ମାଲିକ ଆମର ପରବୋଲକରା
ଦିପ୍ତିମୟୀ ନାୟକ
ପ୍ରତ୍ୟେକ କର୍ମଚାରୀଙ୍କ ମନରେ ମାଲିକଙ୍କ ପ୍ରତି ସମ୍ମାନ ଥାଏ | ସେଥିପାଇଁ ସେମାନେ ନିଜ ମାଲିକଙ୍କୁ ଭଗବାନ ବୋଲି ଭାବିଥାନ୍ତି କାରଣ ତାଙ୍କ ମାଲିକଙ୍କ ପାଇଁ ହିଁ ତାଙ୍କର ଚାରି ପ୍ରାଣୀ କୁଟୁମ୍ବ ଚଳୁଥାନ୍ତି | ମାଲିକ ହେବାବି କୌଣସି ଛୋଟ କଥା ନୁହେଁ କାରଣ ମାଲିକ ହିଁ ଏକମାତ୍ର ଲୋକ ଯିଏ କର୍ମଚାରୀଙ୍କ ସମସ୍ୟା ବୁଝନ୍ତି ଏବଂ ସେମାନଙ୍କର ଦାବି ପୂରଣ କରନ୍ତି | ମାଲିକଙ୍କର ବିଚାରଧାରା ମଧ୍ୟ ଭିନ୍ନ ହୋଇଥାଏ | ମାଲିକ ସବୁ କର୍ମଚାରୀଙ୍କୁ ସମାନ ଦୃଷ୍ଟିରେ ମଧ୍ୟ ଦେଖିଥାନ୍ତି | ତେବେ ସବୁ ମାଲିକ ସମାନ ନୁହଁନ୍ତି | ସବୁ ମାଲିକ କର୍ମଚାରୀଙ୍କ ଦାବି ପୂରଣ କରନ୍ତିନି କି ନିରପେକ୍ଷ ବିଚାର ମଧ୍ୟ କରନ୍ତିନି | କାହିଁକି ନା ଆଜିର କିଛି ମାଲିକ ପରବୋଲକରା ଅଛନ୍ତି | ଯେଉଁମାନେ ପରବୁଦ୍ଧିରେ ଚାଲନ୍ତି ସେମାନଙ୍କୁ ଆମେ ପରବୁଦ୍ଧିଆ କିମ୍ବା ପରବୋଲକରା କହିଥାଉ | ଅବଶ୍ୟ ମାଲିକଙ୍କୁ ଏମିତି କହିବା ଉଚିତ ନୁହେଁ କିନ୍ତୁ କିଛି କର୍ମଚାରୀ ଯେତେବେଳେ ବିନା କାରଣରେ ଦୋଷୀ ହୁଅନ୍ତି | ଭୁଲ ନଥାଇ ତାଙ୍କର ପ୍ରତ୍ୟେକଟି କଥା ଭୁଲ ହୁଏ | ମାଲିକଙ୍କର ନିରପେକ୍ଷ ବିଚାର ହୁଏନି କେବଳ ଜଣେ କର୍ମଚାରୀଙ୍କ କଥାକୁ ପ୍ରାଧାନ୍ୟ ଦେଇ ଯେତେବେଳେ ଅନ୍ୟ ଜଣେ କର୍ମଚାରୀଙ୍କ କଥା ଶୁଣିବା ପାଇଁ ପ୍ରସ୍ତୁତ ନଥାନ୍ତି ସେତେବେଳେ ଗୋଟେ ସାଧାରଣ କର୍ମଚାରୀଟିଏ ମଧ୍ୟ ବାଧ୍ୟ ହୁଏ କହିବା ପାଇଁ ମାଲିକ ଆମର ପରବୋଲକରା | ଏହି ପରବୋଲକରା ଶବ୍ଦଟି ହୁଏତ ସେ ତାଙ୍କ ମାଲିକ ଆଗରେ ପାଟି ଖୋଲି କହି ପାରେନି କାହିଁକି ନା ଯଦି ସେ ମାଲିକ ମୁହଁରେ ଜବାବ ଦେବ ତାହାଲେ ତାଙ୍କ ଚାକିରୀଟା ଯିବ | ଚାକିରୀଗଲେ ତାଙ୍କ ପରିବାର ଚଳିବ କେମିତି | ଏହିସବୁକୁ ଦୃଷ୍ଟିରେ ରଖି ମାଲିକ ଆଗରେ ନୀରବ ରହିଯାଏ କିନ୍ତୁ ଅଶାନ୍ତି ମନରେ ଅନ୍ୟ ଜଣ କର୍ମଚାରୀଙ୍କ ଆଗରେ କହୁଥାଏ ମାଲିକ ଆମର ପରବୋଲକରା ଜଣଙ୍କ କଥା ଭଲରେ ଶୁଣୁଛନ୍ତି ଆଉ ଜଣକୁ ଚୁପ ରହିବାକୁ କହୁଛନ୍ତି | ଯଦି କଥାକୁ ଚୁପ କରିବାର ଥିଲା ତାହେଲେ ଜଣକ କଥା ଶୁଣି ଅନ୍ୟ ଜଣେ କର୍ମଚାରୀଙ୍କ କଥାକୁ କାହିଁକି ଅଣଦେଖା କରାଗଲା | ଠିକ ସେମିତି କିଛି ଦିନ ତଳେ ଜଣେ କର୍ମଚାରୀଙ୍କ ସହ ମୋର ଦେଖା ହୋଇଥିଲା | ତାଙ୍କ ମନର କଥାକୁ ଟିକେ ଶୁଣିବାକୁ ସୁଯୋଗ ମିଳିଥିଲା | ତେବେ ତାଙ୍କ ମନ ଏତେ ଅଶାନ୍ତ ଥିଲା ଯେ ତାଙ୍କର ପ୍ରତ୍ୟେକ କଥାରେ ସତେ ଯେମିତି ମାଲିକଙ୍କ ପାଇଁ କିଛି ଭଲ କଥା ନଥିଲା | ରହିବ ବା କେମିତି ମାଲିକ ଯଦି ନିରପେକ୍ଷ ବିଚାର କରିଥାନ୍ତେ ତାହେଲେ କଣ ଏହି କର୍ମଚାରୀ ଜଣକ ନିଜ ମନର କଥାକୁ ଅନ୍ୟ ଆଗରେ ଖୋଲିକି କହିଥାନ୍ତେ କି ତାଙ୍କ ଆଖି ଲୁହ ଛଳଛଳ ହୋଇଥାନ୍ତା | ତାଙ୍କର କଥାଟି ଥିଲା ସେ ଯେତେବେଳେ ନିଜ କାର୍ଯ୍ୟ କରନ୍ତି ସେତେବେଳେ ତାଙ୍କୁ ଅନ୍ୟମାନେ ଜାଣି ଜାଣି ହଇରାଣ କରନ୍ତି ଆଉ ସେ ଯେତେବେଳେ କୁହନ୍ତି କାହିଁକି ତୁମେ ମୋ କାମରେ ବାଧା ଦେଉଛ ନିଜ କାମ କର ଆଉ ଜଣେ କର୍ମଚାରୀ କୁହନ୍ତି ତମେ କାମ ଠିକରେ କରୁନ ସାରଙ୍କ ଆଗରେ କହିବି | ଏମିତି ବାରମ୍ବାର ସବୁବେଳେ ତାଙ୍କ ଭିତରେ ଝଗଡା ହୁଏ ଆଉ ମାଲିକଙ୍କ ଯାଏ କଥା ମଧ୍ୟ ଯାଏ କିନ୍ତୁ ମାଲିକଙ୍କୁ ଅନ୍ୟ ଜଣେ କର୍ମଚାରୀ ହାତରେ ରଖିଥାଏ ନିଜ କଥା ଯାଦୁରେ ମାଲିକର ପ୍ରିୟପାତ୍ର ହୋଇଥାଏ | ମାଲିକ କେବଳ ଜଣଙ୍କ କଥା ଶୁଣନ୍ତି ଆଉ ଜଣଙ୍କ କଥାକୁ ହେ ଛାଡ଼ ବୋଲି କହି କୁଆଡେ ଚାଲିଯାଆନ୍ତି ଆଉ ବେଳେବେଳେ ଅଫିସକୁ ଆସି ଅନ୍ୟ ଜଣେ କର୍ମଚାରୀଙ୍କ କାମକୁ ନଦେଖି ଗର୍ଜନ କରନ୍ତି ଯେମିତି ଏହି କର୍ମଚାରୀ ଜଣକ କିଛି କାମ କରନ୍ତିନି ଆଉ ଅନ୍ୟଜଣେ କର୍ମଚାରୀ ଯେମିତି ସେହି ଅଫିସକୁ ମୁଣ୍ଡେଇ ରଖିଥାନ୍ତି କିନ୍ତୁ ଦିନ ଏମିତି ଆସିଲା ପରବୁଦ୍ଧିରେ ବାଟ ଚାଲୁଥିବା ମାଲିକଙ୍କ ଅଫିସ ଅନେକ କ୍ଷତି ସହିଲା ଆଉ ଶେଷରେ ମାଲିକ ସେହି ଅଫିସର କର୍ମଚାରୀ ମାନଙ୍କୁ ସଠିକ ସମୟରେ ଦରମା ଦେଇପାରିଲେନି ଆଉ ସେହି କର୍ମଚାରୀ ଜଣକ ସେଠାରୁ ଚାକିରୀ ଛାଡିଦେଲେ ଆଉ ଅନ୍ୟଜଣେ କର୍ମଚାରୀ ସେଠି ଥାଇ ତାଙ୍କର ସେମିତି କାର୍ଯ୍ୟ ଜାରି ରଖିଲେ ଆଉ କିଛି ଦିନ ପରେ ପୁଣି ଲୋକଙ୍କୁ ସଠିକ ଭାବରେ ଦରମା ତ ମିଳିଲା କିନ୍ତୁ ମାଲିକଙ୍କ ମନରେ ଅବଶୋଷ ରହିଲା ଆଉ ମାଲିକ ସେହି କର୍ମଚାରୀଙ୍କ ପାଖକୁ ଆସିଲେ ତମ କାର୍ଯ୍ୟଦକ୍ଷତା ଆଗରେ ସତରେ ମୁଁ ହାର ମାନିଗଲି ତମେ ପ୍ରମାଣ କରିକି ଦେଖେଇଦେଲ ଯେ ତମ କାର୍ଯ୍ୟ ଉପରେ ସନ୍ଦେହ କରିବାର କୌଣସି କଥା ନଥିଲା | ଅନ୍ୟ କଥାରେ ପଡିଲି ଆଉ ତୁମ ଭଳି କର୍ମଚାରୀଙ୍କୁ ଅଣଦେଖା କରିଲି ହେଲେ ଆଜି ମୁଁ ଜାଣିଲି ଏହି ଅଫିସର ସଠିକ କର୍ମଚାରୀ କିଏ ଥିଲେ |ତେବେ ପ୍ରତ୍ୟେକ ମାଲିକ ମଧ୍ୟ ଭାବିବା ଉଚିତ | ସେମାନେ ସାଧାରଣ କର୍ମଚାରୀରୁ ହିଁ ମାଲିକ ହୋଇଛନ୍ତି କେହି ହଠାତ ମାଲିକ ହୋଇଯାଇନାହାଁନ୍ତି | ତେଣୁ ନିଜକୁ ସେହି କର୍ମଚାରୀଙ୍କ ଜାଗାରେ ରଖି ମାଲିକଙ୍କ କଥା ଭାବନ୍ତୁ | କାରଣ ଆପଣ ଯେତେବେଳେ ଗୋଟେ ସାଧାରଣ କର୍ମଚାରୀ ଥିଲେ ସେତେବେଳେ କଣ ଆପଣଙ୍କ ମାଲିକ ଆପଣଙ୍କୁ ଏମିତି ଅଣଦେଖା କରୁଥିଲେ | ଯଦି ଆପଣଙ୍କ ମାଲିକ ଆପଣଙ୍କୁ ଏମିତି ଅଣଦେଖା କରୁନଥିଲେ ତାହାଲେ ଆପଣ କାହିଁକି ଗୋଟେ ମାଲିକ ହୋଇ ଗୋଟେ ସାଧାରଣ କର୍ମଚାରୀଙ୍କୁ ଅଣଦେଖା କରୁଛନ୍ତି | ନିଜର ପୂର୍ବବସ୍ଥାକୁ ମନେ ପକାଇ ଅନ୍ୟର କର୍ମକୁ ସମ୍ମାନ ଜଣାନ୍ତୁ | ନିରପେକ୍ଷ ବିଚାର କରନ୍ତୁ କାରଣ ଆପଣଙ୍କ ବିଚାର ହିଁ ଆପଣଙ୍କୁ ଦିନେ ମାଲିକ ପଦବୀ ଠାରୁ ଆପଣଙ୍କ ଶ୍ରେଷ୍ଠ ବିଚାରଧାରା ଆପଣଙ୍କର ଶ୍ରେଷ୍ଠ ମାଲିକ ହୋଇଯିବ | ଯଦି ନିଜର ବିଚାଧାରା ଅନ୍ୟ ଉପରେ ନିର୍ଭର କରୁଥିବ ତେବେ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଆଜୀବନ କାଳ ଗୋଟେ ପରବୋଲକରା ଶୁଣିବାକୁ ମିଳୁଥିବ | ନିଜ ଆତ୍ମସମ୍ମାନ ସଙ୍କଟାପନ୍ନ ଅବସ୍ଥାରେ ରହିଥିବ ଅବଶ୍ୟ ଟଙ୍କା ଖର୍ଚ୍ଚ ଚାଲିଥିବ କର୍ମଚାରୀଙ୍କ ପଛରେ କିନ୍ତୁ ନିଜ ଆତ୍ମସମ୍ମାନ ନଥିବ ଆପଣଙ୍କ ପାଖରେ | ତେଣୁ ଆପଣ ବିଚାର କରନ୍ତୁ ଆପଣ ଆପଣଙ୍କ ବୁଦ୍ଧିରେ ବାଟ ଚାଲିବେ ନା ଅନ୍ୟ ବୁଦ୍ଧିରେ ବାଟ ଚାଲି ଅନ୍ୟକୁ ଛୋଟ କରି ନିଜେ ସେହି ଛୋଟ ମଣିଷଟିଏ ହୋଇଯିବେ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର