ମାର୍ଚ୍ଚ ତିନିରୁ +୨ ପରୀକ୍ଷା ଆରମ୍ଭ

ବ୍ରହ୍ମପୁର : ରାଜ୍ୟର ଦ୍ଵିତୀୟ ବୃହତ୍ତମ ମହତ୍ତ୍ୱପୂର୍ଣ୍ଣ +୨ ପରୀକ୍ଷା ଆଗାମୀ ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ତାରିଖରେ ସମ୍ପନ୍ନ ହେବ l ଅନ୍ୟୂନ କୋଡ଼ିଏଟି ସିଟି°ରେ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ସ୍ରୋତର ସବୁ ବିଷୟର ପରୀକ୍ଷା କରାଯିବା ନିମନ୍ତେ ଡିସେମ୍ବର ଶେଷ ସପ୍ତାହରୁ ପରୀକ୍ଷା ସୂଚୀ ପ୍ରକାଶ ପାଇସାରିଛି  +୨ ପରୀକ୍ଷାର ପ୍ରତ୍ୟେକ ସିଟି° ପୂର୍ବାହ୍ଣ ୧0ଟାରୁ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏ ସମୟରେ ଶେଷ ହେବ l ମାର୍ଚ୍ଚ ୩ ତାରିଖ ପ୍ରଥମ ଦିନ +୨ ବିଜ୍ଞାନ ପରୀକ୍ଷାର୍ଥୀଙ୍କ ଆଧୁନିକ ଭାରତୀୟ ଭାଷା-ଓଡ଼ିଆ ପରୀକ୍ଷା ହେବାକୁ ଯାଉଥିବା ବେଳେ ମାର୍ଚ୍ଚ ଚାରି ତାରିଖ ଦିନ +୨ କଳା ଓ ବାଣିଜ୍ୟ ପରୀକ୍ଷାର୍ଥୀମାନେ ଆଧୁନିକ ଭାରତୀୟ ଭାଷା-ଓଡ଼ିଆ ବିଷୟରେ ପରୀକ୍ଷା ଦେବେ l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର +୨ ପରୀକ୍ଷାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ, ସ୍ୱଚ୍ଛ, ନିରପେକ୍ଷ ଓ କପିମୁକ୍ତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ଏବଂ ସମସ୍ତ ‘ପରୀକ୍ଷା ପରିଚାଳନା ହବ’ ସୁପରଭାଇଜର ଓ ପରୀକ୍ଷା କେନ୍ଦ୍ର ତତ୍ତ୍ବାବଧାରକମାନଙ୍କୁ ଏ ସଂକ୍ରାନ୍ତରେ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରାଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡକ୍ଟର କୁଳମଣି ଓଝାଙ୍କ ସୌଜନ୍ୟରୁ ଜଣାପଡ଼ିଛି lଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଆଦି ଆଠଟି ଜିଲ୍ଲାରେ ମୋଟ ପଇଁଚାଳିଶଟି ‘ପରୀକ୍ଷା ପରିଚାଳନା ହବ’ ପ୍ରତିଷ୍ଠା କରାଯାଇଥିବା ବେଳେ ସର୍ବମୋଟ ୧୯୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି l ଇତି ମଧ୍ୟରେ ଉପର୍ଯ୍ଯୁକ୍ତ ସମସ୍ତ ‘ପରୀକ୍ଷା ପରିଚାଳନା ହବ’ରେ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପହଞ୍ଚି ସାରିଛି ଏବଂ ଚବିଶ ଘଣ୍ଟା ସିସିଟିଭି ସର୍ଭିଲେନ୍ସରେ ଥିବା ‘ହବ’ମାନଙ୍କରେ ସଶସ୍ତ୍ର ସୁରକ୍ଷା ବଳ ମୁତୟନ କରାଯାଇଥିବା ଡ. ଓଝା ପ୍ରକାଶ କରିଛନ୍ତି lପରୀକ୍ଷା ଦିନମାନଙ୍କରେ କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ଅତି କମରେ ଦୁଇ ଘଣ୍ଟା ପୂର୍ବରୁ ‘ହବ’ରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପ୍ରେରଣ କରାଯିବ ଏବଂ ପ୍ରତ୍ୟେକ କେନ୍ଦ୍ରକୁ ‘ହବ’ରୁ ଜଣେ ଜଣେ ଅବଜର୍ଭରଙ୍କୁ ପଠାଯିବ l ପରୀକ୍ଷା କେନ୍ଦ୍ରର ୨00 ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ମୋବାଇଲ ଫୋନ ଓ ସମସ୍ତ ପ୍ରକାର ଇଲେକ୍ଟ୍ରୋନିକ୍ସ ଗାଡ଼ଜେଟ୍ସ ବ୍ୟବହାର ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି l ଦକ୍ଷିଣାଞ୍ଚଳର ସମସ୍ତ ୧୯୮ ପରୀକ୍ଷା କେନ୍ଦ୍ରରେ ଇତିମଧ୍ୟରେ ସିସିଟିଭି ସଂଯୋଗ ହୋଇସାରିଥିବା ମହାବିଦ୍ୟାଳୟ ଅଧ୍ୟକ୍ଷମାନେ +୨ ଶିକ୍ଷା ପରିଷଦକୁ ସୂଚିତ କରିଥିବା ଉପସଚିବ ଡ. ଓଝାଙ୍କୁ ପଚାରିବାରେ ଜଣାପଡ଼ିଛି lଚଳିତ ବର୍ଷ ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାରେ ସର୍ବମୋଟ ୭୧୭୧0 ପରୀକ୍ଷାର୍ଥୀ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ