ମାନିଲା ଚୀନ୍: କାଶ୍ମୀର, ଅରୁଣାଚଳ ଭାରତର ଅଂଶ
ନୂଆଦିଲ୍ଲୀ(ଏଜେନ୍ସି): ଗୋଟିଏ ପଟେ ବେଜିଂରେ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ସମ୍ମିଳନୀ ଚାଳିଥିବା ସମୟରେ ଅନ୍ୟପକ୍ଷେ ଭାରତକୁ କୂଟନୈତିକ ବିଜୟ ମିଳିଛି । କାଶ୍ମୀର ଏବଂ ଅରୁଣାଚଳ ଭାରତ ହିଁ ଅଂଶବିଶେଷ ବୋଲି ଚୀନ୍ ସ୍ୱୀକାର କରିବାକୁ ବାଧ୍ୟ ହୋଇଛି । ଚୀନ୍ ପ୍ରଥମ ଥର ପାଇଁ ଜମ୍ମୁକଶ୍ମୀର ଏବଂ ଅରୁଣାଚଳ ପ୍ରଦେଶକୁ ଭାରତ ଅଭିନ୍ନ ଏବଂ ଅବିଚ୍ଛେଦ୍ୟ ଅଂଶବିଶେଷ ବୋଲି ବିଆରଆଇ ମାନଚିତ୍ରରେ ସ୍ୱୀକାର କରିଛି । ତେବେ ମାସୁଦ୍ ଆଝାର ପ୍ରସଙ୍ଗରେ ଚୀନ୍ ନିଜ ସ୍ପଷ୍ଟ ଆଭିମୁଖ୍ୟ ରଖିନଥିବା କାରଣରୁ ଭାରତ, ଚୀନ୍ ପକ୍ଷରୁ ଆୟୋଜିତ ବିଆରଆଇର ଏହି ଦ୍ୱିତୀୟ ସମ୍ମିଳନୀକୁ ବୟକଟ୍ କରିଛି । କିନ୍ତୁ ଭାରତକୁ ମନାଇବା ପାଇଁ ସମ୍ଭବତଃ ଚୀନ୍ ଭାରତ ସୀମା ମଧ୍ୟ ଦେଇ ବେଲ୍ଟ ଆଣ୍ଡ ରୋଡର କାଳ୍ପନିକ ମାର୍ଗ ବିଛାଇ ମାନଚିତ୍ର ପ୍ରସ୍ତୁତ କରିଛି । ଚୀନ୍ର ବାଣିଜ୍ୟ ମନ୍ତ୍ରଣାଳୟ ଏହି ସମ୍ମିଳନୀ ଅବସରରେ ହିଁ ଏହି ମାନଚିତ୍ର ପ୍ରଦର୍ଶନ କରିଛି ।
ଚୀନ୍ ନିଜ ମାନଚିତ୍ରରେ ଅରୁଣାଚଳକୁ ଭାରତର ବୋଲି ପ୍ରଦର୍ଶନ କରିବା ଏକ ଛୋଟ କଥା ନୁହେଁ । କାରଣ ଚୀନ୍ ଦୀର୍ଘ ସମୟ ଧରି ଅରୁଣାଚଳକୁ ନିଜର ବୋଲି ଦାବି କରିଆସୁଛି । ତେବେ ଏବେ ଚୀନ୍ର ଏପ୍ରକାର ଆଭିମୁଖ୍ୟ ଦେଖିଲେ ଚୀନ୍ ଭାରତକୁ ଏବେ ଭୟ କରିବା ଆରମ୍ଭ କରିଛି ବୋଲି କୂଟନୈତିକ ବିଶେଷଜ୍ଞ କହିଛନ୍ତି । ପ୍ରକାଶଯୋଗ୍ୟ, ଗତ କିଛିଦିନ ତଳେ ଏଭଳି ଏକ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଭାରତର ବୋଲି ଦର୍ଶାଯାଇଥିବାରୁ ଚୀନରେ ୧ ହଜାରରୁ ଊଦ୍ଧ୍ୱର୍ ମାନଚିତ୍ର ପୋଡ଼ାଯାଇଥିଲା । ଏପରିକି ଚୀନ୍ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବବ୍ତ ଭାବେ ଦର୍ଶାଇ ଆସୁଛି, ଯାହାର ଉତ୍ତର ଭାଗକୁ ଏହା ବର୍ତ୍ତମାନ ଦଖଲ କରି ରଖିଛି । କେବଳ ସେତିକି ନୁହେଁ ଭାରତର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଅରୁଣାଚଳ ଗସ୍ତକୁ ମଧ୍ୟ ଚୀନ୍ ବରାବର ବିରୋଧ କରିଆସିଛି । ଅନ୍ୟପକ୍ଷରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ଉପୁଜିଥିବା ଡୋକ୍ଲାମ୍ ବିବାଦ ମଧ୍ୟ କାହାରିକୁ ଅଛପା ନାହିଁ । ସେହିପରି ପୂର୍ବରୁ ଯେବେ ମଧ୍ୟ ଏଭଳି ଅବସର ଆସିଛି ଚୀନ୍ ଜାମ୍ମୁ କାଶ୍ମୀରର କିଛି ଅଂଶକୁ ପାକିସ୍ତାନର ଅଂଶ ଦର୍ଶାଇଛି । କିନ୍ତୁ ପାକିସ୍ତାନ ଅଧିକୃତ କଶ୍ମୀରକୁ ବର୍ତ୍ତମାନ ଚୀନ୍ ଭାରତର ଅଂଶବିଶେଷ ଭାବେ ଦର୍ଶାଉଛି । ଯଦି ଏହା ସତ ହୋଇଥାଏ, ଏହା ଭାରତର ଏକ ବିରାଟ କୂଟନୈତିକ ବିଜୟ ବୋଲି କୁହାଯାଇ ପାରିବ । ଭାରତ-ଚୀନ୍ ପ୍ରସଙ୍ଗରେ ବିଶେଷ ରୁଚି ରଖୁଥିବା କିଛି ବିଶେଷଜ୍ଞ କହିଛନ୍ତି, ଏହା ଭାରତକୁ ସନ୍ତୁଷ୍ଟ କରିବାକୁ ଚୀନ୍ର ରଣନୀତି ହୋଇପାରିଥାଏ । କାରଣ ଗତ ନଭେମ୍ବରରେ ଚୀନ୍ର ରାଷ୍ଟ୍ରୀୟ ଟିଭି ଚ୍ୟାନେଲ ଚୀନ୍ ଦୂତାବାସ ଉପରେ ଆତଙ୍କବାଦୀ ଆକ୍ରମଣର ଖବର ପ୍ରସାରଣ କରିବା ସମୟରେ ପିଓକେକୁ ପାକିସ୍ତାନର ବୋଲି ଦର୍ଶାଇନଥିଲା । ପିଓକେକୁ ପାକିସ୍ତାନର ମାନଚିତ୍ରକୁ ବାଦ୍ ଦେବାର ଆଉ ଏକ କାରଣ ମଧ୍ୟ ଥାଇପାରେ । କୁହାଯାଉଛି, ଚୀନ୍ ପାକିସ୍ତାନ ଇକୋନୋମିକ୍ କରିଡର (ସିପେକ୍) ପିଓକେ ମଧ୍ୟ ଦେଇ ଯାଉଛି । ଏହା ଭାରତର ଅଖଣ୍ଡତାକୁ ଅସ୍ୱୀକାର କରୁଥିବାରୁ ଭାରତ ଏହି ପ୍ରକଳ୍ପକୁ ବିରୋଧ କରିଆସୁଛି । ଚୀନ୍ର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ପାଇଁ ସିପେକ୍ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।