ମାମୁଁ ଘରେ ଭାଣିଜୀର ଆତ୍ମହତ୍ୟା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଗିରିଗାଁ ଗ୍ରାମରେ ଜଣେ ଯୁକ୍ତ ୨ଛାତ୍ରୀ ନିଜ ମାମୁଁ ଘରକୁ ଆସିଥିବାବେଳେ ସେଠାରେ ସେ ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଭଦ୍ରକ ଜିଲ୍ଲା ମଇଁଶିପୁର ଗ୍ରାମର ସନ୍ତୋଷ ଜେନାଙ୍କ ଝିଅ ପାୟଲୀ ପ୍ରୀୟଦର୍ଶନୀ ଦୁଇଦିନ ତଳେ ମାଉସୀର ଦେହ ଖରାପ ଖବର ପାଇ ଆନନ୍ଦପୁର ଡାକ୍ତରଖାନାକୁ ଆସି ଡାକ୍ତରଖାନାରେ ମାଉସୀ ପାଖରେ ରହି ତାଙ୍କୁ ଦେଖାରଖା କରୁଥିଲା । ସେ ଗତ ବୁଧବାର ଦିନ ମାଉସୀ ସହ ଡାକ୍ତରଖାନାରୁ ନିଜ ମାମୁଁ ଘର ଗିରିଗାଁକୁ ଫେରିଥିଲା । ଗତକାଲି ରାତିରେ ସମସ୍ତେ ଖାଇପିଇ ସାରି ଶୋଇବାକୁ ଯାଇଥିଲେ । ରାତି ୧୧ଟାରୁ ୧୨ଟା ଭିତରେ ସେ ଘରୁ ବାହାରି କେଉଁଆଡେ ଚାଲିଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାର ସନ୍ଧାନ ପାଇପାରି ନଥିଲେ । ଆଜି ସକାଳେ ତାର ମୃତଦେହ ଗାଁ ନିକଟସ୍ଥ ଏକ ଗଛରେ ଝୁଲୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏନେଇ ନନ୍ଦିପଦା ପୁଲିସକୁ ଜଣାଇବା ପରେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତୁ୍ୟ ମାମଲା ରୁଜୁକରି ଶବକୁ ଜବଦ କରିବା ସହିତ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା । ପାୟଲୀ ଛୁଆଟି ଦିନରୁ ମାମୁଁ ଘର ଗିରିଗାଁରେ ରହି ବଡ ହେବା ସହ ନିକଟସ୍ଥ ସ୍କୁଲରେ ପାଠପଢ଼ି ମାଟ୍ରକ ପାସ କରିଥିଲା । କିନ୍ତୁ ସବୁକିଛି ସ୍ୱଭାବିକ ଥିବାବେଳେ କେଉଁ ପରିସ୍ଥିତିରେ ଓ କାହିଁକି ସେ ଆତ୍ମହତ୍ୟା କଲା ତାର କାରଣ ଜଣାପଡି ନାହିଁ ।