ମାସକରେ ରେଳ ଦୁର୍ଘଟଣା ତଦନ୍ତ ରିପୋର୍ଟ
ଭୁବନେଶ୍ୱର: କଟକ ନିର୍ଗୁଣ୍ଡି ପାଖରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ ରିପୋର୍ଟ ମାସ ମଧ୍ୟରେ ପ୍ରସ୍ତୁତ ହୋଇଯିବ ବୋଲି ରେଲୱେ ସେଫଟି କମିଶନର ଏ.କେ ରାୟ କହିଛନ୍ତି । ସେ କହିଛନ୍ତି ଯେ, ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାର ବିସ୍ତୃତ ତଦନ୍ତ କରାଯାଉଛି । ଘଟଣା ସମ୍ପର୍କରେ ଜାଣିବା ପାଇଁ ଗତକାଲି ସକାଳେ ଘଟଣାସ୍ଥଳକୁ ଯାଇଥିଲୁ । ଦୁର୍ଘଟଣା ଦିନ ଯେମିତି କୁହୁଡ଼ି ଥିଲା, ସେମିତି ଅବସ୍ଥାରେ ଅନୁଧ୍ୟାନ କଲୁ । ସିଗ୍ନାଲ, ଟ୍ରାକ, କୁହୁଡ଼ି ଆଦି ସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ରେଳ ବିଭାଗ କର୍ମଚାରୀଙ୍କ ସହ ପ୍ରତ୍ୟକ୍ଷଦର୍ଶୀଙ୍କୁ ବି ପଚରାଉଚୁରା ହେବ । ଏନେଇ କୌଣସି ସାଧାରଣ ବ୍ୟକ୍ତି ହାଜର ହୋଇ ମତାମତ ଦେଇପାରିବେ । ପ୍ରାୟ ୧ ମାସ ମଧ୍ୟରେ ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରସ୍ତୁତ ହୋଇଯିବ । ତଦନ୍ତ ସାରି ରେଳ ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରାଯିବ । ଘଟଣା ପଛରେ କିଏ ଦାୟୀ ଏବେ କହିବା ସମୀଚୀନ ହେବ ନାହିଁ ରେଲୱେ ସେଫଟି କମିଶନର ଏ.କେ ରାୟ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗତ ୧୬ ତାରିଖ ଦିନ ସକାଳେ ମୁମ୍ବାଇ- ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ କଟକ ଜିଲ୍ଲାର ନିର୍ଗୁଣ୍ଡି ଷ୍ଟେସନ ନିକଟ ଶାଳଗାଁ ଠାରେ ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହେବା ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଥଲେ । ଆହତମାନଙ୍କ ମଧ୍ୟରୁ ୫ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।