ମାରୱାଡ଼ି ମହିଳା ସମିତି ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ମାରୱାଡି ମହିଳା ସମିତି ପକ୍ଷରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ବାଞ୍ଛାନିଧି ଇଂଲିଶ ମିଡୟମ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଆକାଶ ମୋଦି, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଗୀତା ଅଗ୍ରୱାଲ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସୁଜାତା ସରାୱଗୀ, ଦନ୍ତ ଚିକିତ୍ସକ ଡାକ୍ତର ବିଶ୍ୱଜିତ ନାୟକ ଓ ଡାକ୍ତର ରୂପସୀତା ସାହୁ ପ୍ରମୁଖ ଏହି ଶିବିରରେ ଯୋଗଦେଇ ପଦ୍ମପୁର ଓ ଆଖପାଖ ଗ୍ରାମର ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା ନେଇ ଉପାଦେୟ ପରାମର୍ଶ ଦେଇଥିଲେ । ଏଥିରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ରକ୍ତ ଶର୍କରା ପରୀକ୍ଷା କରାଯାଇଥିଲା । ସମସ୍ତଙ୍କୁ ନିଃଶୁଳ୍କ ଔଷଧ ଓ ଗ୍ଲୁକୋଜ ପାଣି ବଣ୍ଟନ କରାଯାଇଥିଲା । ପରେ ଶିବିରରେ ୩୦୦ଜଣ ବ୍ୟକ୍ତିଙ୍କ ପାଇଁ ସୁଷମ ଖାଦ୍ୟ, ଉପସ୍ଥିତ ଶିଶୁଙ୍କ ପାଇଁ ବିସ୍କୁଟ, ଚିପ୍ସ ସହିତ ୧୦କିଲୋଗ୍ରାମ ସୋୟାବିନ ବଡି ବଣ୍ଟନ କରାଯାଇଥିଲା । ମାରୱାଡ଼ି ମହିଳା ସମିତିର ସଭାନେତ୍ରୀ ପ୍ରିୟା ଅଗ୍ରୱାଲ, ସମ୍ପାଦିକା ସୋନାଲ ମୋଦିଙ୍କ ସମେତ ସୁନୀତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିର ପରିଚାଳନାରେ ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ ।