ମାର୍ଚ୍ଚ ଆରମ୍ଭ ବଢିଲାଣି ଗ୍ରୀଷ୍ମ ପ୍ରବାହ : ୭ ସହରର ପାରଦ ୩୬ ଡ଼ିଗ୍ରୀ ଉପରେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ମାର୍ଚ୍ଚ ଆରମ୍ଭରୁ ବଢିଲାଣି ଗ୍ରୀଷ୍ମ ପ୍ରବାହ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ରେକର୍ଡ଼ କରାଯାଇଛି । ୩୮ ଡ଼ିଗ୍ରୀ ସେଲସିୟସ୍ ତାପମାତ୍ରା ସହ ଟିଟିଲାଗଡ଼ ସାରା ରାଜ୍ୟରେ ଉତପ୍ତ ସହର । ୩୬ ଡ଼ିଗ୍ରୀ ଉପରେ ରାଜ୍ୟର ୧୦ଟି ସହରର ଦିନ ତାପମାତ୍ରା । ରାଜ୍ୟକୁ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରୁ ବାୟୁ ପ୍ରବାହ ଶକ୍ତିଶାଳୀ ହେବାର ସମ୍ଭାବନା ଥିବାରୁ ଦିନ ତାପମାତ୍ରାର ୩ରୁ ୪ ଡ଼ିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି । ୧୬ ଓ ୧୭ ତାରିଖରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି । ରବିବାର ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୩୬.୯ ଡ଼ିଗ୍ରୀ ରହିଥିବା ବେଳେ, ଝାରସୁଗୁଡ଼ାର ୩୭.୩ ଡ଼ିଗ୍ରୀ, ସୁନ୍ଦରଗଡ଼ର ୩୬ ଡ଼ିଗ୍ରୀ, ହୀରାକୁଦର ୩୬.୨ ଡ଼ିଗ୍ରୀ, ଭବାନୀପାଟଣାର ୩୫.୫ ଡ଼ିଗ୍ରୀ, ବଲାଙ୍ଗୀରର ୩୭.୮ ଡ଼ିଗ୍ରୀ, ସୋନପୁରର ୩୬.୨ ଡ଼ିଗ୍ରୀ ଓ ବୌଦ୍ଧର ତାପମାତ୍ରା ୩୫.୫ ଡ଼ିଗ୍ରୀ ରହିଛି। ଆଗକୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ବୁଧବାର ୩ଟି ଜିଲ୍ଲା ଯଥା , ବଲାଙ୍ଗୀ, ସୋନପୁର ଓ ବୌଦ୍ଧରେ ଖରାର ସର୍ବାଧିକ ପ୍ରଭାବ ରହିବାର ଆଶଙ୍କା ରହିଛି I ସେହିପରି ଗୁରୁବାର ଏହି ୩ଜିଲ୍ଲା ସମେତ ଅନୁଗୁଳ, ନୟାଗଡ ଓ ଖୋର୍ଦ୍ଧାରେ ମଧ୍ୟ ଟାଣ ଖରା ହେବ । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଦୁଇ ପ୍ରଥମ ଦିନ ୩ ଓ ଦ୍ୱିତୀୟ ଦିନରେ ଏହି ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିବାକୁ ଏସଆରସି କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ତୃତୀୟ ସପ୍ତାହ ବେଳକୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।


