ପଂଚାୟତିରାଜ ମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ:ବିଭିନ୍ନ ପ୍ରକଳ୍ପର ଉଦଘାଟନ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଆଜି ପୂର୍ବାହ୍ନରେ ବାଲେଶ୍ୱର ସଦର ବ୍ଲକରେ ମାନ୍ୟବର ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ପୂର୍ବାହ୍ନ ପ୍ରାୟ ଘ୧୦.୩୦ମି ସମୟରେ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଖାନନଗର ଠାରେ ନବନିର୍ମିତ ଗ୍ରାମପଂଚାୟତ କାର୍ଯ୍ୟାଳୟକୁ ମାନ୍ୟବର ମନ୍ତ୍ରୀ ଶୁଭ ଉଦଘାଟନ କରିଥିଲେ । ପଂଚାୟତର ବିକାଶରେ ଏହା ବେଶ ସହାୟକ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଏହା ପରେ ସ୍ଥାନୀୟ ବାଙ୍ଗରା ଗ୍ରାମ ଠାରେ ନୂତନ ଭାବେ ନିର୍ମିତ ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ଲୋକାର୍ପିତ କରିଥିଲେ । ସମସ୍ତ ଅଂଚଳକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇଦେବାକୁ ଯେଉଁ ଲକ୍ଷ୍ୟ ରହିଛି ଏହି ପ୍ରକଳ୍ପ ତାହାକୁ ସାକାର କରିପାରିବ ବୋଲି ସେ କହିଥିଲେ । ପରେ ପରେ ପାଖରେ ନିର୍ମିତ ଏକ ନୂତନ ଅଙ୍ଗନୱାଡି କେନ୍ଦ୍ରକୁ ମଧ୍ୟ ମାନ୍ୟବର ମନ୍ତ୍ରୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା, ପୂର୍ବତନ ସାଂସଦ ଶ୍ରୀ ରବୀନ୍ଦ୍ର ଜେନା, ସଦର ବ୍ଲକ ଅଧ୍ୟକ୍ଷ ଶ୍ରୀ ନାରାୟଣ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁଧାଂଶୁ ଶେଖର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଉମିଲତା ଦାସଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ । ଗତକାଲି ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଭୋଗରାଇ ବ୍ଲକ ଗସ୍ତ କରିବା ସହ ଜଳେଶ୍ୱରପୁରଠାରେ ନୂତନ ଗ୍ରାମ ପଂଚାୟତ କାର୍ଯ୍ୟାଳୟ, ମିଶନ ଶକ୍ତି ଗୃହ ଏବଂ ମାର୍କେଟ କମ୍ପେ୍ଲକ୍ସର ଉଦଘାଟନ କରିଥିଲେ । ଭୋଗରାଇ ପଂଚାୟତ ସମିତି କାର୍ଯ୍ୟାଳୟରେ ପହଂଚି ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ । ଏହା ପରେ ଗୋଚ୍ଛିଦା ତେଘରୀ ପଂଚାୟତରେ ନବ ନିର୍ମିତ ପଂଚାୟତ କାର୍ଯ୍ୟାଳୟ, ପାଠାଗାର ଏବଂ ମାର୍କେଟ କମ୍ପେ୍ଲକ୍ସର ଲୋକାର୍ପଣ କରିଥିଲେ । ଗତକାଲିର ଦିବସବ୍ୟାପୀ କାର୍ଯ୍ୟକ୍ରମରେ ମାନ୍ୟବର ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଅନନ୍ତ ଦାସ, ପୂର୍ବତନ ସାଂସଦ ଶ୍ରୀ ରବୀନ୍ଦ୍ର କୁମାର ଜେନା, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନିବେଦିତା ମହାନ୍ତି, ବ୍ଲକ ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରାଙ୍କ ସମେତ ସ୍ଥାନୀୟ ଜନସାଧାରଣ ଏବଂ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ ।