ମାଲଦାରୁ ଗର୍ଜିଲେ ରାହୁଲ , ମୋଦି, ମମତା ଏକଛତ୍ରବାଦୀ

କୋଲକାତା (ଏଜେନ୍ସି): ପଶ୍ଚିମବଙ୍ଗର ମାଲଦା ସଂସଦୀୟ କ୍ଷେତ୍ରରେ ଆୟୋଜିତ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବା ଦେଖିବାକୁ ମିଳିଛି । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ.ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରି ରାହୁଲ କହିଛନ୍ତି, ଏହି ଦୁଇ ନେତା ଏକଛତ୍ରବାଦ ଶାସନ କରୁଛନ୍ତି । ମୋଦି କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ସାଜି ଦେଶବାସୀଙ୍କ ଉପରେ ଏବଂ ମମତା ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ବଙ୍ଗବାସୀଙ୍କ ଉପରେ ବଳପୂର୍ବକ ଶାସନ କରୁଛନ୍ତି । ମୋଦି ଦେଶବାସୀଙ୍କୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ କଥାରେ ମିଛ କହିଆସୁଥିବା ବେଳେ ମମତା ନିର୍ବାଚନ ସମୟ ଆସିଲେ ନିଜ ରାଜ୍ୟବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇଥାନ୍ତି । ପୂର୍ବରୁ ପଶ୍ଚିମବଙ୍ଗରେ ବାମପନ୍ଥୀ ସରକାର ଯେଉଁଭଳି ଶାସନ କରୁଥିଲା ଏବେ ମମତା ସରକାର ଠିକ୍ ସେହିଭଳି ରାଜ୍ୟକୁ ଚଳାଉଛନ୍ତି । ସାଧାରଣ ଲୋକଙ୍କ ଦାବି ଏଠାରେ ଚାପି ଦିଆଯାଉଥିବା ବେଳେ କେବଳ ଦଳୀୟ କର୍ମୀଙ୍କ ତୁଷ୍ଟୀକରଣ କରାଯାଉଛି । ମମତା ଏଠାରେ ଗୁଣ୍ଡାରାଜ ଚଳାଇଥିବା ସିଧାସଳଖ ଅଭିଯୋଗ କରିବାକୁ ମଧ୍ୟ ରାହୁଲ ପଛାଇନାହାନ୍ତି । ସେହିପରି ମୋଦିଙ୍କୁ ମଧ୍ୟ ସମାଲୋଚନା କରି ରାହୁଲ କହିଛନ୍ତି, ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ଦିନ ଠାରୁ କାହାରି କଥା ଶୁଣିବାକୁ ପସନ୍ଦ କରୁନାହାନ୍ତି । ସଂସଦରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ମୋଦି ଗୁରୁତ୍ୱ ଦେଉନାହାନ୍ତି । ତେବେ ଚଳିତ ସାଧାରଣ ନିର୍ବାଚନ ପରେ ଏସବୁ ବନ୍ଦ ହୋଇଯିବ । ଆଗାମୀ ଦିନରେ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି । ଫଳରେ ଦେଶ ପ.ବଙ୍ଗ ଭଳି ଅନ୍ୟ କେତେକ ରାଜ୍ୟରେ ଚାଲିଥିବା ଏକଚାଟିଆ ସରକାରର ପତନ ଘଟିବାକୁ ଯାଉଛି ବୋଲି କହି ରାହୁଲ ନିଜ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ ।
୨ଠ୧୪ ସାଧାରଣ ନିର୍ବାଚନରେ ମାଲଦା ଆସନରେ କଂଗ୍ରେସ ବିଜୟୀ ହୋଇଥିଲା । ହେଲେ ଯେଉଁ ବିଧାୟକଜଣକ କଂଗ୍ରେସ ଟିକଟରୁ ସେତେବେଳେ ଏହି ଆସନରେ ବିଜୟୀ ହୋଇଥିଲେ ସେ ଏବେ କଂଗ୍ରେସ ଛାଡ଼ି ତୃଣମୂଳରେ ଯୋଗଦେଇଛନ୍ତି । ଫଳରେ ମାଲଦା ଆସନ ଏବେ କଂଗ୍ରେସ ହାତରୁ ଚାଲିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ନିକଟରେ ଅନୁଷ୍ଠିତ ହୋଇଯାଇଥିବା ୫ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ୩ଟି ରାଜ୍ୟରେ ସରକାର ଗଢ଼ିବାରେ ସଫଳ ହୋଇଛି । ଏହାକୁ ପାଥେୟ କରି କଂଗ୍ରେସ ଏଠାରେ ନିର୍ବାଚନ ଲଢ଼ିବାକୁ ଯାଉଛି । ତେବେ ଏସବୁ ମଧ୍ୟରେ ବିଜେପି ବିରୋଧୀ ମହାମେଣ୍ଟର ମୁଖ୍ୟ ମଙ୍ଗଧାରକ ସାଜିବାକୁ ଯାଉଥିବା କଂଗ୍ରେସ ଓ ତୃଣମୂଳ ମଧ୍ୟରେ ଏପ୍ରକାର ତିକ୍ତତାକୁ ନେଇ ଏବେ ଚାରିଆଡେ ଆଲୋଚନା ଜୋର ଧରିଛି । ପ୍ରକାଶ ଯେ, ମନମୋହନ ସିଂହଙ୍କ ସରକାର (କଂଗ୍ରେସ)ରେ ଟିଏମ୍ସି ୟୁପିଏରେ ସାମିଲ ହୋଇଥିଲା ଏବଂ ମମତା ବାନାର୍ଜୀ ରେଳମନ୍ତ୍ରୀ ହୋଇଥିଲେ । କେନ୍ଦ୍ର ରାଜନୀତିରେ କଂଗ୍ରେସ ଓ ତୃଣମୂଳ ଅନେକ ପ୍ରସଙ୍ଗରେ ଏକତ୍ରିତ ହୋଇଥାନ୍ତି । ଏହି ଧାରାରେ ବିଜେପି ବିରୋଧରେ ଏକ ମହାମେଣ୍ଟ ଗଠନ ପ୍ରୟାସ କରାଯାଇଥିଲା ଯେଉଁଥିରେ ମମତାଙ୍କ ତୃଣମୂଳ ଭଳି ୨୧ଟି ଅଣବିଜେପି ଦଳ ଏକଜୁଟ୍ ହେବା ନେଇ ଅନୂୁମାନ କରାଯାଉଥିଲା । ମାତ୍ର ଏବେ ସବୁକିଛି ସ୍ପଷ୍ଟ ହୋଇଯାଇଛି । ତୃଣମୂଳ ଏଠାରେ ଏକାକି ଲଢ଼ିବାକୁ ନିଷ୍ପତ୍ତି ନେଇସାରିଥିବା ବେଳେ କଂଗ୍ରେସ ମଧ୍ୟ ଏଠାରେ ଚୂଡାନ୍ତ ପ୍ରାର୍ଥୀ ଘୋଷଣା କରିସାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ