ମାମଲା ରୁଜୁ କରି ପୋଲିସ ଚୁପ୍
ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ଥାନା ଅନ୍ତର୍ଗତ ଘୋଡାଂଶ ପଂଚାୟତ ସଂସାଇଲୋ ଗ୍ରାମରେ ଦୀର୍ଘଦିନ ହେବ ନାଉଗାଁ ଥାନାରେ ଏକ ଅଭିଯୋଗ କରାଯାଇଥିଲା । ଉକ୍ତ ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ସଙ୍ଗୀନ ଦଫା ଲଗାଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉନାହିଁ । ଯାହାଫଳରେ ଅଭିଯୋଗକାରୀ ଗୁରୁବାର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି ।
ଖବର ନେବାରୁ ଜଣାଯାଇଛି ଯେ ଉକ୍ତ ଗ୍ରାମର ବିଜୟ ସ୍ୱାଇଁଙ୍କ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ତାଙ୍କ ପଡୋଶୀ ସୁଧୀର ସ୍ୱାଇଁ, ବିଦୁର ସ୍ୱାଇଁ, ମାମିନା ସ୍ୱାଇଁଙ୍କ ବାପା ଶଙ୍କର ସ୍ୱାଇଁ ତାଙ୍କୁ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବା ବିଜୟଙ୍କ ପୁଅ ମନୋଜ ନାଉଗାଁ ଥାନାରେ ଅଗଷ୍ଟ ୫ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ମନୋଜଙ୍କ ଅଭିଯୋଗ ମୁତାବକ ପଡୋଶୀଙ୍କ ଆକ୍ରମଣରେ ତାଙ୍କ ବାପା ବିଜୟ ଓ ମା ମନୋରମା ଗୁରୁତର ହୋଇ ପଡିଥିଲେ । ଉଭୟଙ୍କ ମୁଣ୍ଡ ଫାଟି ଯିବା ସହିତ ପ୍ରବଳ ରକ୍ତସ୍ରାବ ହେଉଥିଲା । ଏହି ସମୟରେ ସୁଧୀର, ମାମିନା, ବିଦୁର,ତାଙ୍କ ମାକୁ ଦାଣ୍ଡ ମଝିକୁ ଘୋଷାଡି ନେଇ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିବା ସହିତ ସେମାନଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଉଭୟ ନାଉଗାଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ଆସାମୀମାନେ ସେଠାରେ ପହଂଚି ଥାନାରେ ଅଭିଯୋଗ କଲେ ସମସ୍ତଙ୍କୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେବୁ ବୋଲି ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଥାନା ପକ୍ଷରୁ ଅଭିଯୋଗ ପାଇବା ପରେ ତଦନ୍ତ କରାଯାଇ ୪ଜଣଙ୍କ ନାମରେ କେଶ ନମ୍ବର ୧୧୫/୨୦ରେ ଏକ ମାମଲା ରୁଜୁ କରାଯାଇ ଆଇପିସି ଧାରା ୩୦୭, ୩୪୧, ୩୫୪(ବି), ୫୦୬, ୪୨୭, ୩୪ ଭଳି ସଂଗୀନ ଦଫା ଲଗାଯାଇଅଛି । କିନ୍ତୁ ସଙ୍ଗୀନ ଦଫା ଲଗାଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ଆସାମୀମାନଙ୍କୁ ଗିରଫ କରାଯାଇନାହିଁ । ଯାହାଫଳରେ ସଂପୃକ୍ତ ଅଭିଯୁକ୍ତମାନେ ଥାନାରୁ କେସ ଉଠାଇବାକୁ ଧମକ ଦେଉଥିବା ବେଳେ ଥାନା ସହଅଧିକାରୀଙ୍କ ଦ୍ୱାରା ଖରାପ ବ୍ୟବହାରର ଶିକାର ହେଉଛନ୍ତି । ଯଦି ସେମାନଙ୍କୁ ନ୍ୟାୟ ନ ମିଳେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୂଖରେ ବିଷ ପିଇ ଜୀବନ ହାରିବେ ବୋଲି ମନୋରମା ଗତ ୧୭ ତାରିଖରେ ଏସପିଙ୍କ କାର୍ଯ୍ୟାଳୟର ଅଭିଯୋଗ ବାକ୍ସରେ ଥିବା ଅଭିଯୋଗ କରିଥିବା କହିଛନ୍ତି ।ଏବିଷୟରେ ନାଉଗାଁ ଥାନା ଆଇଆଇସି ଭରତ ବେହେରାଙ୍କ ମତାମତ ନେବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।