ମାଲବାହୀ ଯାନ ପାର୍କିଂ ଉପରେ କଟକଣା
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୬ ନମ୍ବର ଜାତୀୟ ରାଜପଥର ବିର୍ଲା ଟାୟାର ଫାଟକ ଠାରୁ ନହରପାରଟଣା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ ଏବଂ ଏଥି ସଂଲଗ୍ନ ସର୍ଭିସ୍ ରାସ୍ତାରେ ସମସ୍ତ ପ୍ରକାର ମାଲବାହୀ ଯାନର ପାର୍କିଂ ଉପରେ କଟକଣା ଜାରି କରାଯାଇଛି । ଏହି ରାସ୍ତାର ବାମପଦା, ରେମୁଣା, ଶାଳବଣୀ, ନୂଆଗାଁ ଏବଂ ନହରପାଟଣା ଅଂଚଳକୁ ବ୍ଲାକସ୍ପଟ୍ ଭାବେ ଘୋଷଣା କରାଯାଇଥିବା ବେଳେ ସମ୍ପୃକ୍ତ ଅଂଚଳରେ ଯାନବାହାନର ଅବାଧ ଚଳାଚଳ ଏବଂ ଦୁର୍ଘଟଣାକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ମାଲବାହୀ ଟ୍ରକ୍ ସମେତ ଅନ୍ୟାନ୍ୟ ମାଲବାହୀ ଯାନଗୁଡିକ ଗମ୍ଭାରିଆଠାରେ ପ୍ରସ୍ତାବିତ ଟ୍ରକ୍ ଟର୍ମିନାଲରେ ହିଁ ସେମାନଙ୍କ ଗାଡିଗୁଡିକୁ ପାର୍କିଂ କରିବାକୁ କୁହାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଏହି କଟକଣାର ଅନୁପାଳନପୂର୍ବକ ମାଲବାହୀ ଗାଡିଗୁଡିକ ଉପରୋକ୍ତ ରାସ୍ତାରେ ବେଆଇନ ପାର୍କିଂ ନ କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ଏ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ପାଇଁ ସ୍ଥାନୀୟ ଅଂଚଳରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ମଧ୍ୟ କରାଯାଉଛି । ଜାରି କରାଯାଇଥିବା କଟକଣାର ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।


