ମାଲକାନାଗିରିରେ ସ୍ମାର୍ଟ ମଶାଣି ପାଇଁ ଦାବି
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର):ମାଲକାନଗିରି ସଦର ମହକୁମାରେ ଯଦି କାହାର ମୃତ୍ୟୁ ହୁଏ ଶବ ପୋଡ଼ିବାକୁ କାଠର ଅଭାବ ପାଈଁ ହନ୍ତସନ୍ତ ହେଉଛନ୍ତି ଜିଲ୍ଲାବାସୀ। ଜାଳେଣି କାଠର ଅଭାବ ବେଳେ ଶବ ପୋଡିବାକୁ କାଠ କେଉଁଠୁ ମିଳିବ। ଏହାକୁ ବଡ଼ ଗୁରୁତର ସହ ଗ୍ରହଣ କରି ମାଲକାନଗିରି ପୌରପାଳିକା ଆଉ ସ୍ମାର୍ଟ ମଶାଣି କରିବାକୁ ଅଣ୍ଟା ଭିଡ଼ିଥିଲା କିନ୍ତୁ ଏହା କରିବାକୁ କାର୍ଯ୍ୟ ଆରମ୍ଭ କରିବାର ୨ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ ସରିବାର ନା ଧରୁନି। ଜଣଙ୍କର ମୃତ୍ୟୁ ପରେ ହିନ୍ଦୁ ରୀତିନୀତି ଅନୁଯାୟୀ ଶବ ପୋଡ଼ିବା ନିୟମ ରହିଥିଲେ ମଧ୍ଯ ଏଠି ପରିବାର ସମ୍ପର୍କୀୟ ନିଜକୁ ଅସହାୟ ମନେ କରନ୍ତି। କାଠର ଅଭାବ ମନେ କରନ୍ତି ଗ୍ରାମବାସୀ। ମାଲକାନାଗିରିରେ ଥିବା ସମସ୍ତ ମଶାଣିରେ କାଠର ଅଭାବ ଦେଖିବାକୁ ମିଳିଛି। ବନ ଉନ୍ନୟନ ମଧ୍ଯ କାଠ ଯୋଗାଇବାରେ ବିଫଳ ହୋଇଛି। ଆଖପାଖ ଜଙ୍ଗଲରେ କାଠ ମିଳୁନାହିଁ। ମଶାଣିକୁ ମୃତ୍ୟୁ ଦେହ ନେବା ପୂର୍ବରୁ ଖୋଜା ହୁଏ କାଠ। ଦୂରଦୂରାନ୍ତରୁ କାଠ ଆସେ ତାହା ପୁଣି ଚଢ଼ା ଦରରେ କିଣାହୋଇ ଆସେ। ତେଣୁ ମଶାଣି ଗୁଡ଼ିକରେ କାଠ ଉପଲବ୍ଧ କରାଇବାକୁ ମାଲକାନଗିରିବାସି ବାରମ୍ବାର ଦାବି ଜଣାଇଛନ୍ତି। ମଶାଣିରେ ଶବ ପୋଡ଼ିବାକୁ କାଠ ଦେବା ପାଇଁ ବନ ଉନ୍ନୟନ ନିଗମର ନିୟମ ରହିଥିଲେ ମଧ୍ଯ ଶବ ପୋଡ଼ିବା ଉପୋଯୋଗୀ କାଠ ନଥିବା ଯୋଗୁ ଓଏଫଡିସି ନିରୁପାୟ। ଯଦି ବି କାଠ ମିଳୁଛି କାଠ କାଟିବା ପାଇଁ ଲୋକଙ୍କ ଅଭାବ। ଏହିସବୁ ଦୃଷ୍ଟିରୁ ମାଲକାନଗିରି ପୌରପାଳିକା ସ୍ମାର୍ଟ ମଶାଣି ବନେଇବା ପାଇଁ ଅଢେଇବର୍ଷ ହେବ କାମ ଆରମ୍ଭ କରିଥିଲେ ମଧ୍ଯ କାର୍ଯ୍ୟ ସରିବାର ନାମ ନେଉନାହିଁ। ସୂଚନା ମୁତାବକ ବିଦୁତ୍ ହିଟର ଲଗାଇବାକୁ ଯୋଜନା ରହିଥିବା ବେଳେ ଅନୁଦାନ ଅଭାବରୁ ବିଳମ୍ବ ହେଉଛି। ତେଣୁ ଜିଲ୍ଲା ପ୍ରଶାସନକୁ ଏହାକୁ ଗୁରୁତର ଭାବେ ଗ୍ରହଣ କରି ତୁରନ୍ତ କାର୍ଯ୍ୟ ସାରିବାକୁ ସାଧାରଣରେ ଦାବି ହେଉଛି।