ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ରାଷ୍ଟ୍ରୀୟ ସ୍ମାରକ ତଥା ଐତିହାସିକ ପର୍ଯ୍ୟଟନ ସ୍ଥଳୀ
ନୂଆଦିଲ୍ଲୀ : କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଦେଶରେ ରହିଥିବା ସମସ୍ତ ଐତିହାସିକ ସ୍ଥଳୀ ତଥା ପର୍ଯ୍ୟଟନ ସ୍ଥଳୀକୁ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରାଯିବାର ଘୋଷଣା କରାଯାଇଛି । ତାଜମହଲ, ରେଡ ପୋର୍ଟ ଏବଂ କୁତବ ମିନାର ସମେତ ଦେଶର ସମସ୍ତ ଐତିହାସିକ ପର୍ଯ୍ୟଟନ ସ୍ଥଳୀକୁ ଆସନ୍ତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରହିବ। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଏହି ସୂଚନା ଦେଇ କହିଛନ୍ତି ଯେ, “କରୋନା ଭାଇରସକୁ ଦୃଷ୍ଟିରେ ରଖି ସମସ୍ତ ଏଏସ୍ଆଇ ସଂରକ୍ଷିତ ସ୍ମାରକୀ ଏବଂ ଭାରତର କେନ୍ଦ୍ରୀୟ ସଂଗ୍ରହାଳୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ଏହାପୂର୍ବରୁ ସରକାର କରୋନା ଭାଇରସକୁ ବିଭିନ୍ନ ପରାମର୍ଶ ଜାରି କରିଛନ୍ତି। ଭାରତରେ କରୋନାକୁ ମହାମାରୀ ଘୋଷଣା କରାଯାଇଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସମ୍ପର୍କିତ ନୂତନ ୧୧ଟି ମାମଲା ସାମ୍ନାକୁ ଆସିଛି। ଭାରତରେ ସର୍ବମାଟ ସଂକ୍ରମିତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଥିବାବେଳେ ଆଜି ଆଉଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ଜଣେ ବୟସ୍କ ଏହି ରୋଗରେ ମୃତ୍ୟୁବରଣ କରିଛନ୍ତି। ଭାରତରେ ସର୍ବମୋଟ କରୋନା ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ କେନ୍ଦ୍ର ସରକାର ଏନେଇ କଡା ପଦକ୍ଷେନ ଗ୍ରହଣ କରୁଛନ୍ତି । ବିଭିନ୍ନ ସ୍ଥାନରେ ୧୪୪ ଧାରା ମଧ୍ୟ ଜାରି କରାଯାଇଛି। ଆଜି କରୋନା ଭାଇରସ୍ ଉପରେ ସଂସଦୀୟ ସ୍ଥାୟୀ ସମିତିଙ୍କ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ସହର ବିକାଶ ମନ୍ତ୍ରାଳୟର ଅଧିକାରୀମାନେ ଯୋଗ ଦେବେ।


