ମାର୍ଚ୍ଚ ୫ ତାରିଖ ୧୦୪ତମ ବିଜୁ ଜୟନ୍ତୀ ଅବସରରେ

ମୋ ରାଜନୈତିକ ଜୀବନରେ ବିଜୁବାବୁ
ଓଡ଼ିଶାର ପ୍ରଗତି ପାଇଁ ବିଜୁ ବାବୁଙ୍କର ଅର୍ଥନୈତିକ ଚିନ୍ତାଧାରା
ଓଡ଼ିଶାର ବିକାଶ ପାଇଁ ବିଜୁବାବୁଙ୍କ ପରି ଦୃଢ ଇଚ୍ଛାଶକ୍ତି ହିଁ ଏକମାତ୍ର ପନ୍ଥା
ପ୍ରଦୀପ ସେନାପତି
ମୁଁ ବିଜୁ ପଟ୍ଟନାୟକ କହୁଛି, ଓଡ଼ିଶା କହିଲେ ବିଜୁ ପଟ୍ଟନାୟକ, ବିଜୁ ପଟ୍ଟନାୟକ କହିଲେ ଓଡ଼ିଶା । ଏହି ଗର୍ବ, ଏହି ବାର୍ତ୍ତା, ଏଭଳି ମନ୍ତବ୍ୟ ପାଇଁ ବିଜୁ ପଟ୍ଟନାୟକ ଆଜି ଆଉଜଣେ ରାଜନୈତିକ ବ୍ୟକ୍ତି ହୋଇ ରହିନାହାଁନ୍ତି । ସେ ‘ବିଜୁ ତତ୍ତ୍ୱ’ରେ ପରିଣତ ହୋଇଯାଇଛି । ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱକୁ ‘ବିଜୁ ତତ୍ତ୍ୱ’ କହିବାର କାରଣ ହେଲା, ସେ ରାଷ୍ଟ୍ରବାଦୀ ଓ ଜାତୀୟବାଦୀ ‘ବିଜୁ’ ଥିଲେ । ବିଜୁ ପଟ୍ଟନାୟକ ବ୍ୟକ୍ତିକୁ ଗୁରୁତ୍ୱ ନଦେଇ, ରାଷ୍ଟ୍ର ବା ଜାତିକୁ ଗୁରୁତ୍ୱ ଦେଉଥିଲେ । ଖାରବେଳଙ୍କ ଶାସନ କାଳରେ ଆଜିର ଓଡ଼ିଶା ଯେତେବେଳେ କଳିଙ୍ଗ ନାମରେ ଖ୍ୟାତି ଅର୍ଜନ କରି ସମଗ୍ର ବିଶ୍ୱରେ ପ୍ରତିଷ୍ଠା ଲାଭ କରିଥିଲା, ସେଦିନର ବିକାଶକୁ ଓଡ଼ିଶାକୁ ଫେରାଇ ଆଣିବାକୁ ସେ ସ୍ୱପ୍ନ ଦେଖୁଥିଲେ । ସେଦିନର ବିକାଶକୁ ମନେ ପକାଇବା ପାଇଁ ଯୁବାବସ୍ଥାରେ ସେ ପ୍ରତିଷ୍ଠା କରିଥିଲେ ଆନ୍ତର୍ଜାତୀୟ କଳିଙ୍ଗ ପୁରସ୍କାର । ନିଜ ଆକାଶମାର୍ଗ ପରିବହନ ସଂସ୍ଥାର ନାମ ଦେଇଥିଲେ ‘କଳିଙ୍ଗ ଟ୍ୟୁବ୍‌ସ’ ଓ ନିଜ ପ୍ରକାଶିତ ସମ୍ବାଦପତ୍ରର ନାମ ରଖିଥିଲେ ‘କଳିଙ୍ଗ’ ଇତ୍ୟାଦି ଇତ୍ୟାଦି ।
କଳିଙ୍ଗ ନାମକରଣ ମୂଳରେ ତାଙ୍କର ରାଷ୍ଟ୍ରବାଦୀ ଓ ଜାତୀୟତାବାଦୀ ଚେତନା ଲୁକ୍କାୟିତ ଥିଲା । କୌଣସି କାମ ଓଡ଼ିଶାର ବିକାଶ ପାଇଁ ଉପଯୁକ୍ତ ମନେ କଲେ ତାକୁ କାର୍ଯ୍ୟକାରୀ କରିବାକୁ ଆପ୍ରାଣ ଉଦ୍ୟମ କରୁଥିଲେ । ଯେତେ ବିରୋଧ, ବାଧାବିଘ୍ନ ଆସୁପଛେ, କୌଣସି ପରିସ୍ଥିତିରେ ତାଙ୍କର ଖାତିର ନଥିଲା ।
ଉଦାହରଣସ୍ୱରୂପ ପାରାଦ୍ୱୀପ ବନ୍ଦର କଥା । ସେ ହୃଦୟଙ୍ଗମ କଲେ ଯେ, ପାରାଦ୍ୱୀପ ବନ୍ଦର ଓଡ଼ିଶାର ବିକାଶ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ । ସେ ପଣ୍ଡିତ ନେହେରୁଙ୍କୁ ପ୍ରବର୍ତ୍ତାଇ, ବନ୍ଦରର ଶୁଭଦେଲେ । ତତ୍କାଳୀନ ତୁଙ୍ଗନେତାମାନଙ୍କର ପ୍ରବଳ ବିରୋଧ ସତ୍ତ୍ୱେ ସେତେବେଳେ ଏଥିପାଇଁ ତାଙ୍କୁ ଅନେକ ମୂଲ୍ୟ ଦେବାକୁ ପଡ଼ିଥିଲା । କିନ୍ତୁ ଆଜି ଦେଖନ୍ତୁ ଓଡ଼ିଶାର ଅର୍ଥନୈତିକ ବିକାଶରେ ପାରାଦ୍ୱୀପ ବନ୍ଦର କିପରି ମୁଖ୍ୟ ଭୂମିକା ଗ୍ରହଣ କରିଛି ।
୧୯୬୧ ମସିହାରେ ରାଜ୍ୟରେ କଂଗ୍ରେସ ଦଳର ନେତୃତ୍ୱ ନେଇ, ପ୍ରଥମଥର ପାଇଁ ଶାସନ କ୍ଷମତାକୁ ଆସିଥିବା ବିଜୁ ପଟ୍ଟନାୟକ ମାତ୍ର ୨ବର୍ଷ ୩ ମାସ ୮ ଦିନ ମୁଖ୍ୟମନ୍ତ୍ରୀ ଗାଦିରେ ରହିପାରିଥିଲେ । କାମରାଜ ଯୋଜନା ଅନୁଯାୟୀ ୧୯୬୩ ମସିହା ସେପ୍ଟେମ୍ବର ମାସରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା । କିନ୍ତୁ ୧୯୯୦ ମସିହା ଜନତା ଦଳର ସରକାରରେ ନେତୃତ୍ୱ ନେଇ ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ପୁଣି କ୍ଷମତାସୀନ ହୋଇଥିବା ‘ବିଜୁବାବୁ’ ପୁରା ପାଞ୍ଚବର୍ଷ ନିରଙ୍କୁଶ କ୍ଷମତା ଉପଭୋଗ କରିବାର ସୁଯୋଗ ଲାଭ କରିଥିଲେ ।
ଏହା ପୂର୍ବରୁ ଆମ୍ଭେ ରାଜ୍ୟ ଛାତ୍ର ଜନତା ଦଳର ନେତୃତ୍ୱ ନେଇ ବୁର୍ଲା ଇଞ୍ଜିନିୟରିଂ ଛାତ୍ର ହତ୍ୟା ଆନ୍ଦୋଳନକୁ ବ୍ୟାପକ ତଥା ତୀବ୍ର ଆକାରରେ ସାରା ରାଜ୍ୟରେ ପ୍ରସାରିତ କରିଥିଲୁ । ସଭାପତି ଉମାବଲ୍ଲଭ ରଥ ଏହାର ନେତୃତ୍ୱ ନେଇଥିବା ବେଳେ, ମୁଁ ରାଜ୍ୟର ସାଧାରଣ ସମ୍ପାଦକ ଭାବରେ ରାଜ୍ୟର ହୃଦ୍‌ଗୌରବକୁ ଫେରାଇ ଆଣିବା ପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କରି ସଫଳତା ମଧ୍ୟ ପାଇଥିଲୁ ।
ସେହି ସମୟରେ ମୁଁ ପୁରୁଣା ଭୁବନେଶ୍ୱରସ୍ଥିତ ଏକାମ୍ର କଲେଜର +୩ ଛାତ୍ର । ସୁବର୍ଣ୍ଣ ସୁଯୋଗକୁ ଅପେକ୍ଷା କରିଥାଏ । ଡ଼ାକରା ଆସିଲା ଉମାଭାଇଙ୍କ ନିର୍ଦ୍ଦେଶରେ ‘ବିଜୁବାବୁ’ଙ୍କ ଛାତ୍ର ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ୍ ହେବା ପାଇଁ । ଆଗଭର ହୋଇ ଫରେଷ୍ଟ ପାର୍କ ସାମନା ଜନତା ଦଳ କାର୍ଯ୍ୟାଳୟରେ ଉପସ୍ଥିତ ହେଲି । ‘ଉମା ରଥ’ ଓ ‘ଅଶୋକ ଦାସ’ଙ୍କ ଜରିଆରେ ‘ବିଜୁ ବାବୁ’ ମୋତେ ଜାଣିବା ପରେ ଚରମବାଣୀ ଶୁଣାଇଲେ ଏବଂ ଧମକାଇଲେ ମଧ୍ୟ । ସେତେବେଳେ ମୁଁ ହଠାତ୍ ତାଙ୍କ ପାଇଁ ଅଚିହ୍ନା ରୂପ । ତାଙ୍କର ଧମକକୁ ମୁଁ ସହୃଦୟତାର ସହ ହଜମ କରିବାକୁ ବାଧ୍ୟ ହେଲି । ହଠାତ୍ କହିଲେ, ତୁ କଣ ଚୁଡ଼ିପିନ୍ଧା ଓଡ଼ିଆ ଟୋକା? ଚୁପ୍ ରହୁଛୁ କାହିଁକି? ‘ଜାନକୀ’ ବୁର୍ଲାରେ ୧୩ ଜଣ ଇଞ୍ଜିନିୟରିଂ ଛାତ୍ରମାନଙ୍କୁ ଗୁଳିକରି ହତ୍ୟା କରିସାରିଲେଣି, ତମେ ଏଠାରେ କରୁଛ କ’ଣ? ଯାଅ, ଛାତ୍ର, ଯୁବକ ଏକ ହୁଅ, ଜାନକୀ ସରକାରକୁ ହଟାଇଦିଅ ।
ତାଙ୍କର ଏଭଳି ମର୍ମସ୍ପର୍ଶୀ ଆହ୍ୱାନକୁ ଉତ୍ସାହିତ ଭାବରେ ଗ୍ରହଣ କରିଥିଲି । ସେହି ସମୟରେ ‘ଉମା ରଥ’ ଓ ‘ଅଶୋକ ଦାସ’ଙ୍କ ଜରିଆରେ ‘ବିଜୁ ବାବୁ’ ମୋତେ ଜାଣିବା ପରେ ଛାତ୍ର ଜନତା ଦଳରେ ସାମିଲ୍ କରିଥିଲେ । ସେବେଠାରୁ ତାଙ୍କର ଦୁଃସାହାସିକ ଚରିତ୍ରକୁ ମୁଁ ଗର୍ବର ସହିତ ଗ୍ରହଣ କରି ସ୍ୱାଭିମାନୀ ରାଜନୀତିରେ ଅଛି ଏବଂ ରହିବି ମଧ୍ୟ ।
ତେବେ, ୧୯୯୦ ଠାରୁ ସେହି ସମୟରେ ତାଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କଲାଭଳି ବ୍ୟକ୍ତିତ୍ୱ ନିଜ ଦଳରେ କିମ୍ବା ବିରୋଧୀ ଦଳରେ ନଥିବାରୁ, ‘ବିଜୁ ବାବୁ’ ରାଜ୍ୟର ଅପ୍ରତିଦ୍ୱନ୍ଦୀ ନେତା ଭାବରେ ଜନସାଧାରଣଙ୍କ ଦ୍ୱାରା ଗ୍ରହଣୀୟ ଓ ଆଦରଣୀୟ ହୋଇପାରିଥିଲେ । ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀତ୍ୱ କାଳରେ ନିଜର ଦୃଢ ରାଜନୈତିକ ଇଚ୍ଛାଶକ୍ତି ଏବଂ ମନର ଜୋର ବଳରେ ଆଗକୁ ମାଡ଼ି ଚାଲିବାର ମନୋଭାବ ତାଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟଧାରାରେ ପ୍ରତିଫଳିତ ହୋଇଥିଲା । ୧୯୯୦ ମାର୍ଚ୍ଚରୁ ୧୯୯୫ ମାର୍ଚ୍ଚ ମଧ୍ୟରେ ସୀମିତ ଥିବା ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ ଅବଧୀରେ ‘ବିଜୁ ପଟ୍ଟନାୟକ ଏଭଳି କେତେକ ପଦକ୍ଷେପ ଗ୍ରହଣ କରିଥିଲେ, କିମ୍ବା ମନ୍ତବ୍ୟ ଦେଇଥିଲେ, ଯାହା କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶରେ ଚର୍ଚ୍ଚିତ, ବିଚଳିତ ଓ ବିବାଦୀୟ ହୋଇଥିଲା ।
ମୁଖ୍ୟମନ୍ତ୍ରୀତ୍ୱ ଗାଦିକୁ ଆସିବା ମାତ୍ରେ ଓଡ଼ିଶା ଗଠନ ହେବା ପରଠାରୁ କେହି ୧୩ରୁ ୧୪ଟି ଜିଲ୍ଲା କରିପାରି ନଥିଲେ । ସେ ଗୋଟିଏ କଲମ ଗାରରେ ୧୩ରୁ ୩୦ଟି ଜିଲ୍ଲା କରିଦେଲେ । ସେଥିପାଇଁ କେତେକ ସମାଲୋଚନା ମଧ୍ୟ କଲେ । କିନ୍ତୁ ଆଜି ସମଗ୍ର ଦେଶରେ ଆଇନ୍ ଶୃଙ୍ଖଳାର ଯେପରି ଅବନତି ହୋଇଚାଲିଛି, ୧୩ଟି ଜିଲ୍ଲା କ’ଣ ଏହାକୁ ସମ୍ଭାଳି ପାରିଥାନ୍ତେ? ରାଜ୍ୟର ସର୍ବନିମ୍ନ ଦୈନିକ ମଜୁରୀ ୧୧ ଟଙ୍କାରୁ ୨୫ ଟଙ୍କାକୁ ବୃଦ୍ଧି କରି ‘ବିଜୁ ବାବୁ’ ଯେତିକି ପ୍ରଶଂସିତ ହୋଇଥିଲେ, କଟକ ସହରର ଭୟାବହ ମଦମୃତ୍ୟୁ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଦେଖିବାକୁ ନଯିବା ଓ ସେମାନଙ୍କ ପରିବାରକୁ ସମବେଦନା ନ ଜଣାଇବା ଯୋଗୁ ସେତିକି ସମାଲୋଚିତ ହୋଇଥିଲେ । ମଦ୍ୟପମାନଙ୍କ ପ୍ରତି ମୋର ଦରଦ ନାହିଁ, ମୁଁ କ’ଣ ଖାଲି ଶବ ଦେଖିବାକୁ କଟକ ଯାଇଥାନ୍ତି ବୋଲି ବିଜୁଙ୍କ ମନ୍ତବ୍ୟ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ସେ ଶାସନରେ ଥିଲାବେଳେ ଅନୁଭବ କଲେ ଯେ, ଅମଲାତନ୍ତ୍ର ସାଧାରଣ ଲୋକଙ୍କ ସମସ୍ୟା ବୁଝୁ ନାହିଁ ଏବଂ ଅନେକ କ୍ଷେତ୍ରରେ ଶୋଷଣ କରୁଛି । ସେ ଏହା ଲକ୍ଷ୍ୟ କରି ବିରକ୍ତ ହୋଇ ସର୍ବସାଧାରଣରେ କହିଦେଲେ, ଦୁର୍ନୀତି କଲେ ଏବଂ କାମ ନକଲେ ଅମଲାତନ୍ତ୍ରର କାର୍ଯ୍ୟକର୍ତ୍ତାମାନଙ୍କୁ ମାରିଦିଅ । ମୁଁ ଏହି ଆହ୍ୱାନକୁ ସହୃଦୟତାର ସହ ଗ୍ରହଣ କରି ପ୍ରଥମ ପଦକ୍ଷେପ ଭାବେ ପୁରୁଣା ଭୁବନେଶ୍ୱର, ଲିଙ୍ଗରାଜ ଥାନାରେ ଥିବା ସେତେବେଳର ଆଇ.ଆଇ.ସି. ସୁବାଷ ମହାପାତ୍ରଙ୍କୁ ୧୯୯୫ ମସିହା ଜୁଲାଇ ୧୩ ତାରିଖ, ରାତ୍ର ୧୨ଟା ସମୟରେ ଜଣେ ଗରୀବ ଲୋକଙ୍କ ଉପରେ ଶୋଷଣ, ଭକ୍ଷଣ, ଦୁର୍ନୀତି ଓ ଅତ୍ୟାଚାର ଅଭିଯୋଗ କ୍ରମେ ତାଙ୍କୁ ମାଡ଼ ମାରି ଗିରଫ ହୋଇଥିଲି । ଏକଥା ମୁଁ ‘ବିଜୁ ବାବୁ’ଙ୍କୁ ନଜଣାଇ ଦୀର୍ଘ ୯ ବର୍ଷ ପର୍ଯ୍ୟନ୍ତ କେସ୍ ଲଢି ନିର୍ଦ୍ଦୋଷରେ ୨୦୦୪ ସାଧାରଣ ନର୍ବାଚନ ସରିବା ପରେ ଖଲାସ ହୋଇଥିଲି । ଯାହା ସେତେବେଳେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ସେଥିପାଇଁ ମୁଁ ଓ ସେ (ବିଜୁ ବାବୁ) ଅବଶ୍ୟ ସମାଲୋଚିତ ହେଲୁ । ଯାହା ହେଲେ ବି ସାଧାରଣ ଲୋକଙ୍କ ମନୋଭାବ ସର୍ବସାଧାରଣ ପ୍ରକାଶ କରି ଅମଲାତନ୍ତ୍ରକୁ ସତର୍କ କରାଇ ଦେଇପାରିଲେ । ସେଥିରୁ ଯେ ସୁଫଳ ନ ମିଳିଲା ତାହା ନୁହେଁ । ସେହିପରି ଦେଶର ବିଶୃଙ୍ଖଳିତ ସ୍ଥିତିକୁ ଲକ୍ଷ୍ୟ କରି ସେ କହିଲେ, କିଛିଦିନ ତଳେ ମିଲିଟାରୀ ଶାସନ ଦେଶରେ ହେଲେ ଦେଶ ସୁଧୁରି ଯାଆନ୍ତା । ସମସ୍ତେ ଏକଥା ଡ୍ରଇଁରୁମ୍‌ରେ ବିଲୁଆ ବିଚାର ପରି କହନ୍ତି । କିନ୍ତୁ ସେ ସର୍ବସାଧାରଣରେ ଏହା କହିଦେଲେ । ଯେଉଁ କଥାକୁ ତାଙ୍କର ଏକଦା ଅବୁଝା ପୁଅ କହୁଥିବା ଜଣେ ନେତା ନିଜେ ମନ୍ତ୍ରୀ ହେବା ପାଇଁ କେନ୍ଦ୍ର ନେତୃତ୍ୱ ପାଖରେ ଏକଥା ପ୍ରକାଶ କରିଦେଇ ‘ବିଜୁ ପଟ୍ଟନାୟକ’ଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବଞ୍ôଚତ କରିବା ପାଇଁ ଉଦ୍ୟମ କରିଥିବା ଦେଶରେ ଆଲୋଚିତ ହୋଇଥିଲା । ସେତେବେଳେ ମୁଁ ଏହାକୁ ଦୃଢ ବିରୋଧ କରି ଶ୍ରୀକାନ୍ତ ଜେନାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇ ଦେବୁନାହିଁ ବୋଲି କହିବାରୁ ସେ ମୋ ଉପରେ ବିରକ୍ତିଭାବ ପ୍ରକାଶ କରିଥିଲେ ।
ସେ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖୁଥିଲେ । ନିର୍ଭୀକ ଓ ସ୍ପଷ୍ଟବାଦୀ ଭାବରେ ମୁଁ ଜାଣେ, ବିଜୁ ପଟ୍ଟନାୟକ ଟେଲିଫୋନ ନିଜେ ଧରନ୍ତି । କାହା ଦ୍ୱାରା ଧରାଇ ବାବୁ ଘରେ ନାହାଁନ୍ତି ଅବା ବାଥରୁମ୍‌ରେ ଅଛନ୍ତି ବୋଲି କହି ଆଡ଼େଇ ଯା’ନ୍ତି ନାହିଁ । ଲୋକମାନଙ୍କ ସମସ୍ୟା ଜାଣିବା ପାଇଁ ସେମାନଙ୍କ ସହ ମିଶନ୍ତି ଓ ସେମାନେ ଦେବା ପ୍ରସ୍ତାବ ମନକୁ ପାଇଲେ, ତାହା କାର୍ଯ୍ୟକାରୀ କରନ୍ତି ।
ଏକ ଘଟଣାକ୍ରମରେ ମୋ ଅନୁଭୂତିରୁ ପଦେ । ସେତେବେଳେ ପୁରୀ ଉପନିର୍ବାଚନରେ ବିଧାୟକ ଭାବେ ବିଜୟୀ ହୋଇଥାନ୍ତି ‘ଉମା ରଥ’ । କୁମ୍ଭାରପଡ଼ା ଥାନାରେ ଥିବା ଆଇ.ଆଇ.ସି. ‘ଶରତ ଚନ୍ଦ୍ର ଚ୍ୟାଉପଟ୍ଟନାୟକ’ କଂଗ୍ରେସ ଏବଂ ଆମ୍ଭର ଛାତ୍ରନେତା, କର୍ମୀଙ୍କ ସହ ଗୋଷ୍ଠୀ ବିବାଦକୁ ନେଇ ଅଟକ ରଖିଥାନ୍ତି । ‘ଉମା ରଥ’ ସମାଧାନ ପାଇଁ ହସ୍ତକ୍ଷେପ କରିବାରୁ ବିବାଦକୁ ଗୁରୁତ୍ୱ ନଦେଇ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ । ଆଇ.ଆଇ.ସି.ଙ୍କୁ କୋରାପୁଟ ବିଦାୟ କରାଯିବ ବୋଲି ଚେତାବନୀ ଦିଆଗଲା । ତଥାପି ଏହାକୁ ଭ୍ରୁକ୍ଷେପ ନକରି ଚ୍ୟାଲେଞ୍ଜ କରିବାରୁ ମୋତେ ଦାୟିତ୍ୱ ଦିଆଗଲା । ଉମା ରଥ ମୋତେ ‘ବିଜୁ ବାବୁ’ଙ୍କ ପାଖକୁ ପଠାଇଲେ । ଅବଶ୍ୟ ‘ଉମା ରଥ’ ମଧ୍ୟ ମୋ ସହିତ ଥା’ନ୍ତି ଓ ସେ ବିଜୁ ବାବୁଙ୍କ ବାସଭବନରେ ତଳେ ରୋଷେଇ ଘରେ ବସି ‘ଖଇରାତି’ (ରୋଷେଇବାଲା) ଠାରୁ ଚା ପିଉଥାନ୍ତି । ତେବେ ମୁଁ ଉପରକୁ ଯାଇ ସବୁର ଘଟଣାବଳୀକୁ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କଲି । ବୁଝିଲାପରେ ଉମା ରଥଙ୍କ ପ୍ୟାଡ଼ରେ ସଙ୍ଗେ ସଙ୍ଗେ ଲିଖିତ ଦେଲେ ଯାହା, ଏଠାରେ ମୁଁ ଭାବବିହ୍ୱଳ ହୋଇ ପ୍ରକାଶ କରୁଅଛୁ । ସେ ନିର୍ଦ୍ଦେଶ ଦେଲେ D.G. of Police this need to be done. How has he manage to stay so long in Puri district. Let him go to Koraput district Immediately.
କେବଳ ସେତିକି ନୁହେଁ, ଦୈନିକ ମଜୁରୀକୁ ହଠାତ୍ ୧୧ ଟଙ୍କାରୁ ୨୫ ଟଙ୍କା କରିଦେବା ମୂଳରେ ଜଣେ ଆଦିବାସୀ ‘ବୃଦ୍ଧାଙ୍କର’ ପ୍ରସ୍ତାବ ଥିଲା । ଓଡ଼ିଶାରେ ଯେତେବେଳେ ସେ ଦୈନିକ ମଜୁରୀ ୨୫ ଟଙ୍କା କରିଦେଲେ ଭାରତରେ ଅନ୍ୟ ରାଜ୍ୟରେ ୨୫ ଟଙ୍କା ନଥିଲା । ପରେ ଅନ୍ୟମାନେ ‘ବିଜୁ’ଙ୍କ ପଦାଙ୍କ ଅନୁସରଣ କରି ମଜୁରୀକୁ ୨୫ ଟଙ୍କାକୁ ବୃଦ୍ଧି କଲେ । ଉପରୋକ୍ତ କରିବା ପ୍ରଣାଳୀ ସ୍ଥଳଭାବରେ ‘ବିଜୁ ପଟ୍ଟନାୟକ’ଙ୍କ ର ବ୍ୟକ୍ତିତ୍ୱର ମୂଳତତ୍ତ୍ୱ ଥିଲା । ସେ ଅନୁଭବର କଥା କହିଥିଲେ ‘ଗରୀବର ଜାତି ନାହିଁ’ (The Poor has no Caste) ।
ଆମ୍ଭର ଅମର ଆତ୍ମା ‘ବିଜୁ’ଙ୍କ ଦେହାନ୍ତ ପରେ ତାଙ୍କର ଶୋଭାଯାତ୍ରାରେ ଯେତେବେଳେ ଭୁବନେଶ୍ୱରରୁ ପୁରୀ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ହେଲା, ଲକ୍ଷ ଲକ୍ଷ ବିଜୁପ୍ରେମୀ ଲୋକ ସନ୍ଧ୍ୟାରେ ଶୋକାକୁଳ ହୋଇ ଶୋଭାଯାତ୍ରାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ । ଅନଭୂତ ହେଲା ଯେ ସତେ ଯେପରି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେଉଛି ।
ପୂର୍ବତନ ରାଜ୍ୟ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ,
ପୂର୍ବତନ ରାଜ୍ୟ ସଭାପତି, ଯୁବ ଜନତା ଦଳ (ଏସ୍‌),
ରାଜ୍ୟ ସଭାପତି ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ, ଉତ୍କଳ ବିକାଶ ମଞ୍ଚ,
ଜାତୀୟ ସମାଜବାଦୀ ବିଚାର ମଞ୍ଚ, ପୁରୁଣା ଭୁବନେଶ୍ୱର ଯୁବ ସଂଗଠନ,
ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ କର୍ମଚାରୀ ସଂଘ ସାମ୍ବାଦିକ
ତଥା ଆନ୍ତର୍ଜାତୀୟସ୍ତରର ସ୍ତମ୍ଭକାର
ମୋ : ୯୪୩୮୪୪୬୫୭୫
E-mail : spkumar501@gmail.com
ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର-୨, ଜିଲ୍ଲା-ଖୋର୍ଦ୍ଧା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ