାଉଗାଁ ବ୍ଲକ ନୋଡାଲ ଅଧିକାରୀ ଭାବେ ରାଜୀବ ଲୋଚନ ସିଂ ନିୟୋଜିତ ହୋଇଥିଲେ । ଏହି କାର୍ଯ୍ୟକୁ ପରିଚାଳନା କରିବା ପାଇଁ ବ୍ଲକ ପ୍ରଶାସନକୁ ସମସ୍ତ ଦାୟିତ୍ୱ ଦିଆଯାଇଥିଲା । ବ୍ଲକ ପ୍ରଶାସନ ପକ୍ଷରୁ ଅସୁରକ୍ଷିତ ବାସଗୃହରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଇ ୭ଟି ସ୍ଥାନ ତଥା ରୋହିଆ ପଂଚାୟତର ପାଂଚପା, ନୂଆଗାଁ ପଂଚାୟତର ଖଇରାବସ୍ତ, ଶିଖର ପଂଚାୟତର ଅଙ୍ଗେଶ୍ୱରପଡା, କୋରୁଅର ସୁଆଁକଣ ଓ ଗାରୋଇ,ଘୋଡାଂଶର ଓଡପଏଙ୍ଗା,ବଛାଳର ପୋକାମୂଳ ଥିବା ବାତ୍ୟା ଆଶ୍ରୟସ୍ଥଳୀ, ଅଙ୍ଗନୱାଡୀ କେନ୍ଦ୍ର ଓ ବିଦ୍ୟାଳୟ ଆଦିରେ ସ୍ଥାନରେ ରଖା ଯାଇଥିବା ସୂଚନା ଦିଆଯାଇଥିଲା । ହେଲେ କେଉଁ ଆଶ୍ରୟସ୍ଥଳିରେ କେତେ ଲୋକ ରହୁଛନ୍ତି, କେତେ ଲୋକଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦିଆଯାଉଛି ବ୍ଲକ ପ୍ରଶାସନ ପକ୍ଷରୁ ତଥ୍ୟ ଦିଆଯାଇନଥିଲା । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଏ ସଂର୍ପକରେ ଖବର ପ୍ରକାଶ ପାଇଥିଲା । ଏହାର ସଠିକ ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ନାଉଗାଁ ବ୍ଳକ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀଙ୍କ ନିକଟରେ ଫନି ତଥ୍ୟ ପାଇଁ ଫର୍ମ ଆବେଦନ କରାଯାଇଥିଲା । ହେଲେ ଜନ ସୂଚନା ଅଧିକାରୀଙ୍କ ପକ୍ଷରୁ ଧାର୍ଯ୍ୟ ସମୟ ମଧ୍ୟ ତଥ୍ୟ ପ୍ରଦାନ ନ କରାଯିବାରୁ କାର୍ଯ୍ୟାଳୟର ପ୍ରଥମ ଅପିଲ କତୃପକ୍ଷଙ୍କ ନିକଟରେ ଅପିଲ କରାଯାଇଥିଲା । ପ୍ରଥମ ଅପିଲ କତୃପକ୍ଷଙ୍କ ଦ୍ୱାରା ସଂପୂର୍ଣ୍ଣ ତଥ୍ୟ ମିଳିବା ପରିବର୍ତେ ଫନି ବାତ୍ୟାର ମୁକାବିଲାରେ ଆଶ୍ରୟସ୍ଥଳିରେ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ସୂଚାରୁ ରୁପେ ପ୍ରଦାନ କରାଯାଇଛି ବୋଲି ଦର୍ଶାଯିବା ସହିତ ଏହାର ସମସ୍ତ ତଥ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ଥିବା ସୂଚନା ପ୍ରଦାନ କରାଯାଇଛି । ଫନି ବାତ୍ୟାର ରିଲିଫ ସାମଗ୍ରୀ ବ୍ଲକ ପ୍ରଶାସନ ଖର୍ଚ୍ଚ କରିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥ୍ୟ ମିଳିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୁଚନା ଅନୁସାରେ ଫନି ବାତ୍ୟାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ରିଲିଫ ସାମଗ୍ରୀ, ପରିମାଣ, ତାରିଖ ଓ ଦେଇଥିବା ସଂସ୍ଥା, ବାତ୍ୟା ଆଶ୍ରୟସ୍ଥଳିର ନାମ, ଗ୍ରହଣ କରିଥିବା ବ୍ୟକ୍ତି, ରନ୍ଧାଖାଦ୍ୟ କେତେ ଜଣ ବ୍ୟକ୍ତି ଓ ପିଲା ଖାଇଛନ୍ତି, କେଉଁ କେଉଁ ତାରିଖରେ ସେମାନଙ୍କୁ ଯୋଗାଇ ଦିଆଯାଇଥିବାକୁ ନେଇ ଜନ ସୂଚନା ଅଧିକାରୀ ଆଇନ ବଳରେ ବ୍ଲକ ପ୍ରଶାସନକୁ ତଥ୍ୟ ମଗା ଯାଇଥିଲା । କିନ୍ତୁ ନାଉଗାଁ ବ୍ଳକ ଜନ ସୂଚନା ଅଧିକାରୀଙ୍କ ପକ୍ଷରୁ ଧାର୍ଯ୍ୟ ସମୟ ମଧ୍ୟରେ ତଥ୍ୟ ପ୍ରଦାନ କରାଯାଇନଥିଲା । ଫଳରେ ଏହି ତଥ୍ୟ ପାଇବା ପାଇଁ ବ୍ଲକର ପ୍ରଥମ ଅପିଲ କତୃପକ୍ଷଙ୍କ ନିକଟରେ ଆବେଦନ କରାଯାଇଥିଲା । ବ୍ଲକ କାର୍ଯ୍ୟାଳୟ ଚିଠି ସଂଖ୍ୟା ୨୨୮୦ ତା ୧୯ ଅକ୍ଟୋବର ୨୦୧୯ରେ ପ୍ରଥମ ଅପିଲ ଶୁଣାଣି ପାଇଁ ତା ୨୨ ଅକ୍ଟୋବର ୨୦୧୯ରେ କରାଯିବ ବୋଲି ଏକ ନୋଟିସ ମାଧ୍ୟମରେ ଜଣାଇ ଦିଆଯାଇଥିଲା ।ପ୍ରଥମ ଅପିଲ ଶୁଣାଣିରେ ପ୍ରଥମ ଅପିଲ କତୃପକ୍ଷଙ୍କ ଦ୍ୱାରା ଚିଠି ସଂଖ୍ୟା ୨୩୦୮ ତା ୨୨ ଅକ୍ଟୋବର ୨୦୧୯ରେ ସୂଚନା ପ୍ରଦାନ କରାଯାଇଥିଲା । ଯେଉଁ ତଥ୍ୟ ଅନୁସାରେ ଫନି ବାତ୍ୟାର ମୁକାବିଲା ନିମନ୍ତେ ଚାଉଳ, ଗୁଡ, ଚୁଡା, ଅମୁଲ, ବିସ୍କୁଟ ଆଦି ଫନି ପ୍ରଭାବିତ ଲୋକମାନଙ୍କୁ ସଠିକ ଭାବେ ଯୋଗାଇ ଦିଆଯାଇଥିବା ବେଳେ ୭ ଗୋଟି ଆଶ୍ରୟ ସ୍ଥଳରେ ମାଗଣା ରନ୍ଧା ଖାଦ୍ୟ ସୂଚାର ରୂପେ ଯୋଗାଇ ଦିଆଯାଇଥିବା ଦର୍ଶାଯାଇଛି । ଏହାର ସଠିକ ପରିମାଣ ଓ ଅନ୍ୟ ସମସ୍ତ ତଥ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ହେବ ବୋଲି ମଗା ଯାଇଥିବା ସୂଚନା ତଥ୍ୟରେ ଦର୍ଶାଯାଇଛି । ଫନି ବାତ୍ୟାର ଉଦ୍ଧାର କାର୍ଯ୍ୟ ବ୍ଲକ ପ୍ରଶାସନ ପକ୍ଷରୁ କରାଯାଇଥିବା ବେଳେ ଏ ସମସ୍ତ ତଥ୍ୟ ଦେବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ମିଳିବ ବୋଲି ସୂଚନା ଦେବା ବ୍ଲକ ପ୍ରଶାସନ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଖାଲି ସେତିକି ନୁହେଁ ସୂଚନା ଅଧିକାର ଆଇନର ତଥ୍ୟ ବି ବ୍ଲକ ପ୍ରଶାସନ ପକ୍ଷରୁ ସମାନ ତଥ୍ୟ ଲିଖିତ ଆକାରରେ ଦିଆଯାଇଛି । ଯାହାକୁ ନେଇ ବ୍ଲକ ପ୍ରଶାସନର କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଠାରେ ଉଲ୍ଲେଖ ଥାଉକି, ଫନି ବାତ୍ୟା ସମୟରେ ବ୍ଲକ ପ୍ରଶାସନ ପକ୍ଷରୁ ନାଉଗାଁ ବ୍ଲକର ୭ଟି ଆଶ୍ରୟ ସ୍ଥଳିରେ ସ୍ଥାନାନ୍ତରିତ ଲୋକଙ୍କୁ ରହିବାର ବ୍ୟବସ୍ଥା କରାଯାଇଥିଲା । ସେଥି ମଧ୍ୟରୁ ଖଇରାବସ୍ତରେ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ୧୨୦ଲୋକ ରହିଥିବା ବେଳ ଅଙ୍ଗେଶ୍ୱରପଡା ବାତ୍ୟା ଆଶ୍ରୟସ୍ଥଳୀରେ ୨୦୦,ପୋକାମୂଳରେ ୨୦୦ ଲୋକ ରହିଥିବା ବେସରକାରୀ ସୂତ୍ରରୁ ଜଣାଯାଇଥିଲା ।ସେହିପରି କୋରୁଅ ପଂଚାୟତର ସୁଆଁକଣ ୪୦ଜଣ ଲୋକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ୨ ତାରିଖ ସଂଧ୍ୟାରେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୩ ତାରିଖ ରାତ୍ରି ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା । ହେଲେ ସେହି ପଂଚାୟତର ଗାରୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୦ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲେ ମଧ୍ୟ କୌଣସି ରନ୍ଧା କିମ୍ବା ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଇନଥିବା ସେମାନେ ଅଭିଯୋଗ କରିଥିଲେ । ଏ ବିଷୟକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସଠିକ ତଥ୍ୟ ପଦାକୁ ଆସିବା ସହିତ ସଂପୃକ୍ତ ଥିବା ଅଧିକାରୀମାନଙ୍କର ମୁଖା ଖୋଲିବ ବୋଲି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ