ମାରୱାଡ଼ି ମହିଳା ସମିତି ପକ୍ଷରୁ ପରିବେଶ ସୁରକ୍ଷା ସଚେତନତା
ବାଲେଶ୍ୱର, (ସରୋଜ ପଣ୍ଡା) : ପରିବେଶ ସୁରକ୍ଷା ସପ୍ତାହ ପାଳନ ଅବସରରେ ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନ ଅନୁବନ୍ଧିତ ବାଲେଶ୍ୱର ମାରୱାଡି ମହିଳା ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଲକି ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ପରିବେଶ ସୁରକ୍ଷା ସମ୍ପର୍କିତ ପ୍ରଦର୍ଶନୀକୁ ମାରୱାଡ଼ି ମହିଳା ସମ୍ମେଳନର ଉତ୍କଳ ପ୍ରାଦେଶିକ ସଭାନେତ୍ରୀ ଚନ୍ଦା ସନ୍ତୁକା ଓ ପ୍ରାଦେଶିକ ସଚିବ ପ୍ରତିଭା ଜୈନ ବରେଣ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ । ପରିବେଶ ସୁରକ୍ଷା ସମସ୍ତଙ୍କ ନୈତିକ କର୍ତ୍ତବ୍ୟ ହୋଇଥିବା ବେଳେ ଏଥି ନିମନ୍ତେ ମାରୱାଡ଼ି ମହିଳା ସମିତି ଭଳି ସବୁ ମହଲରୁ ଉଦ୍ୟମ କରିବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ । ମାରୱାଡ଼ି ମହିଳା ସମ୍ମେଳନର ନିର୍ବାଚିତ ରାଷ୍ଟ୍ରୀୟ ସଭାନେତ୍ରୀ ଅଞ୍ଜୁ ସରାୱଗୀ ଏଥିରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ପରିବେଶ ସୁରକ୍ଷା ଉଦ୍ୟମ ପ୍ରଥମେ ନିଜ ଘର ପରିବାରରୁ ଆରମ୍ଭ ପାଇଁ ଆହ୍ୱାନ ଦେଇଥିଲେ । ପରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ମାରୱାଡି ମହିଳା ସମିତି ସଭାନେତ୍ରୀ ପ୍ରିୟା ଅଗ୍ରୱାଲ ପୌରୋହିତ୍ୟ କରିଥିଲେ । ସମ୍ପାଦିକା ସୋନାଲ ମୋଦୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଓ ଦର୍ଶନା ସରାଓଗୀ ବିବରଣୀ ଉପସ୍ଥାପନ କରିଥିଲେ । ମହିଳା ସମିତିର କ୍ଷେତ୍ରୀୟ ମୁଖ୍ୟ ନିଶା ମୋଦୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କୁସୁମ ଦେବୀ ଏବଂ ଚାମେଲି ଦେବୀଙ୍କ ଚକ୍ଷୁଦାନ ପାଇଁ ସେମାନଙ୍କ ପରିବାରକୁ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା । ଗଙ୍ଗା ଦଶହରା ଉତ୍ସବ ଅବସରରେ ମହିଳା ସମିତିର ସଦସ୍ୟାଙ୍କ ଦ୍ୱାରା ପାଣି ବଞ୍ଚାଓ ନୃତ୍ୟ ପରିବେଷଣ ସହ ଅତିଥିମାନଙ୍କୁ ପରିବେଶ କିଟ୍ ପ୍ରଦାନ କରଯାଇଥିଲା ।