ମାରୱାଡ଼ି ମହିଳା ସମିତି ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :-ଥାଲାସେମିଆ ସଚେତନତା ସପ୍ତାହ ପାଳନ ଅବସରରେ ବାଲେଶ୍ୱର ମାରୱାଡ଼ି ମହିଳା ସମିତି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ରକ୍ତଭଣ୍ଡାର ପରିସରରେ ଆୟୋଜିତ ଏହି ଶିବିରକୁ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଉଦଘାଟନ କରିବା ସହିତ ମହିଳା ସମିତିର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଜିଲାରେ ରକ୍ତର ଅଭାବ ପୂରଣରେ ସମିତିର ଏହି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି ସେ ମତ ପ୍ରକାଶ କରିଥିଲେ । ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନର ରାଷ୍ଟ୍ରୀୟ ନିର୍ବାଚିତ ଅଧ୍ୟକ୍ଷା ଅଞ୍ଜୁ ସରାୱଗୀ, ଓଡ଼ିଶା ପ୍ରାଦେଶିକ କ୍ଷେତ୍ରୀୟ ମୁଖ୍ୟ ନିଶା ମୋଦି, ମାରୱାଡ଼ି ମହିଳା ସମିତି ବାଲେଶ୍ୱର ସାଖା ସଭାନେତ୍ରୀ ପ୍ରିୟା ଅଗ୍ରୱାଲ, ସମ୍ପାଦିକା ସୋନାଲ ମୋଦି, କୋଷାଧ୍ୟକ୍ଷା ଗୀତା ସୋମାନି, ସମ୍ମେଳନର ଅଙ୍ଗଦାନ ଦାନ ଶାଖାମୁଖ୍ୟ ମନୀଷା ମୋଦି ପ୍ରମୁଖ ଏହି ଶିବରରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ବିଶେଷ କରି ଥାଲାସେମିଆ ରୋଗୀ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ସମିତି ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ଥାଲାସେମିଆ ୱାର୍ଡ଼ରେ ଚିକିତ୍ସିତ ଶିଶୁମାନଙ୍କୁ କମ୍ପ୍ଲାନ୍, ଜୁସ୍, କଦଳୀ ଏବଂ ବିସ୍କୁଟ ପ୍ରଭୃତି ପ୍ରଦାନ କରାଯାଇଥିଲା । ଜିଲା ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ଥାଲାସେମିଆ ସଚେତନତା ସପ୍ତାହ ପାଳନ ଅବସରରେ ବାଲେଶ୍ୱରରେ ମାରୱାଡ଼ି ମହିଳା ସମିତି ପକ୍ଷରୁ ପିଲାମାନଙ୍କ ଦ୍ୱାରା ଚିତ୍ରାଙ୍କନ, ବକ୍ତୃତା ପ୍ରତିଯୋଗିତା ପ୍ରଭୃତି ଅନୁଷ୍ଠିତ ହୋଇଥିଲା ।