ମା’ବାଲିହରଚଣ୍ଡୀଙ୍କ ବାପଘରୁ ସାବିତ୍ରୀ ଭାର ଆସିଲା
ବ୍ରହ୍ମଗିରି (ଯୁଗାବ୍ଦ ନ୍ୟୁଜ୍): ରୀତିନୀତି ଅନୁଯାୟୀ ସାବିତ୍ରୀ ଅମାବାସ୍ୟା ତିଥିରେ ସାବିତ୍ରୀ ପୂଜା ନିମନ୍ତେ ପ୍ରତ୍ୟେକଙ୍କ ବାପ ଘରୁ ସାବିତ୍ରୀ ଭାର ଆସିଥାଏ । ସେହିପରି ସୋମବାର ମା’ବାଲି ହରଚଣ୍ଡୀଙ୍କ ନିକଟକୁ ସାବିତ୍ରୀ ପର୍ବ ପାଇଁ ତାଙ୍କ ବାପ ଘରୁ ଭାର ଆସି ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରାଯାଇଛି । ଘଣ୍ଟ, ଘଣ୍ଟା, ଖୋଳକିର୍ତ୍ତନ ଓ ବାଣରୋଷଣୀରେ ସାବିତ୍ରୀ ଭାର ଆସିଥିଲା । ମା’ଙ୍କର ବାପଘର ରୁପେ ପରିଚିତ ବ୍ରହ୍ମଗିରି ଅଞ୍ଚଳର ମାତଲାପୁର, ଖେତାଣ୍ଡି, ଧରଣିକୁଦୀ, ନହରବାଲି ଓ କୁଅପଦା ୫ ପଡାରୁ ପୂଜା ସାମଗ୍ରୀ ଭାର ଆସିଥିଲା । ଏହି ସାବିତ୍ରୀ ଭାରରେ ଶାଢୀ, ଶଙ୍ଖା, ଅଳତା, ସିନ୍ଦୁର, ଆମ୍ବ, ପଣସ, ନଡିଆ, ତାଳ, ଖଜୁରିକୋଳି, ସପୁରୀ, ସେଓ, ଅଙ୍ଗୁର, କମଳା, ମୁଗ, ଅରୁଆଚାଉଳ ଇତ୍ୟାଦି ରହିଥିଲା । ସମସ୍ତ ସାମଗ୍ରୀକୁ ପାରମ୍ପରିକ ରୀତିରେ ଭୋଗ ଲାଗି କରାଯାଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଇଛି । ମା’ଙ୍କ ସେବକ ନୀଳମଣୀ ସୁଆର ଓ ମା’ବାଲି ହରଚଣ୍ଡୀ ମନ୍ଦିର ପରିଚାଳନା କମିଟି ସଭାପତି ଲକ୍ଷ୍ମୀଧର ପୁଜାରୀ କୁହନ୍ତି ବ୍ରହ୍ମଗିରି ଅଞ୍ଚଳରେ ପଞ୍ଚୁପାଣ୍ଡବଙ୍କ ମନ୍ଦିର ରହିଛି । ତତ୍ ସହିତ ଦ୍ରୌପଦୀ ସ୍ୱୟଂ ମା’ବାଲିହରଚଣ୍ଡୀଙ୍କ ମନ୍ଦିର ମଧ୍ୟ ରହିଛି । ଏହି ପାଞ୍ଚପଡା ମା’ହରଚଣ୍ଡୀଙ୍କର ବାପଘର ଭାବେ ପୁରାଣରେ ବର୍ଣ୍ଣିତ । ମା’ଙ୍କ ପୀଠରେ ବାରମାସରେ ଯେତେ ପର୍ବ ହୁଏ ସେଥିପାଇଁ ବାପଘର ବୋଲାଉଥିବା ପାଞ୍ଚପଡାରୁ ପୂଜା ସାମଗ୍ରୀ ଆସିଥାଏ । ଭାଦ୍ରବ ମାସ ଅମାବାସ୍ୟା ପରେ ପ୍ରଥମ ମଙ୍ଗଳବାର, ଆଶ୍ୱିନମାସ ଷୋଳପୂଜା ଏବଂ ସାବିତ୍ରୀ ଅମାବାସ୍ୟା ପୂଜା ତିଥିରେ ବାପଘରୁ ମା’ଙ୍କ ନିକଟକୁ ସ୍ୱତନ୍ତ୍ର ପୂଜା ଭାର ଆସିଥାଏ । କିମ୍ବଦନ୍ତୀ କହେ ମା’ଙ୍କ ପୀଠରେ କେତେବେଳେ କୌଣସି ଅସୁବିଧା ଉପୁଜିଲେ ବାପଘର ପାଞ୍ଚପଡା ଲୋକେ ଆସି ତାହାର ସମାଧାନ କରିଥାଆନ୍ତି । ମାଆଙ୍କର କିଛି ଆବଶ୍ୟକ ପଡିଲେ ପାଞ୍ଚପଡାର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସ୍ୱପ୍ନରେ ଜଣାଇବାର ପ୍ରମାଣ ମଧ୍ୟ ରହିଛି । ପାଞ୍ଚପଡା ବାପଘରୁ ସାବିତ୍ରୀ ଭାର ନେଇ ଆସିଥିବା ଡା. ମନୋରଞ୍ଜନ ରାୟ, କାଶିନାଥ ନାୟକ କୁହନ୍ତି ଏହି ପରମ୍ପରା ବହୁ ପୁରାତନ କାଳରୁ ଚଳି ଆସୁଛି । ଆଜି ଏହି ପରମ୍ପରାକୁ ଉଜ୍ଜିବୀତ ରଖିବା ପାଇଁ ପାଞ୍ଚପଡାବାସୀଙ୍କର ଏହି ଉଦ୍ୟମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।