ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତୀ ପ୍ରକାଶନ ସଂସ୍ଥା ପକ୍ଷରୁ ଅନାମିକା ଦାସଙ୍କ “ଅବୁଝା ଏ ମନ”ର ଇଂରାଜୀ ଅନୁବାଦ “The Unconsoled Mind” ଏବଂ ହିନ୍ଦି ଅନୁବାଦ “ଦିଲ୍ ହେ କି ମାନତା ନେହିଁ” ପୁସ୍ତକ ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ରାଜ ଭବନ ପରିସରରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଛି । ପୁସ୍ତକ ଉନ୍ମୋଚନ କରି ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଥିଲେ ଯେ ଅନାମିକାଙ୍କ ବହି “ଅବୁଝା ଏ ମନ” ପୂର୍ବରୁ ଲୋକମାନଙ୍କ ନିକଟରେ ଖୁବ୍ ପ୍ରଶଂସନୀୟ ହୋଇପାରିଛି ଯାହାକି ତାଙ୍କୁ ଏହି ବହିଟିକୁ ଇଂରାଜୀ ଏବଂ ହିନ୍ଦି ଭାଷାରେ ଅନୁବାଦ କରିବା ପାଇଁ ଅଧିକରୁ ଅଧିକ ପ୍ରେରଣା ମିଳିଥିଲା । ଏହି ବହିଟିକୁ କିପରି ଓଡିଶା ବ୍ୟତୀତ ଅନ୍ୟାନ୍ୟ ରାଜ୍ୟର ଲୋକମାନଙ୍କ ପାଖରେ ପହଂଚିପାରିବ ସେଥିପାଇଁ ଏହି ପୁସ୍ତକଟିକୁ ଇଂରାଜୀ ଏବଂ ହିନ୍ଦିରେ ଅନୁବାଦ କରାଯାଇଛି । “The Unconsoled Mind” ବହିଟିକୁ ସିଦ୍ଧଭୈରବୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ମୋନାଲିସା ଦାସ ଇଂରାଜୀ ଭାଷାରେ ଅନୁବାଦ କରିଥିବା ବେଳେ “ଦିଲ୍ ହେ କି ମାନତା ନେହିଁ” ପୁସ୍ତକଟିକୁ ସୁଶ୍ରୀ ଅନିତା ଦାସ ହିନ୍ଦି ଭାଷାରେ ଅନୁବାଦ କରିଛନ୍ତି । ଏହି ପୁସ୍ତକ ଉନ୍ମୋଚନ ସମୟରେ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ଜାତୀୟ ଉପସଭାପତି ତଥା ଓଡିଶା ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ର, ରାଜ୍ୟପାଳଙ୍କ ଲୋକ ସଂପର୍କ ଅଧିକାରୀ ଶ୍ରୀ ରକ୍ଷକ ନାୟକ, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ଯୁଗ୍ମ ସମ୍ପାଦକ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକ, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ରାଜ୍ୟ ସଂଗଠନ କମିଶନର ଏବଂ ଆଡମିନିଷ୍ଟ୍ରେଟିଭ୍ ଅଫିସର ତଥା ଲେଖିକା ଶ୍ରୀମତୀ ଅନାମିକା ଦାସ, ଅନୁବାଦିକା ସୁଶ୍ରୀ ଅନିତା ଦାସ ଏବଂ ଶ୍ରୀମତୀ ମୋନାଲିସା ଦାସ ଉପସ୍ଥିତ ଥିଲେ । ଏହି ପୁସ୍ତକଟିରେ ମୋଟ୨୦ ଗୋଟି ଗଳ୍ପ ସ୍ଥାନିତ ହୋଇଛି । ଏହି ପୁସ୍ତକ ଦୁଇଟି ପାଠକୀୟ ସ୍ୱକୃତୀ ଲାଭ କରିବ ବୋଲି ଲେଖିକା ଶ୍ରୀମତୀ ଦାସ ଆଶା କରିଛନ୍ତି । ଏହି ବହିଗୁଡିକର ପ୍ରଛଦ ଆକୃତି ଶ୍ରୀ ସନ୍ତୋଷ ଦେଓ କରିଥିବା ବେଳେ ଭବିଷ୍ୟତରେ ଏହି ପୁସ୍ତକଟିକୁ ବଙ୍ଗଳା ଏବଂ କନ୍ନଡ ଭାଷାରେ ଅନୁବାଦ କରାଯିବ ବୋଲି ସୂଚନା ଦେଇଛନ୍ତି ।