ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ କାର୍ଯ୍ୟର ତଦାରଖ କଲେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ତଥା ଜିଲ୍ଲାର ଏକମାତ୍ର ପୌରାଂଚଳ ହିଞ୍ଜିଳିକାଟୁ ସହରକୁ ବାଣିଜ ବ୍ୟବସାୟ ସକାଶେ ପ୍ରତ୍ୟହ ନିକଟବର୍ତି ୪୦ରୁ ଉର୍ଦ୍ଧ୍ୱ ଗ୍ରାମର ଜନ ସାଧାରଣ ଓ ବ୍ୟବସାୟୀ ଆସିଥାନ୍ତି । ବହୁ ସଂଖ୍ୟକ ଗାଡ଼ି ମୋଟର ଓ ଯାନବାହାନ ପାର୍କି ସକାଶେ ସ୍ଥାନର ଅଭାବ ଯୋଗୁଁ ବହୁ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ପୌରାଂଚଳ ପରିବା ବଜାର ନିକଟସ୍ଥ ଅଂଚଳରେ ପ୍ରାୟ ୧୪୮୦ ବର୍ଗ ମିଟର ପରିମିତ ଅଂଚଳରେ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ ସକାଣେ ୫କୋଟି ୫୬ଲକ୍ଷ ଟଙ୍କା ବ୍ୟୟବରାଦ କରିବା ସହ ଗତ ୨୦୧୭ ମସିହା ଏପ୍ରିଲ ୧୪ ତାରିଖରେ ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ଗତ ୨୯ ତାରିଖ ଠାରୁ ଜବର ଦଖଲ ଉଛେଦ କରାଯାଇ ନିର୍ମାଣ କାର୍ଯ୍ୟାରମ୍ଭ କରାଯାଇଛି । ସୋମବାର ସନ୍ଧ୍ୟାରେ ପୂର୍ତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇଂ. ଅଶୋକ କୁମାର ଶତପଥୀ ସଂପୃକ୍ତ ସ୍ଥାନ ପରିଦର୍ଶନରେ ଆସି ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ସହକାରୀ ଯନ୍ତ୍ରୀ ଉମାଚରଣ ପାଢି, ଲଡ଼ୁକିଶୋର ପଣ୍ଡା, ଠିକାଦାର ସରୋଜ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।