ମାଲାୟାଲମ ଅଭିନେତା ଶକ୍ତିମାନ ହେବାରୁ ରାଗିଲେ ମୁକେଶ: କହିଲେ ନେଇପାରେ ଆଇନଗତ କାର୍ଯ୍ୟାନୁଷ୍ଠାନ
ମୁମ୍ବାଇ: ମାଲାୟାଲମ ଫିଲ୍ମ ନିର୍ଦ୍ଦେଶକ ଓମାର ଲୁଲୁଙ୍କୁ ବରିଷ୍ଠ ଅଭିନେତା ମୁକେଶ ଖାନ୍ନାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି । ନିର୍ଦ୍ଦେଶକ ଓମାର ଲୁଲୁ ନିଜର ଅପ୍ କମିଂ ଫିଲ୍ମ “ଧମାକା’ର କିଛି ଫଟା ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସେଥିମଧ୍ୟରୁ ଗାଟିଏ ଫଟୋରେ ମାଲାୟାଲମ ଅଭିନେତା ମୁକେଶଙ୍କ ଶକ୍ତିମାନ କଷ୍ଟ୍ୟୁମରେ ଥିବା ଦେଖିବାକୁ ମିଳିଛି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାର ବହୁ ମିମ୍ସ ତିଆରି ମଧ୍ୟ ହୋଇଛି । ଯାହାକୁ ନେଇ ମୁକେଶ ଖାନ୍ନା କ୍ରୋଧିତ ହୋଇପଡ଼ିଛନ୍ତି । ଏନେଇ ସେ ଫିଲ୍ମ ଏମ୍ପ୍ଲଇଜ୍ ଫେଡେରେଶନ ଅଫ କେରଳ(ଏଫଇଏଫକେଏ)ରେ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯାଗ କରିଛନ୍ତି । ଏଥିସହ ଉକ୍ତ ଫିଲ୍ମରେ ଶକ୍ତିମାନର ଚରିତ୍ରକୁ ବ୍ୟବହାର ବନ୍ଦ କରାଯାଉ ନଚେତ୍ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଏଫଇଏଫକେଏକୁ ଆବେଦନ କରିଛନ୍ତି । କାରଣ ଶକ୍ତିମାନର ଚରିତ୍ର, ବେଶଭୂଷା ଉପରେ ମୁକେଶଙ୍କ କପି ରାଇଟ୍ସ ରହିଛି । ଫଳରେ ତାଙ୍କର ବିନା ଅନୁମତିରେ ଏହାକୁ ନିଜ ଫିଲ୍ମରେ ବ୍ୟବହାର କରିପାରିବେ ନାହିଁ ବୋଲି ମୁକେଶ କହିଛନ୍ତି । ଅପରପକ୍ଷରେ ଓମାର ଲୁଲୁ ଏନେଇ ଇନ୍ଷ୍ଟାଗ୍ରାମରେ ମୁକେଶ ଖାନ୍ନାଙ୍କୁ କ୍ଷମା ମାଗିଛନ୍ତି । ସେ ଲେଖିଛନ୍ତି, ଫିଲ୍ମର ଟାଇଟଲ କେଡ୍ରିଟରେ ତାଙ୍କୁ ହିଁ କ୍ରେଡିଟ ଦିଆଯିବ । ଏଥିସହ ଧମାକା ଫିଲ୍ମରେ ଅଭିନେତା ମୁକେଶ ଶକ୍ତିମାନର ଚରିତ୍ର କରୁନାହାନ୍ତି । ଏହା କେବଳ ୧୦ ସେକେଣ୍ଡର ଏକ ସିକ୍ୟୁଏନ୍ସ । ଯେଉଁଠାରେ ଉକ୍ତ ଚରିତ୍ର ମୁକେଶଙ୍କ ଶକ୍ତିମାନର ଅଭିନୟକୁ କଳ୍ପନା କରୁଥିବା ବେଳେ ଏଥିରେ ତାଙ୍କୁ ସୁପରହିରୋ ଭାବେ ଦର୍ଶାଯାଇଛି ବୋଲି ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି ।